ରାଜନୀତି

ବିଜେଡି ଧନୀ କିନ୍ତୁ ଓଡ଼ିଆ ପୁଅ ଦାଦନ: ବିଜେପି

ଭୁବନେଶ୍ବର : ଓଡ଼ିଶା ଧନୀ, ବିଜେଡି ବି ଧନୀ, କିନ୍ତୁ ଓଡ଼ିଆ ପୁଅ ଦାଦନ! ଓଡ଼ିଆ ପୁଅ ଅନ୍ୟ ରାଜ୍ୟକୁ ଯାଇ ଦାଦନ ଖଟୁଛନ୍ତି, କିନ୍ତୁ ମୁଖ୍ୟମନ୍ତ୍ରୀ ଜାପାନ ଯାଇ ସୋସିଆଲ ମିଡିଆରେ ‘ରିଲ୍’ ବନାଉଛନ୍ତି। ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା ଥିବା ସତ୍ତ୍ବେ ଓଡ଼ିଶାର ଲୋକଙ୍କୁ କାମ ଦେଉନଥିବାରୁ ସେମାନେ ବାହାର ରାଜ୍ୟକୁ ‘ରୋଜଗାର ପାଇଁ ଯାଉଛନ୍ତି, ଶବ ହୋଇ ଫେରୁଛନ୍ତି’। ଏଦୃଶ୍ୟ କ’ଣ ବିଜେଡିର ମୁଖିଆଙ୍କୁ ଦେଖାଯାଉନାହିଁ? ବିଜେଡି ସରକାରର ୨୩ ବର୍ଷର ଅପାରଗତା ହେଉଛି ‘ଦାଦନ ସମସ୍ୟା’। ଏହା ହେଉଛି ବିଜେଡି ସରକାରରେ ‘ଆମ ଗଣତନ୍ତ୍ରର’ ବ୍ୟବସ୍ଥା ବୋଲି ଅଭିଯୋଗ କରିଛନ୍ତି ବିଜେପି ସାଧାରଣ ସଂପାଦକ ଲେଖାଶ୍ରୀ ସାମନ୍ତସିଂହାର।

ରବିବାର ଦିନ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିବା ଓଡ଼ିଆ ଲୋକ ନିଜ ସ୍ତ୍ରୀର ଶବକୁ କାନ୍ଧରେ ବୋହି ବୋହି ନିଜ ଗାଁ ଆଣିବାର ହୃଦୟ ବିଦାରକ ଦୃଶ୍ୟ ଅତ୍ୟନ୍ତ ଭୟଙ୍କର ଥିଲା। ସେହିପରି ବେଙ୍ଗାଲୁରରୁ ୩ ଜଣ ଦାଦନ ପ୍ରାୟ ୧୫୦୦ କିଲୋମିଟର ଚାଲି ଚାଲି ନିଜ ଗାଁ ଓଡ଼ିଶାକୁ ଫେରିଲେ। ଏହି ଖବର ଦେଶ ତଥା ବିଦେଶରେ ପ୍ରଚାର ହେବା ପରେ ଦାଦନଙ୍କ ଘରକୁ ଯାଇ ଟଙ୍କା ଦେଇ ଘଟଣାକୁ ଚାପିଦେବାର ପ୍ରଲୋଭନ ଦିଆଯାଇଥିବାର ଖବର ମଧ୍ୟ ସାମ୍ନାକୁ ଆସିଛି। ଯିଏ ଶାସନରେ ଅଛନ୍ତି, ସେ ଦେଢ଼ ମିଟର ଚାଲିପାରୁନାହାନ୍ତି ଅଥଚ ଦାଦନଙ୍କ ଦେଢ ହଜାର କିଲୋମିଟର ଚାଲିବାକୁ କହୁଛନ୍ତି।

ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟର ଶ୍ରମମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରୁ ଅଧିକ ଲୋକ ଦାଦନ ଖଟିବାକୁ ଯାଉଛନ୍ତି। ଏହି ସଂଖ୍ୟା ୫ଲକ୍ଷରୁ ଅଧିକ ହେବ। ମୁଖ୍ୟମନ୍ତ୍ରୀ ୨୩ବର୍ଷ ଶାସନରେ ରହି ବି ନିଜ ଅଞ୍ଚଳରେ ଶିଳ୍ପାଞ୍ଚଳ କିମ୍ବା ରୋଜଗାର ପାଇଁ କୌଣସି ବ୍ୟବସ୍ଥା କରିନାହାନ୍ତି। କେଉଁ ରାଜ୍ୟରେ କେତେ ଓଡ଼ିଆ ଦାଦନ ଖଟୁଛନ୍ତି, ତା’ର ଏକ ଶ୍ୱେତପତ୍ର ରାଜ୍ୟ ସରକାର ଜାରି କରନ୍ତୁ ବୋଲି ବିଜେପି ଦାବି କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ତେଜେଶ୍ୱର ପରିଡ଼ା, ଗଣମାଧ୍ୟମ ସହମୁଖ୍ୟ ସୁଜିତ ଦାସ ଏବଂ କୃଷକ ମୋର୍ଚ୍ଚା ଉପସଭାପତି ଶ୍ରୀରଞ୍ଜନ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *