ଅପରାଧ

ହାଡ଼ିଆ ହତ୍ୟାକାଣ୍ଡ ମାମଲା, ବାବାଜି ହୋଇ ଲୁଚିଥିଲା ଅଭିଯୁକ୍ତ

କଟକ: ଧଳସାମନ୍ତ ସହଯୋଗୀ କୁଖ୍ୟାତ ଅପରାଧୀ ହାଡ଼ିଆ ଓରଫ ପ୍ରକାଶ ବେହେରା ହତ୍ୟା ମାମଲାରେ ଫେରାର ଅଭିଯୁକ୍ତ କାବୁ ହୋଇଛି। ସେ ହେଉଛି ଦୀପକ ମଲ୍ଲିକ (୪୫)। ବିଡ଼ାନାସୀ ଥାନା ପୁଲିସ ତାକୁ ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ସାତମାଇଲି ଅଞ୍ଚଳରୁ ଠାବ କରିଛି। ସେ ସେଠାରେ ବାବାଜି ବେଶରେ ବୁଲୁଥିଲା। ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଆଧାରରେ ତାକୁ ପୁଲିସ କାବୁ କରିଛି। ପୁଲିସ ସୂତ୍ର ମୁତାବକ, କୁଖ୍ୟାତ ଅପରାଧୀ ଡି-ବ୍ରଦର୍ସର ସହଯୋଗୀ ହାଡ଼ିଆ ସହିତ ଗତ ୨୦୨୦ ମସିହାରେ ଦୀପକ ଓ ତା’ର ସାନ ଭାଇର କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଦୁଇ ଭାଇ ମିଶି ଗୋଡ଼ାଇ ଗୋଡ଼ାଇ ତାକୁ ହାଣିଥିଲେ। ଏହି ଘଟଣାରେ ୨୦୨୧ ଫେବ୍ରୁଆରି ୨୫ ତାରିଖରେ ସାନଭାଇ ଶାନ୍ତନୁ ଗିରଫ ହୋଇଥିଲା। ଗତ ୩ ବର୍ଷ ଭିତରେ ଦୀପକ ନିଜକୁ ବାବାଜି ସଜାଇ ରାସୋଳ ଥାନା କୁନୁଆ ଅଞ୍ଚଳରେ ନିଜକୁ ଭିନ୍ନ ପରିଚୟ ଦେଇ ରହିଥିଲା।ବିଭିନ୍ନ ଗାଁରେ ବୁଲି ଲୋକଙ୍କ ହାତ ଦେଖୁଥିଲା, ସମ୍ମାନ ପାଉଥିଲା। ଲୋକେ ତାକୁ ବାବାଜି ଓ ସନ୍ଥ ଭାବି ସେବା କରୁଥିଲେ। କିନ୍ତୁ, ସେ ବ୍ୟବହାର କରୁଥିବା ମୋବାଇଲ୍‌ରୁ ଅଭିଯୁକ୍ତର ଅସଲ ମୁଖା ପଦାକୁ ଆସିଛି। ପୁଲିସ, ଅଭିଯୁକ୍ତର ମୋବାଇଲ୍‌ ନମ୍ବରକୁ ଟ୍ରାକ୍‌ କରି କୁନୁଆଁ ଅଞ୍ଚଳରେ ରହୁଥିବା ଜାଣିବାକୁ ପାଇଥିଲା। ଥାନା ଅଧିକାରୀ ବିଜୟ ହାଇବୃ, ତଶ୍ୱର ଅଲ୍ଲୀ ଖାଁ ମିଳିତ ଚଢ଼ଉ କରି ଅଭିଯୁକ୍ତକୁ ସାତମାଇଲି ଅଞ୍ଚଳରୁ ଗିରଫ କରିଛନ୍ତି। ଅଭିଯୁକ୍ତର କୌପୁନି ଓ ଦାଢ଼ିକୁ ନେଇ ପୁଲିସ ବି ଦ୍ୱନ୍ଦ୍ବରେ ପଡ଼ିଥିଲା। କିନ୍ତୁ ଅଭିଯୁକ୍ତର ପୁରୁଣା ଫଟୋକୁ ବର୍ତ୍ତମାନର ଚେହେରା ସହ ମିଶାଇଲା ପରେ ଇଏ ସେହି ଅଭିଯୁକ୍ତ ବୋଲି ପୁଲିସ ସ୍ପଷ୍ଟ କରିଛି।

Leave a Reply

Your email address will not be published. Required fields are marked *