ଧର୍ମ

ମା ମଙ୍ଗଳା ଙ୍କ ମନ୍ଦିର ରେ ଘଣ୍ଟପାଟୁଆ ନୃତ୍ୟ


ଚୈତ୍ର ମାସ ଆସିଲେ ବିଭିନ୍ନ ଦେବୀ ପୀଠ ରେ ଯାତ୍ରା ଆରମ୍ଭ ହୋଇଥାଏ।
ପୁରୀ ଜିଲ୍ଲା କାକଟପୁର ର ମାମଙ୍ଗଳା ଙ୍କ ମନ୍ଦିର ରେ ଚୈତ୍ର ମାସ ପ୍ରଥମ ମଙ୍ଗଳବାର ଠାରୁ କ୍ରମାନ୍ବୟ ରେ ପାଞ୍ଚ ମଙ୍ଗଳବାର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ ଚୈତ୍ରଯାତ୍ରା। ପ୍ରଥମ ମଙ୍ଗଳବାର ଠାରୁ ଚତୁର୍ଥ ମଙ୍ଗଳବାର ପର୍ଯ୍ୟନ୍ତ ପାଳିଯାତ୍ରା ଅନୁଷ୍ଠିତ ହେବାପରେ ଶେଷ ମଙ୍ଗଳବାର ଅନୁଷ୍ଠିତ ହୋଇଥାଏ ପ୍ରସିଦ୍ଧ ଝାମୁ ଯାତ୍ରା। ରାଜ୍ଯ ର ବିଭିନ୍ନ ଦେବୀ ପୀଠ ମାନଙ୍କ ରେ ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ଦିନ ଝାମୁଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ଏକ ମାତ୍ର ମା ମଙ୍ଗଳା ଙ୍କ ମନ୍ଦିର ରେ ଚୈତ୍ର ମାସ ର ପଞ୍ଚମ ଅବା ବୈଶାଖ ମାସ ପ୍ରଥମ ମଙ୍ଗଳବାର ଦିନ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଥାଏ। ମା ଙ୍କ ଭକ୍ତ ପାଟୁଆ, କାଳେସୀ, ମାନସିକ ଧାରୀ ମାନେ ଡହଡହ ଖରା ରେ ଖାଲି ପାଦ ରେ ନିଆଁ ରଡ଼ ପୁର୍ଣ୍ଣ
ଗର୍ତ୍ତ ରେ ଚାଲିଥାନ୍ତି। ଏହାକୁ ହିଁ କୁହାଯାଏ ଝାମୁଚାଲିବା ବା ଝାମୁ ଯାତ୍ରା। ମା ମଙ୍ଗଳା ଙ୍କ ମନ୍ଦିର ରେ ପାଳିତ ହୋଇ ଆସୁଥିବା ପାଳିଯାତ୍ରା ଓ ଝାମୁଯାତ୍ରା ରେ ପାଟୁଆ ନୃତ୍ୟ ଏକ ଅନନ୍ୟ ପରମ୍ପରା ଓ ଆକର୍ଷଣ। ଭକ୍ତ ଙ୍କ ମନୋରଞ୍ଜନ ସାଙ୍ଗକୁ ଭକ୍ତିଭାବ ସୃଷ୍ଟି କରିଥାଏ ପାଟୁଆ ନୃତ୍ୟ। ମା ମଙ୍ଗଳା ଙ୍କ ମନ୍ଦିର ବେଢ଼ାରେ ପାଟୁଆ ନୃତ୍ୟ କରୁଥିବା ଓ ଝାମୁଯାତ୍ରା ଦିନ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଝାମୁ ଚାଲୁଥିବା ପାଟୁଆ ମାନେ ସ୍ଥାନୀୟ ଅଞ୍ଚଳ ର ଅଧିବାସୀ ନୁହଁନ୍ତି।ସେମାନଙ୍କ ଘର ପଡୋଶୀ ଜଗତସିଂହପୁର ଜିଲ୍ଲାରେ। ସେମାନେ ଝଙ୍କଡ ର ମା ଶାରଳା ଙ୍କ ସେବକ। ଚୈତ୍ର ମାସ ଆସିଲେ ଏମାନେ ଛୁଟି ଆସନ୍ତି କାକଟପୁର କୁ। ମଙ୍ଗଳବାର ଦିନ ଏମାନେ ମା ମଙ୍ଗଳା ଙ୍କ ମନ୍ଦିର ରେ ପାଟୁଆ ନୃତ୍ୟ କରୁଥିବାବେଳେ ଅନ୍ୟ ଦିନ ମାନଙ୍କ ରେ ଗାଁ ଗାଁ ବୁଲି ମା ମଙ୍ଗଳା ଓ ମା ଶାରଳା ଙ୍କ ମହିମା ପ୍ରଚାର କରିଥାନ୍ତି। ଏକ ସୁସଜ୍ଜିତ ପଞ୍ଚମୁଖୀ ଘଟ କୁ ଏମାନେ ମୁଣ୍ତରେ ଧରି ନୃତ୍ୟ କରୁଥିବାରୁ କେହି କେହି ଏମାନଙ୍କୁ ଘଟ କାଳେସୀ କହୁଥିବା ବେଳେ ଏମାନଙ୍କ ସହିତ ଜଣେ ଘଣ୍ଟ ବଜୁଆଳ ରହୁଥିବାରୁ ଓ ଘଣ୍ଟ ଶବ୍ଦ ର ତାଳ ରେ ଏମାନେ ନୃତ୍ୟ କରୁଥିବାରୁ
ଅନେକ ଏମାନଙ୍କୁ ଘଣ୍ଟପାଟୁଆ ବୋଲି କହିଥାନ୍ତି। ସେ ଯାହା ହେଉନା କାହିଁକି ଚୈତ୍ର ମଙ୍ଗଳବାର ରେ ମା ମଙ୍ଗଳା ଙ୍କ ମନ୍ଦିର ବେଢ଼ାରେ ଅନୁଷ୍ଠିତ ପାଟୁଆ ନୃତ୍ୟ ଏକ ଅନନ୍ୟ ପରମ୍ପରା ହୋଇ ରହି ଆସିଛି କାହିଁ କେତେ କାଳରୁ। ଜୟ ମା ମଙ୍ଗଳା।
ସନ୍ତୋଷ ଦାଶ। ୯୪୩୯୩୬୧୮୮୮।

Leave a Reply

Your email address will not be published. Required fields are marked *