ରାଜ୍ୟ

ଆଣ୍ଠେଇଛି ମାଳ ମାଳ ପ୍ରକଳ୍ପ

ରାଉରକେଲା: ବିରୋଧୀଙ୍କ ନୀରବତାରୁ ସହରର ମାଳ ମାଳ କେନ୍ଦ୍ର ଓ ରାଜ୍ୟ ପ୍ରକଳ୍ପ ଆଣ୍ଠେଇଛି। କେଉଁଠ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ କାମ ଆଗଉନି। ଅନ୍ୟ କେଉଁଠି ଟଙ୍କା ପଡିଥିଲେ ପ୍ରକଳ୍ପର ନାଁ ଗନ୍ଧ ନାହିଁ। ପ୍ରଶାସନିକ ଅଧିକାରୀ, ବିଭାଗର ଅବହେଳାକୁ ଦାୟୀ କରି ଉଭୟ ବିଜେପି ଓ କଂଗ୍ରେସ ପ୍ରତିବାଦର ସ୍ବର ଉଠାଉଛନ୍ତି। ମାତ୍ର ଏମାନଙ୍କ ବିରୋଧର ସ୍ବର ପ୍ରଭାବଶୂନ୍ୟ ରହିଛି। ଯାହାର ଫାଇଦା ଉଠାଉଛନ୍ତି ଉଭୟ ବିଭାଗୀୟ ଅଧିକାରୀ ଓ କାମ ନେଇଥିବା ଠିକା ସଂସ୍ଥା। କାହିଁକି ଆଗଉ ନାହିଁ, ଥରୁଟିଏ ଉଭୟ ବିଜେଡି କିମ୍ବା ବିଜେପି ମୁହଁ ଖୋଲୁ ନାହାନ୍ତି। ଯାହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୩୪୦ କୋଟିର ସ୍ବରେଜ ପ୍ରକଳ୍ପ ଦୁଇ ବର୍ଷରେ ସରିବା କଥା। ବିତିଗଲାଣି ୪ ବର୍ଷ। ତଥାପି ୨୫% କାମ ବାକି ଅଛି। ପ୍ରାୟ ୨୮ ହଜାର ଘରକୁ ପାଇପ୍‌ ସଂଯୋଗ କରିବାକୁ ଟାର୍ଗେଟ ରହିଛି। କିନ୍ତୁ ଆଜି ପର୍ଯ୍ୟନ୍ତ ମାତ୍ର ସିଭିଲଟାଉନସିପ୍‌ର ୪୦୦ରୁ ୫୦୦ ଘରକୁ ସଂଯୋଗ ହୋଇପାରିଛି। ଏଥିରୁ ଏହି ପ୍ରକଳ୍ପ କେତେଦୂର ସହରବାସୀଙ୍କ କାମରେ ଲାଗୁଛି, ତାହା ବି ସନ୍ଦେହ।ଜିଲ୍ଲାର ଅର୍ଥନୈତିକ ବିକାଶରେ ବାଧକ ସାଜିଛି ୬ଟି ରେଳ ଲାଇନ ସଂଯୋଗକରଣ କାମ। ରେଳ ବୋର୍ଡ ପକ୍ଷରୁ ଏ ବାବଦରେ କୋଟି କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଜମି ଅଧିଗ୍ରହଣ ସମସ୍ୟା ଓ ଇଚ୍ଛାଶକ୍ତି ଅଭାବରୁ ଏସବୁ କେବଳ ସର୍ଭେରେ ଅଟକିଛି। ରକ୍ସି-ବାଂଶପାଣି ଭାୟା କୋଇଡା (୫୭.୫ କି.ମି.) ପାଇଁ ୧୭୪୬.୨୯ କୋଟି, କିରିବୁରୁ- ବଡ଼ବିଲ (୨୪.୨ କି.ମି.) ୭୦୫.୧୭ କୋଟି, କଲୁଙ୍ଗା- ଲାଠିକଟା ( ପ୍ରାୟ ୧୫ କି.ମି. ) ପାଇଁ ୧୫୦ କ‌ୋଟି ବ୍ୟୟ ବରାଦ ହୋଇଛି ଅନେକ ଆଗରୁ। ଗତ ୨୦୧୮ ମେ’ ୩ରେ କୋଇଡା- ବଡ଼ବିଲ୍‌ ଲାଇନ ସର୍ଭେ କରି ରେଲୱେ ବୋର୍ଡକୁ ପ୍ରସ୍ତାବ ଦିଆଯାଇଥିଲା। ସେମିତି ଝାରସୁଗୁଡା-ଅମ୍ବିକାପୁର, କିରିବୁରୁ-ଗୋଆ ରେଳ ଲାଇନ ପାଇଁ ମଧ୍ୟ ସର୍ଭେ ହୋଇଥିଲା। ମୋଟାମୋଟି ଭାବେ ୨୦୨୩-୨୪ ସୁଦ୍ଧା ଏସବୁ ରେଳ ଲାଇନ କାମ ଶେଷ ହୋଇ ପାରିବା କଥା। କିନ୍ତୁ ସେଦିଗରେ ଆନ୍ତରିକତା ଦେଖିବାକୁ ମିଳୁନାହିଁ।

