ବାଣିଜ୍ୟ

ସିଏନ୍‌ଜି, ପିଏନ୍‌ଜି ଦାମ ୫ ଟଙ୍କା ଲେଖାଏଁ କମା‌ଇଲା ଗେଲ୍‌

ଭୁବନେଶ୍ବର : କେନ୍ଦ୍ର ସରକାର ପ୍ରାକୃତିକ ଗ୍ୟାସର ମୂଲ୍ୟ ନିର୍ଦ୍ଧାରଣ ପଦ୍ଧତିରେ ପରିବର୍ତ୍ତନ ଆଣିବା ପରେ ରାଷ୍ଟ୍ରାୟତ୍ତ ଗ୍ୟାସ ଉତ୍ପାଦନକାରୀ କମ୍ପାନି ଗେଲ୍‌ ଇଣ୍ଡିଆ ଉଭୟ ସିଏନ୍‌ଜି ଓ ପିଏନ୍‌ଜି ଦାମ୍ କମାଇଛି। କଟକ ଓ ଭୁବନେଶ୍ବରରେ ଏବେ ଉଭୟ ଗ୍ୟାସ ବିକ୍ରି କରୁଥିବା ଗେଲ୍‌ ଆଜି ଏହାର ମୂଲ୍ୟ ହ୍ରାସ ଘୋଷଣା କରିଛି।

ସିଏନ୍‌ଜି ମୂଲ୍ୟ କିଲୋଗ୍ରାମ ପିଛା ୯୪ ଟଙ୍କା ୭୬ ପଇସାରୁ ୮୯ ଟଙ୍କା ୭୬ ପଇସାକୁ ହ୍ରାସ କରାଯାଇଛି। ୯ ତାରିଖ ଠାରୁ ଏହାକୁ କାର୍ଯ୍ୟକାରୀ କରାଯିବ। ସେହିଭଳି ପାଇପ ଯୋଗେ ଲୋକଙ୍କୁ ଯୋଗାଇ ଦିଆଯାଉଥିବା ରନ୍ଧନ ଗ୍ୟାସ (ପିଏନ୍‌ଜି) ମୂଲ୍ୟ ମଧ୍ୟ ଷ୍ଟାଣ୍ଡାର୍ଡ ଘନ ମିଟର ପିଛା ୬୨ ଟଙ୍କା ୧୮ ପଇସାରୁ ହ୍ରାସ କରାଯାଇ ୫୭ ଟଙ୍କା ୧୮ ପଇସା ରଖାଯାଇଛି। ଏହାଦ୍ବାରା କଟକ ଓ ଭୁବନେଶ୍ବରରେ ୧୧ ହଜାରରୁ ଅଧିକ ପିଏନଜି ଗ୍ରାହକ ଉପକୃତ ହେବେ।

ଦୁଇ ସହରରେ ଏବେ ୧୧୦୦୦ରୁ ଅଧିକ ପିଏନଜି ଗ୍ରାହକ ଅଛନ୍ତି। ତେବେ କମ୍ପାନି ପକ୍ଷରୁ ୪୦ ହଜାର ଗ୍ରାହକଙ୍କୁ ପିଏନ୍‌ଜି ଯୋଗାଇ ଦେବାଲାଗି ବର୍ତ୍ତମାନ ସୁଦ୍ଧା ଭିତ୍ତିଭୂମି ରହିଛି।

ଏଥିସହିତ କମ୍ପାନି ପକ୍ଷରୁ ନିକଟରେ ଭୁବନେଶ୍ବରରେ ଏକ ନୂଆ ‌ସିଏନଜି ଷ୍ଟେସନ ଖୋଲାଯାଇଛି। ଜାତୀୟ ରାଜପଥର ଆଇଗିଣିଆଠାରେ ଏହାକୁ କମ୍ପାନିର ଜିଏମ୍‌(ସିଜିଡି) ଏକେ ମହାପାତ୍ର ଉଦ୍‌ଘାଟନ କରିଛନ୍ତି। ଫଳରେ ଦ୍ବୈତ ସହରରେ ବର୍ତ୍ତମାନ ସିଏନ୍‌ଜି ଷ୍ଟେସନ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ଏଗୁଡ଼ିକ ମାଧ୍ୟମରେ ୫୦୦୦ ସିଏନଜି ଅଟୋ ଏବଂ ୫୦୦ ସିଏନଜି କାର ଉପକୃତ ହେଉଛନ୍ତି। ଦିନକୁ ୨୫ ହଜାର କେଜି ସିଏନଜି ବିକ୍ରି ହେଉଛି। ୨୨ଟି ସିଏନଜି ଷ୍ଟେସନ ମଧ୍ୟରୁ ୪ଟି ଗେଲ୍‌ ନିଜେ ବିକାଶ କରି ପରିଚାଳନା କରୁଛି। ସେଥରୁ ଦୁଇଟି କଟକ ସିଡିଏ ଓ ମତ୍ତଗଜପୁରରେ ଥିବା‌େବଳେ ଅନ୍ୟ ଦୁଇଟି ଭୁବନେଶ୍ବରର ପୋଖରୀପୁଟ ଏବଂ ଆଇଗିଣିଆରେ ରହିଛି। ଏଥିସହିତ କଟକ ଓ ଭୁବନେଶ୍ବରରେ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ରାଜ୍ୟରେ ଆଉ ୬ଟି ସିଏନ୍‌ଜି ଷ୍ଟେସନ କାର୍ଯ୍ୟକ୍ଷମ ହେବ। ସେଥିରୁ ଗୋଟିଏ ନିଜେ ଗେଲ୍ ନିର୍ମାଣ କରି କାର୍ଯ୍ୟକ୍ଷମ କରିବ। ବର୍ଷ ଶେଷ ସୁଦ୍ଧା କମ୍ପାନି ଦୁଇ ସହରରେ ଦିନକୁ ୫୦ ହଜାର କିଗ୍ରା ସିଏନଜି ବିକ୍ରି କରିବା ଆଶା ରଖିଛି ବୋଲି ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି।

Leave a Reply

Your email address will not be published. Required fields are marked *