ରାଜ୍ୟ

ଗୁରେଇବନ୍ଧର ଗେଟ ନିର୍ମାଣ କେବେ? ଆନ୍ଦୋଳନ ପାଇଁ ସଜବାଜ


ବାଣପୁର :- ଶାଳିଆ ନଦୀ ବାଣପୁର ଲୋକଙ୍କର ଜୀବନ ରେଖା l ଯେଉଁ ନଦୀର ନାମ ଅନୁସାରେ ନାମ କରଣ ହୋଇଛି ଶାଳିଆ ଡ୍ୟାମ ଓ ଶାଳିଆ କେନାଲ l ଶାଳିଆ ଡ୍ୟାମ ନିର୍ମିତ ପୂର୍ବରୁ ନଦୀରେ ପ୍ରବଳ ବନ୍ୟା ଆସି ତଳିଆ ଅଞ୍ଚଳର ଫସଲ କ୍ଷୟକ୍ଷତି କରାଏ l ତାକୁ ଆଖିଆଗରେ ରଖି ନିର୍ମାଣ କରାଗଲା ଶାଳିଆ ଡ୍ୟାମ l ବନ୍ୟା ଦାଉରୁ ସିନା ରକ୍ଷା ପାଇଲେ କିନ୍ତୁ ତାହାର ଜଳକୁ ସଠିକ ରୂପେ ବିନିଯୋଗ କରିବାରେ ରହିଗଲା ତ୍ରୁଟି l ଯେଉଁ ନଦୀ ଡ୍ୟାମ ତଳୁ ବାହାରି ବାଟରେ ବିଭିନ୍ନ ଶାଖା ନଦୀରେ ରୂପାନ୍ତରିତ ହୋଇ ଚିଲିକାକୁ ପ୍ରବାହିତ ହୋଇଛି l ଯାହାର ଜଳ ଉପରେ ବାଣପୁର ଅଂଚଳର ଚାଷୀମାନେ ମୁଖ୍ୟତଃ ଚାଷକାର୍ଯ୍ୟ କରିବାକୁ ବିନିଯୋଗ କରନ୍ତି l ଖରିଫ ହେଉ କି ରବି ହେଉ ଚାଷୀମାନେ ଶାଳିଆ ନଦୀର ଜଳକୁ ଉପଯୋଗ କରି ବିଭିନ୍ନ ପନିପରିବା ଚାଷ ହେଉ କି ଧାନ ଫସଲ ଆମଦାନୀ କରନ୍ତି l ରାଜ୍ୟର ଅନ୍ୟ ଅଞ୍ଚଳରେ ବୋରିଙ୍ଗ ପାଣି ଉପରେ ଚାଷୀ ନିର୍ଭର କରୁଥିବା ବେଳେ ବାଣପୁର ଅଞ୍ଚଳରେ ସରକାର ଏ ପ୍ରକାର ସୁବିଧା କରିନାହାନ୍ତି l କାରଣ ବହୁ ଚାଷ ଜମି ଜଳସେଚିତ l ଚାଷୀମାନେ ଜଳକର ମଧ୍ୟ ସରକାରଙ୍କୁ ଦେଇଥାନ୍ତି l

