ଦେଶ- ବିଦେଶ

ଆଦାନିଙ୍କୁ ପାୱାରଙ୍କ ସମର୍ଥନ: ବିରୋଧୀ ମେଣ୍ଟରେ ଫାଟ

ମୁମ୍ବାଇ: ଶିଳ୍ପପତି ଆଦାନିଙ୍କ ପ୍ରସଙ୍ଗରେ କେନ୍ଦ୍ର ସରକାର ବିରୋଧରେ ପ୍ରତିବ‌ାଦ କରୁଥିବା ବିରୋଧୀ ଦଳମାନଙ୍କୁ ଶରଦ ପାୱାର ବଡ଼ ଝଟ୍‌କା ଦେଇଛନ୍ତି। ଆଦାନି ମାମଲାରେ ପାୱାର ଜେପିସି ତଦନ୍ତ ଦାବିକୁ ପ୍ରତ୍ୟାଖ୍ୟାନ କରିବା ସହ ଆଦାନି ଗ୍ରୁପ୍‌ର ବିପର୍ଯ୍ୟୟ ପାଇଁ ସିଧାସଳଖ ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗଙ୍କୁ ଗତକାଲି ଦାୟୀ କରିବା ପରେ ବିରୋଧୀ ମେଣ୍ଟକୁ ବଡ଼ ଧକ୍କା ଲାଗିଛି। ପାୱାରଙ୍କ ଆଭିମୁଖ୍ୟ ବିରୋଧୀ ମେଣ୍ଟକୁ ଗୋଟିଏ ପଟେ ଦୁର୍ବଳ କରିଦେଇଥିବା ବେଳେ ଅନ୍ୟପଟେ ଏହି ମେଣ୍ଟର ଭବିଷ୍ୟତ ଉପରେ ମଧ୍ୟ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି। ଆଜି ପାୱାର ଏହି ମାମଲାରେ ସଫେଇ ଦେଇ ତାଙ୍କ ବୟାନ ବିରୋଧୀ ମେଣ୍ଟକୁ ଆଦୌ ଦୁର୍ବଳ କରିବ ନାହିଁ କହିଥିଲେ ମଧ୍ୟ ଏନ୍‌ସିପିର ହଠାତ ଆଭିମୁଖ୍ୟ ପରିବର୍ତ୍ତନ ଏବଂ ବରିଷ୍ଠ ଏନ୍‌ସିପି ନେତାମାନେ କେନ୍ଦ୍ର ସରକାର ପ୍ରତି କୋହଳ ମନୋଭାବ ଦେଖାଇବା କଂଗ୍ରେସର ସମସ୍ୟା ବଢ଼ାଇ ଦେଇଛି।ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଆଜି କହିଛନ୍ତି, ବିରୋଧୀ ଦଳମାନେ ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କ ମନ୍ତବ୍ୟ ଉପରେ ଧ୍ୟାନ ଦିଅନ୍ତୁ। କଂଗ୍ରେସ ଓ ଉଦ୍ଧବ ଠାକରେଙ୍କ ଶିବସେନାକୁ ଲକ୍ଷ୍ୟ କରି ସେ କହିଛନ୍ତି ଯେ ବିରୋଧୀଙ୍କ ଜେପିସି ତଦନ୍ତ ଦାବିକୁ ଅଗ୍ରାହ୍ୟ କରି ଏନ୍‌ସିପି ସୁପ୍ରିମୋ ବାସ୍ତବତା ନେଇ ବିରୋଧୀ ଦଳ ନେତାଙ୍କୁ ଚେତାଇ ଦେଇଛନ୍ତି। ଗତକାଲି ଏକ ଟିଭି ଚାନେଲକୁ ପାୱାର କହିଥିଲେ ଯେ ଦେଶର ଅନ୍ୟ ଗୁରୁ୍ତ୍ବପୂର୍ଣ୍ଣ ପ୍ରସଙ୍ଗ ଛାଡ଼ି ବିରୋଧୀ ଦଳମାନେ ଆଦାନି ପ୍ରସଙ୍ଗକୁ ମାତ୍ରାଧିକ ଗୁରୁତ୍ବ ଦେଉଛନ୍ତି। ଆଦାନି ଗ୍ରୁପ୍ ତାଙ୍କ ବିରୋଧରେ ଆଗତ ଅଭିଯୋଗ ମିଥ୍ୟା ବୋଲି ପ୍ରମାଣ କରିଥିଲେ ମଧ୍ୟ ବିରୋଧୀ ଦଳଗୁଡ଼ିକ ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାରକୁ ଟାର୍ଗେଟ କରିଆସିଛନ୍ତି ବୋଲି ପାୱାର କହିଥିଲେ। ଏ ବାବଦରେ ସିନ୍ଦେ କହିଛନ୍ତି, କଂଗ୍ରେସ ଓ ଉଦ୍ଧବ ଠାକରେଙ୍କ ଦଳ ବାରମ୍ବାର ଆଦାନି ପ୍ରସଙ୍ଗ ଉଠାଉଛନ୍ତି। ବର୍ତ୍ତମାନ ତାଙ୍କରି ମେଣ୍ଟର ପ୍ରମୁଖ ଓ ବରିଷ୍ଠ ନେତା ଶରଦ ପାୱାରଙ୍କର ଏ ବାବଦରେ ମନ୍ତବ୍ୟ ସେମାନେ ଶୁଣିବାକୁ ହେବ।

Leave a Reply

Your email address will not be published. Required fields are marked *