ମୁଖ୍ୟ ଖବର

ଧନୀ ଆଞ୍ଚଳିକ ଦଳ ବିଜେଡି

ଭୁବନେଶ୍ବର : ଓଡ଼ିଶାର ଶାସକ ଦଳ ବିଜେଡି ଦେଶରେ ଦ୍ବିତୀୟ ଧନୀ ଏବଂ ଆୟରେ ସର୍ବାଧିକ ଅଭିବୃଦ୍ଧି ହୋଇଥିବା ଆଞ୍ଚଳିକ ରାଜନୈତିକ ଦଳ। ଯାହାର ଆୟ ୩୬ ଆଞ୍ଚଳିକ ରାଜନୈତିକ ଦଳଙ୍କ ଆୟର୨୫.୩୩ ପ୍ରତିଶତ। ଅର୍ଥାତ ୩୬ ଆଞ୍ଚଳିକ ଦଳଙ୍କ ସମୁଦାୟ ଆୟ ୧୨୧୩.୧୩୨ କୋଟି ହୋଇଥିବା ବେଳେ ଏଥିରୁ ବିଜେଡିର କେବଳ ୩୦୭.୨୮୮ କୋଟି। ନିର୍ବାଚନ, ପ୍ରଚାର ସମେତ ବିଭିନ୍ନ କ୍ଷେତ୍ରରେ ୨୦୨୧ ମସିହାରେ ଦଳ ୨୮.୬୩ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ଏହାର ୯୦.୬୮ ପ୍ରତିଶତ ଅର୍ଥାତ ୨୭୮.୬୫୮ କୋଟି ଟଙ୍କା ବଳକା ରହିଛି। ଦଳକୁ ୯୪.୦୭ ପ୍ରତିଶତ ଅର୍ଥାତ ୨୯୧ କୋଟି ଗ୍ରାଣ୍ଟ, ଡୋନେସନ ଏବଂ କଣ୍ଟ୍ରିବ୍ୟୁସନ ଜରିଆରେ ମିଳିଛି। ୧୬.୧୭୬ କୋଟି ଟଙ୍କା ବ୍ୟାଙ୍କ ସୁଧ, ୦.୦୧୬ କୋଟି ବିଭିନ୍ନ ପ୍ରକାର ଫି’ ଏବଂ ୦.୦୯୬ କୋଟି ଟଙ୍କା ଅନ୍ୟ ସୂତ୍ରରୁ ମିଳିଛି।ସୂଚନା ଅନୁଯାୟୀ, ଭାରତୀୟ ନିର୍ବାଚନ କମିସନ ସମସ୍ତ ରାଜନୈତିକ ଦଳଙ୍କୁ ସେମାନଙ୍କ ଆୟ-ବ୍ୟୟର ଘୋଷଣା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଧାରିତ ସମୟ ୨୦୨୨ ମସିହା ଅକ୍ଟୋବର ୩୧ସୁଦ୍ଧା ୨୦ଟି ଆଞ୍ଚଳିକ ରାଜନୈତିକ ଦଳ ଅଡିଟ୍ ରିପୋର୍ଟ ଦାଖଲ କରିଥିଲେ। ୨୦୨୧-୨୨ ମହାମାରୀ ସମୟର ରାଜନୈତିକ ଦଳଗୁଡ଼ିକଙ୍କ ଘୋଷିତ ଆୟ-ବ୍ୟୟ ତାଲିକାର ସମୀକ୍ଷା କରାଯାଇ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି ସାମାଜିକ ସଙ୍ଗଠନ ଆସୋସିଏଟ୍ ଅଫ ଡେମୋକ୍ରେଟିକ ରିଫର୍ମ(ଏଡିଆର)। ଏହି ରିପୋର୍ଟ କହୁଛି ଯେ ୩୧୮.୭୪୫ କୋଟି ଟଙ୍କା ସହିତ ତାମିଲନାଡ଼ୁର ଶାସକ ଦଳ ଡିଏମକେ ପ୍ରଥମ, ୩୦୭.୨୮୮ କୋଟି ଟଙ୍କା ସହିତ ବିଜେଡି ଦ୍ବିତୀୟ, ୨୧୮.୧୧୨ ଆୟ ସହିତ ତେଲେଙ୍ଗାନାର ଶାସକ ଦଳ ଟିଆରଏସ ତୃତୀୟ, ଆନ୍ଧ୍ରପ୍ରଦେଶର ଶାସକ ଦଳ ୱାଇଏସଆର କଂଗ୍ରେସ ଚତୁର୍ଥ(୯୩.୭୨୪ କୋଟି), ବିହାରର ଶାସକ ଦଳ ଜେଡିୟୁ (୮୬.୫୫୫ କୋଟି) ପଞ୍ଚମ ସ୍ଥାନରେ ରହିଛି। ଏହି ୫ଟି ଆଞ୍ଚଳିକ ଶାସକ ଦଳଙ୍କ ଆୟ ସମସ୍ତ ୩୬ ଆଞ୍ଚଳିକ ଦଳଙ୍କ ଆୟର ୮୪.୪୪ ପ୍ରତିଶତ। ଧନୀ ତାଲିକାରେ ଉତ୍ତରପ୍ରଦେଶର ମୁଖ୍ୟ ବିରୋଧୀ ଦଳ ସମାଜବାଦୀ ପାର୍ଟି (୬୧.୦୧୧କୋଟି)ଷଷ୍ଠ, ଦିଲ୍ଲୀ ଏବଂ ପଞ୍ଜାବର ଶାସକ ଦଳ ଆମ୍‌ ଆଦମୀ ପାର୍ଟି(୪୪.୫୩୯ କୋଟି) ସପ୍ତମ ସ୍ଥାନରେ ରହିଛନ୍ତି। ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ ପ୍ରତିଷ୍ଠା କରିଥିବା ଜନତା କଂଗ୍ରେସ ଛତିଶଗଡ଼-ଯୋଗୀ ଗରିବ ଆଞ୍ଚଳିକ ରାଜନୈତିକ ଦଳ। ୧୮ ଦଳ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ ସମ୍ପର୍କରେ କୌଣସି ତଥ୍ୟ ଉଲ୍ଲେଖ କରି ନାହାନ୍ତି।