ଅନୂରୂପ ଭାବେ ବହୁ ଦିନର ଦାବି ତାଳଚେର- ବିମଳାଗଡ ରେଳ ଲାଇନ କାମ ମଧ୍ୟ କଚ୍ଛପ ଗତିରେ ଚାଲିଛି। ସୁନ୍ଦରଗଡ ଜିଲ୍ଲାରେ ରାଜ୍ୟର ଷ୍ଟିଲ ହବ୍‌ ହେବାକୁ ଯାଉଛି। ବନ୍ଦ ପଡିଥିବା ଖଣିଗୁଡ଼ିକ ନିଲାମ ହୋଇ ପୁଣି ସେଠାରୁ ଲୌହ ପଥର ଉତ୍ତୋଳନ ଆରମ୍ଭ ହେବ। ଏସବୁ ଦୃଷ୍ଟିକୋଣରୁ ଏହି ୬ଟି ରେଳ ପ୍ରକଳ୍ପ ଶେଷ ହେବା ନିହାତି ଆବଶ୍ୟକ। ଲାଠିକଟା- କଲୁଙ୍ଗା ଷ୍ଟେସନ ପାଖରେ କୌଣସି ସ୍ଥାନରେ ରେଲୱେ ସାଇଡିଂ ନିର୍ମାଣ କରାଗଲେ ସ୍ମାର୍ଟ ସିଟି ରାଉରକେଲାର ଟ୍ରାଫିକ ସମସ୍ୟା ଅନେକାଂଶରେ ଦୂର ହୋଇପାରନ୍ତା। ରେଳ ବିଭାଗ ଜିଲ୍ଲାରୁ ଆହୁରି କୋଟି କୋଟି ଟଙ୍କା ଅଧିକ ରାଜସ୍ବ ପାଇପାରନ୍ତା। ଜିଲ୍ଲା ପ୍ରମୁଖ ସମସ୍ୟା ପ୍ରତି ରାଜନୈତିକ ଦଳ ଓ ସଙ୍ଗଠଗୁଡ଼ିକ ପକ୍ଷରୁ ଗୁରୁତ୍ବ ଦିଆଯାଉ ନାହିଁ।

ପାନପୋଷ ବାଲୁଘାଟ ହୋଲସେଲ୍‌ କୃଷକ ବଜାର ଅଧପନ୍ତରିଆ ପାଚେରୀରେ ସୀମିତି। ପ୍ରଥମ ପର୍ଯ୍ୟାୟରେ ୯୨ କୋଟି ଟଙ୍କା ମଞ୍ଜୁରି ହୋଇଥିଲା। ଟଙ୍କା ପଡିଛି କିନ୍ତୁ କାମ ଆଗଉନି। ସେମିତି ସେକ୍ଟର-୨୦ ହମିରପୁରସ୍ଥ କୋଏଲ ବ୍ୟାରେଜ୍। ଗତ ୨୦୧୩ରେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ। ୩୧୩ କୋଟି ୧୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଠିକା ସଂସ୍ଥା ସର୍ଭେ କାମ ସାରି ଚୁପ୍‌ ବସିଛି। କେବେ କାମ ଆରମ୍ଭ ହେବ ବିଭାଗୀୟ ଅଧିକାରୀଙ୍କ ପାଖରେ ଉତ୍ତର ନାହିଁ। ବେଲ୍‌ଡିହିର ୧୨ରେ ଜାଗାରେ ପ୍ରାୟ ୩୦୦ କୋଟିରେ ନିର୍ମାଣ ହେବାକୁ ଥିବା ଟ୍ରାନ୍ସପୋର୍ଟ ନଗରରେ ମଧ୍ୟ ସେହି ସମାନ ସ୍ଥିତି। ପୂର୍ବତନ ପରିବହନ ମନ୍ତ୍ରୀ ଜାଗା ଚିହ୍ନଟ କରି ନିର୍ମାଣ କାମ ଆଗେଇ ନେବାକୁ ବିଭାଗୀୟ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଇଟା ଖଣ୍ଡିଏ ମଧ୍ୟ ପଡିପାରିଲା ନାହିଁ। ମେଗା ପାନୀୟ ପ୍ରକଳ୍ପ ସ୍ଥିତି ଆହୁରି ସାଂଘାତିକ। ୩ ବର୍ଷ ମଧ୍ୟରେ ମାତ୍ର ୫୦% କାମ ସରିଛି।

ବେଦବ୍ୟାସ ତ୍ରିବେଣୀ ସଙ୍ଗମରେ ବହୁ ପ୍ରତୀକ୍ଷିତ ଝୁଲାପୋଲ କାମ ରାଜ୍ୟ ସରକାରଙ୍କ ଅନୁମତିରେ ଅଟକିଛି। ବ୍ୟୟ ଅଟକଳ ଥିଲା ୨୫ କୋଟି। କେନ୍ଦ୍ର ସରକାର ମଞ୍ଚୁର କରିଥିବା ୧୨ କୋଟି ଟଙ୍କା ପଡିଛି। କାମ ଆରମ୍ଭ ହେଉ ନଥିବାରୁ ପୂର୍ବତନ କେନ୍ଦମନ୍ତ୍ରୀ ଦିଲୀପ ରାୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଏଠି ମଧ୍ୟ ସେହି ସମାନ ସ୍ଥିତି ଉପୁଜିଛି। ଯେ ପର୍ଯ୍ୟନ୍ତ ବିରୋଧୀ ଦଳ ଭାବେ ଉଭୟ କଂଗ୍ରେସ ଓ ବିଜେପିର ଭୂମିକା ଏମିତି ରହିବ, ସହରବାସୀଙ୍କ ବର୍ଷ ବର୍ଷ ଧରି ଏମିତି ଦହଗଞ୍ଜ ହେଉଥିବେ।

Leave a Reply

Your email address will not be published. Required fields are marked *