ଏହି ନଦୀର ମୁଖ୍ୟ ଶାଖା ବାଣପୁର ବିଷର ପାଟଣା ଦେଇ ଗୋବିନ୍ଦପୁର, ମଙ୍ଗରାଜପୁର, ନନ୍ଦପୁର, ନହରଡିହ, ନରଣଡିହ ପାରିନୁଆଗାଁ, ଭେଷରୀ, ବନ୍ଧମୁଣ୍ଡାଇ ଏହିପରି ଅନେକ ଗ୍ରାମ ଦେଇ ଚିଲିକାରେ ପଡିଛି l ଏହାର ଜଳ ଉପରେ ପ୍ରାୟ ଶହ ଶହ ଚାଷୀ ନିର୍ଭର କରନ୍ତି l ଗୋବିନ୍ଦପୁର ଠାରେ ଏହାରି ଉପରେ ଏକ ବନ୍ଧ ଅଛିl ଯାହାର ନାମ ଗୁରେଇ ବନ୍ଧ l ଏହି ବନ୍ଧର ପ୍ରାୟ ଶହେଫୁଟ ତଳୁ ଅନ୍ୟ ଏକ ଶାଖା ନଦୀ ଦୋଳମୁଣ୍ଡାଇ ଦେଇ ପ୍ରବାହିତ ହେଉଛି l ବିଗତ 30ବର୍ଷ ତଳେ ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ୱାରା କଂକ୍ରିଟ ବନ୍ଧ ଓ ଗେଟ ନିର୍ମାଣ କରିବାକୁ ଲକ୍ଷ ରଖି କାର୍ଯ୍ୟ ଆରମ୍ଭ କରାଯାଇଥିଲା l ବନ୍ଧ ନିର୍ମାଣ ହେଲା ସତ l କିନ୍ତୁ ଗେଟ ନିର୍ମାଣ ପାଇଁ ଜାଗା ଛଡ଼ାଯାଇ ଗେଟ ନିର୍ମାଣ କରାଗଲା ନାହିଁ l ଯାହାର ଫଳ ସ୍ୱରୂପ ଶାଳିଆ ନଦୀରେ ଆସୁଥିବା ଜଳ ଉପରନଦୀରେ ନଯାଇ ଗେଟ ରାସ୍ତା ଦେଇ ତଳକୁ ପ୍ରବାହିତ ହେଉଛି l ବର୍ଷା ଦିନେ ଅଧିକ ଜଳ ଆସୁଥିବାରୁ ଚାଷୀ ମାନଙ୍କର କିଛି ଅସୁବିଧା ଦୂର ହୋଇଯାଉଥିବା ବେଳେ ଖରାଦିନେ ଚାଷୀମାନେ ଫସଲକୁ ରକ୍ଷା କରିବାକୁ ଦୀର୍ଘ 30ବର୍ଷ ଧରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି l ଫସଲକୁ ଜଳ ଅଭାବରୁ ରକ୍ଷା କରିବାକୁ ଉକ୍ତ ଗେଟରେ ହାତରୁ ଟଙ୍କା ଖର୍ଚ୍ଚ କରି ବନ୍ଧ ପକାଇ ତଳକୁ ପାଣି ନେଇଥାନ୍ତି l ବନ୍ଧ ପକାଇବା ଓ ଖୋଲିବା ସମୟରେ ଦୁର୍ଘଟଣା ଘଟିବା ମଧ୍ୟ ନଜରକୁ ଆସିଛି l ଖରାଦିନେ କୂଅ ପୋଖରୀରୁ ଜଳ ଶୁଖିଗଲେ ଏହି ନଦୀର ଜଳ ଉପରେ ଗାଧୋଇବା ପାଇଁ ଉପରୋକ୍ତ ଗ୍ରାମବାସୀମାନେ ନିର୍ଭର କରିଥାନ୍ତି l ବର୍ତମାନ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ଶାଳିଆ ଜଳସେଚନ ବିଭାଗ ନଦୀରେ ସୁରକ୍ଷା ପ୍ରାଚୀର ନିର୍ମାଣ କରୁଥିଲେ ସୁଦ୍ଧା ଉକ୍ତ ବନ୍ଧ ଉପରେ ନଜର ନ ପଡିବା ସାଧାରଣରେ ସଳସେଚନ ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ଉପରୋକ୍ତ ଗ୍ରାମ ଗୁଡିକର ଚାଷୀମାନେ ଏ ସମ୍ପର୍କରେ ଜଳସେଚନ ବିଭାଗର ଅଧିକାରୀ ମାନଙ୍କୁ ବାରମ୍ବାର ଅବଗତ କଲେ ମଧ୍ୟ ବିଭାଗ କର୍ଣ୍ଣପାତ କରୁନାହିଁ l ତେଣୁ ଯଥାଶୀଘ୍ର ଗୁରେଇବନ୍ଧ ଉପରେ ଚାବି ଘର ନିର୍ମାଣ କରାଯିବାକୁ ସାଧାରଣରେ ଜୋରଦାର ଦାବି କରାଯାଇଛି l ନଚେତ ଆଗାମୀଦିନରେ ଏ ଅଂଚଳର ଚାଷୀମାନେ ବିରାଟ ଆନ୍ଦୋଳନ କରିବାର ସଂକେତ ମିଳୁଛି l

Leave a Reply

Your email address will not be published. Required fields are marked *