୧୬ଟି ରାଜନୈତିକ ଦଳ ଆୟ ତାଲିକା ଦାଖଲ କରିବାରେ ୧ରୁ ୯୭ ଦିନ ପର୍ଯ୍ୟନ୍ତ ବିଳମ୍ବ କରିଛନ୍ତି। ପ୍ରମୁଖ ରାଜନୈତିକ ଦଳ ଏମଆଇଏମ, ଶିବସେନା, ଜମ୍ମୁ-କାଶ୍ମୀର ନ୍ୟାସନାଲ କନଫରେନ୍ସ, ଆସାମର ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟ, ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ୍ ସେମାନଙ୍କ ଆୟ ଏବଂ ଖର୍ଚ୍ଚ ଘୋଷଣା କରିନାହାନ୍ତି। ୨୦୨୦ ମସିହା ତୁଳନାରେ ୨୦୨୧ରେ ୩୬ଟି ରାଜନୈତିକ ଆଞ୍ଚଳିକ ଦଳଙ୍କ ଆୟ ୧୧୪.୪୮ ପ୍ରତିଶତ ଅର୍ଥାତ ୬୪୭.୨୮୪ କୋଟି ଟଙ୍କା ବଢ଼ିଛି। ୩୬ରୁ ୨୦ଟି ଦଳଙ୍କ ଆୟ ବଢ଼ିଛି। ଏଥିରେ ବିଜେଡିର ସର୍ବାଧିକ ୨୩୩.୯୪୧ କୋଟି, ଟିଆରଏସର ୧୮୦.୪୫୪ କୋଟି ଏବଂ ଡିଏମକେର ୧୬୮.୭୯୫ କୋଟି ଟଙ୍କା ବଢ଼ିଛି।

ୱାଇଏସଆର କଂଗ୍ରେସ, ଏଆଇଡିଏମକେ, ଏମଏନଏସ, ଜେଜେପି, ଆରଜେଡି ଭଳି ୧୫ଟି ଦଳଙ୍କ ଆୟ ହ୍ରାସ ପାଇଥିବା ଦର୍ଶାଯାଇଛି। ୨୧ଟି ଦଳ ଘୋଷିତ ଆୟର ସବୁ ଅର୍ଥ ଖର୍ଚ୍ଚ କରିପାରି ନାହାନ୍ତି। ଡିଏମକେ ୨୮୩.୩୪୪ କୋଟି, ବିଜେଡି ୨୭୮.୬୫୮ କୋଟି, ଟିଆରଏସର ୧୯୦.୧୭୩ କୋଟି ଟଙ୍କା ବଳକା ପଡ଼ିଛି। ଶିରୋମଣି ଅକାଳି ଦଳ, ଏଆଇଡିଏମକେ, ଟିଡିପି, ଜେଡିଏସ, ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି, ରାଷ୍ଟ୍ରୀୟ ଲୋକ ଦଳ ସମେତ ୧୫ଟି ଦଳ ଆୟ ତୁଳନାରେ ଅଧିକ ଖର୍ଚ୍ଚ କରିଛନ୍ତି। ତାମିଲନାଡ଼ୁର ନ୍ୟାସନାଲ ପ୍ରୋଗ୍ରେସିଭ ଦ୍ରାଭିଡିଆନ ଫେଡେରେସନ ନିଜ ଆୟ ଠାରୁ ୩୦୬୦୩.୭୦ ପ୍ରତିଶତ ଅର୍ଥାତ ୩୩୦୫୨ କୋଟି ଟଙ୍କା ଅଧିକ ଖର୍ଚ୍ଚ କରିଛି। ୫୪.୦୧୪ କୋଟି ସହିତ ଟଙ୍କା ଖର୍ଚ୍ଚ କରିବାରେ ସମାଜବାଦୀ ପାର୍ଟି ଆଗୁଆ ରହିଛି। ଡିଏମକେ ୩୫.୪୦୧ କୋଟି, ଆପ‌୍ ୩୦.୨୯୫, ବିଜେଡି ୨୮.୬୩ କୋଟି ଏବଂ ଏଆଇଏଡିଏମକେ ୨୮.୪୩୬ କୋଟି ଟଙ୍କା ଖଚ୍ଚ କରିଛନ୍ତି। ୧୮୧୧.୯୪୨୫ କୋଟି ଚାନ୍ଦା ବେନାମୀ ସୂତ୍ରରୁ ମିଳିଛି:
ଇଲେକ୍ଟ୍ରୋରାଲ ବଣ୍ଡ୍‌ ବର୍ତ୍ତମାନ ସମୟର ସବୁ ରାଜନୈତିକ ଦଳଙ୍କ ଆୟର ମୁଖ୍ୟ ସ୍ରୋତ। ବଡ଼ ବ୍ୟବସାୟୀ କିମ୍ବା ଗୋଷ୍ଠୀ ଏସବିଆଇ ଠାରୁ ଇଲେକ୍ଟ୍ରୋରାଲ ବଣ୍ଡ କ୍ରୟ କରି ରାଜନୈତିକ ଦଳଙ୍କୁ ଚାନ୍ଦା ଆକାରରେ ଦେଉଛନ୍ତି। ଅଧିକାଂଶ କ୍ଷେତ୍ରରେ ଏହା କିଏ ଦେଉଛି ଜଣାପଡ଼ୁନାହିଁ। ସୂଚନା ଅଧିକାର ଆଇନ ଅନ୍ତର୍ଗତରେ ଏଡିଆରକୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୨୧ ମସିହାରେ ସମୁଦାୟ ୨୬୭୩.୦୫୨୫ କୋଟି ଟଙ୍କା ଇଲେକ୍ଟ୍ରୋରାଲ ବଣ୍ଡ୍‌ ଆକାରରେ ଚାନ୍ଦା ଦିଆଯାଇଛି। ଏଥିରେ ଜାତୀୟ ରାଜନୈତିକ ଦଳଙ୍କ ଭାଗ ୬୭.୭୯ ପ୍ରତିଶତ(୧୮୧୧.୯୪୨୫ କୋଟି) ଏବଂ ୩୧.୯୧ ପ୍ରତିଶତ(୮୫୨.୮୮ କୋଟି)ଆଞ୍ଚଳିକ ଦଳଙ୍କୁ ମିଳିଛି। ବିଜେପି, ଭାରତୀୟ ଜାତୀୟ କଂଗ୍ରେସ, ଏନସିପି ଏବଂ ଏଆଇଟିସି ସମୁଦାୟ ୧୮୧୧.୯୪୨୫ କୋଟି ଟଙ୍କାର ଚାନ୍ଦା ବେନାମୀ ଇଲେକ୍ଟ୍ରୋରାଲ ବଣ୍ଡ୍‌ ଜରିଆରେ ପାଇଛନ୍ତି। ଡିଏମକେ, ବିଜେଡି, ଟିଆରଏସ, ୱାଇଏସଆର କଂଗ୍ରେସ, ଜେଡିୟୁ, ଏସପି, ଆପ୍‌, ଶିରୋମଣି ଅକାଳୀ ଦଳ, ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି ଏବଂ ଟିଡିପି ଭଳି ୧୦ ଆଞ୍ଚଳିକ ଦଳ ୮୫୨.୮୮ କୋଟି ଟଙ୍କା ଇଲେକ୍ଟ୍ରୋରାଲ ବଣ୍ଡ୍‌ ଜରିଆରେ ଚାନ୍ଦା ପାଇଥିବା ଦର୍ଶାଇଛନ୍ତି।

ଏହି ୩୬ ଆଞ୍ଚଳିକ ରାଜନୈତିକ ଦଳ ନିଜ ଆୟର ୭୦.୩ ପ୍ରତିଶତ (୮୫୨.୮୮ କୋଟି)ଇଲେକ୍ଟ୍ରୋରାଲ ବଣ୍ଡ୍‌, ୧୫. ୪୨ ପ୍ରତିଶତ(୧୮୭.୧୦୭ କୋଟି) ଡୋନେସନ ଏବଂ ୧୪.୨୭ ପ୍ରତିଶତ (୧୭୩.୧୪୫ କୋଟି ) ଅନ୍ୟାନ୍ୟ ଆକାରରେ ପାଇଛନ୍ତି। ୧୦ ରାଜନୈତିକ ଦଳ ୮୫୨.୮୮ କୋଟି ଟଙ୍କା ଇଲେକ୍ଟ୍ରୋରାଲ ବଣ୍ଡ୍‌ ଆକାରରେ ପାଇଛନ୍ତି। ୭.୭୦ ପ୍ରତିଶତ ଅର୍ଥାତ ୯୩.୪୬୮ କୋଟି ଟଙ୍କା ସୁଧ ଆକାରରେ ପାଉଥିବା ନେଇ ମଧ୍ୟ ଦର୍ଶାଇଛନ୍ତି। ଗୋଆର ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି ନିଜ ଆୟର ହିସାବ ଦେଇନଥିଲେ ମଧ୍ୟ ଇଲେକ୍ଟ୍ରୋରାଲ ବଣ୍ଡ୍‌ ଜରିଆରେ ୫୫ ଲକ୍ଷ ଟଙ୍କା ପାଇଥିବା ସୂଚନା ଦେଇଛି। ଏଡିଆର ପକ୍ଷରୁ କୁହାଯାଇଛି ଯେ ଦେଶରେ ରାଜନୈତିକ ଦଳ ପାଉଥିବା ଚାନ୍ଦାର ୬୫ ପ୍ରତିଶତ କେଉଁ ସୂତ୍ରରୁ ପାଉଛନ୍ତି ତାହା ଅସ୍ପଷ୍ଟ ରହିଛି। ଭୁଟାନ, ନେପାଳ, ଜର୍ମାନୀ, ଫ୍ରାନ୍ସ, ଇଟାଲି, ବ୍ରାଜିଲ, ବୁଲଗେରିଆ, ଆମେରିକା ଏବଂ ଜାପାନରେ ମଧ୍ୟ ରାଜନୈତିକ ଦଳଗୁଡ଼ିକ ନିଜ ଆୟର ସୂତ୍ର ସର୍ବସାଧାରଣରେ ଘୋଷଣା କରିଥାଆନ୍ତି। ମାତ୍ର କୌଣସି ଦେଶରେ ଏତେ ଟଙ୍କା ସ୍ରୋତ ଜଣା ନ ପଡ଼ିବା ବିରଳ। ଯେଉଁ ରାଜନୈତିକ ଦଳଗୁଡ଼ିକ ଆୟକର ଦାଖଲ କରି ନାହାନ୍ତି ସେମାନଙ୍କ ମାନ୍ୟତା ପ୍ରତ୍ୟାହାର କରି ଦିଆଯିବା ଉଚିତ ବୋଲି ଏଡିଆର କହିଛି। ରାଜନୈତିକ ଦଳଙ୍କ ମଧ୍ୟରେ ସ୍ବଚ୍ଛତା ରକ୍ଷା ପାଇଁ କଡ଼ାକଡ଼ି ବ୍ୟବସ୍ଥା ଗ୍ରହଣ ପାଇଁ ସୁପାରିସ କରାଯାଇଛି।

Leave a Reply

Your email address will not be published. Required fields are marked *