ଧର୍ମ

ମା ମଙ୍ଗଳା ଙ୍କ ଅନନ୍ୟ ଝାମୁଯାତ୍ରା

ରାଜ୍ୟର ବିଭିନ୍ନ ଦେବଦେବୀ ପୀଠଏବଂ ଗାଁ ଠାକୁରାଣୀଙ୍କ ନିକଟରେ ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ଦିନ ପାରମ୍ପରିକ ପ୍ରଥାନୁସାରେ ଝାମୁଯାତ୍ରାଅନୁଷ୍ଠିତ ହୋଇଆସୁଛି । କିନ୍ତୁରାଜ୍ୟ ର ଅଷ୍ଟଚଣ୍ଡୀ ଙ୍କ ମଧ୍ୟରେ
ସ୍ଥାନ ପାଇଥିବା କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କ ମନ୍ଦିରରେ ଏକମାତ୍ର ଚୈତ୍ରମାସର ପଞ୍ଚମ ମଙ୍ଗଳବାର ଅବା ବୈଶାଖ ମାସର ପ୍ରଥମ ମଙ୍ଗଳବାର ରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଥାଏ।ଏଥିପାଇଁ ମା’ ମଙ୍ଗଳାଙ୍କ ଝାମୁଯାତ୍ରା ଅନନ୍ୟ ଓ ପ୍ରସିଦ୍ଧ ଅଟେ। ମଙ୍ଗଳବାର ଦିନ ଅନୁଷ୍ଠିତ ହେଉଛି ଏହି ଅନନ୍ୟ ଝାମୁଯାତ୍ରା।ମା ମଙ୍ଗଳା ଙ୍କୁ ଆଦ୍ୟାଶକ୍ତି, ଯୋଗମାୟାଭାବେ ବିବେଚନା କରାଯାଉଥିବାବେଳେ ସେ ହିଁ ଦୁର୍ଗା, ସେ ହିଁ କାଳୀ ବୋଲି ବିଭିନ୍ନ ପୁରାଣରେ ବର୍ଣ୍ଣିତ ହୋଇଛି । ଏଥିପାଇଁ ଝାମୁଯାତ୍ରାରତୃତୀୟ,ଚତୁର୍ଥ ଓ ପଞ୍ଚମ ମଙ୍ଗଳବାର ବିଳମ୍ବିତ ରାତିରେ ଅନୁଷ୍ଠିତ ହୋଇଥାଏ କାଳିକା ନୃତ୍ୟ । ଯାହା ମା ମଙ୍ଗଳା ଙ୍କ ମନ୍ଦିର ର ଆଉ ଏକ ଅନନ୍ୟ ପରମ୍ପରା ।ଏଥିପାଇଁ ମା ମଙ୍ଗଳାଙ୍କ ଜଣେ ଖମାରେଇ ସେବକ ଦୋଳପୂର୍ଣ୍ଣିମାଠାରୁ ଶୁଦ୍ଧପୂତ ଭାବେ ହବିଷାନ୍ନ ଭୋଜନ କରି ନିଷ୍ଠାରେ ରହିଥାନ୍ତି l ମଙ୍ଗଳବାର ବିଳମ୍ବିତ ରାତ୍ରିରେ ନିଜକୁ କାଳି ବେଶରେ ସଜ୍ଜିତ କରି ମନ୍ଦିରକୁ ଯାଇ ମା’ଙ୍କୁ ସ୍ତୃତି କରିବାପରେ ପୂଜାପଣ୍ଡା ତାଙ୍କୁ ମା’ଙ୍କଠାରେ ପୂର୍ବରୁ ଲାଗି ହୋଇଥିବା ଖଡ୍ଗ (ଖଣ୍ଡା)ଏବଂ ଲାଗିମାଳ ଦେଇ ଥାନ୍ତି l ଏହାପରେ ସେବକ ଜଣକ କାଳିକା ନୃତ୍ୟ ପ୍ରଦର୍ଶନ କରିଥାନ୍ତି। ମନ୍ଦିର ବେଢା ଓ ସେବକ ସାହି ଦାଣ୍ଡରେ କାଳିକା ନୃତ୍ୟ ଅନୁଷ୍ଠିତ ହୋଇଥାଏ। ଏହି ନୃତ୍ୟ ମଙ୍ଗଳାଙ୍କ ଝାମୁଯାତ୍ରାର ଅନ୍ୟ ଏକ ଆକର୍ଷଣ ବୋଲି କହିଛନ୍ତି ପୂଜକ କମଳ ଲୋଚନ ଦୀକ୍ଷିତ। ପ୍ରାଚୀ ଉପତ୍ୟକା ରେ ଥିବା ବିଭିନ୍ନ ବ୍ରାହ୍ମଣ ଶାସନ ଓ ଶ୍ରଦ୍ଧାଳୁ ପରିବାର ଙ୍କ ପକ୍ଷରୁ ଗାଁ ଓ ପରିବାର ର ମଙ୍ଗଳ କାମନା କରି ନିଜ ସେବକ ମାନଙ୍କ ସହାୟତାରେ ମା’ଙ୍କ ନିକଟରେ ଚୁଡ଼ାଘଷା, ଦହି ଭୋଗ ଲାଗି କରିଥାନ୍ତି। ଏହି ପ୍ରସାଦକୁ ପରିବାରର ସଦସ୍ୟମାନେ ମନ୍ଦିର ବେଢାରେ ଏକତ୍ର ବସି ଖାଇଥାନ୍ତି । ଅପରପକ୍ଷେ କେତେଜଣ ଶ୍ରଦ୍ଧାଳୁ ମନସ୍କାମନା ପୂରଣ ହେବା ପରେ ଯାଚନା କରିଥିବା ଛାଗ,ମେଣ୍ଢା ବୋଦାକୁ ଧରି କାକଟପୁରରେ ପହଞ୍ଚିମା’ଙ୍କୁ ସମର୍ପଣ କରିଥାନ୍ତି। ଏହା ପରେ ବୋଦା ମାନଙ୍କୁ ପ୍ରାଚୀ ନଦୀକୂଳ ରେ ପୂଜା ପାଉଥିବା ଦକ୍ଷିଣଚଣ୍ଡୀ ଙ୍କ ନିକଟରେ ବଳି ପକାଇ ସେଠାରେ ପରିବାର,ବନ୍ଧୁବାନ୍ଧବ, ଅତିଥିଙ୍କ ସହ ମିଶି
ମାଂସ ଭୋଜି କରିଥାନ୍ତି ଏଥିପାଇଁ ପ୍ରାଚୀ ନଦୀକୂଳ ଲୋକାରଣ୍ୟ
ହୋଇପଡ଼େ।ଜଗତଜନନୀ ମଙ୍ଗଳମୟୀ ମା’ମଙ୍ଗଳାଙ୍କକୃପା ମିଳିଲେ ନିଜର ପରିବାରର ମଙ୍ଗଳ ହୋଇଥାଏ । ମା’ଙ୍କ କୃପା ପାଇବାକୁ କିଏ କେତେ ପ୍ରକାର ବିଧି ପାଳନ କରୁଥିବା ଦେଖିବାକୁ ମିଳେ ।ସଧବା ମହିଳାମାନେ ମନ୍ଦିର ର ଉତ୍ତରପାର୍ଶ୍ୱ ବେଢା ମଧ୍ୟସ୍ଥ ପନ୍ଥେଇ ରେ ହଳଦୀ ପାଣି ଢାଳି , ସିନ୍ଦୂରଲଗାଇ, ଫୁଲ ଚଢାଇ ମଙ୍ଗଳ କାମନା ଭିକ୍ଷା କରୁଥିବାବେଳେ ଆଉ କେତେଜଣ ମହିଳା ନୂଆଚାଉଳ, ବିରିକୁ ବେଢାରେ ବିଞ୍ଚି ଜାମୁଡାଳରେ ଓଳାଇଥାନ୍ତି। ଏହା କଲେ ପରିବାର ପ୍ରତି ଥିବା ଗ୍ରହରିଷ୍ଟ ମା’ମଙ୍ଗଳା ଦୂର କରିଥାନ୍ତି ବୋଲି ବିଶ୍ଵାସ ରହିଛି । ଏପରି କି କେତେଜଣ ଶ୍ରଦ୍ଧାଳୁ ମନ୍ଦିର ଚୁଡ଼ାରୁ ନେତୋତ୍ସବ ରେ ଖୋଲା ଯାଇଥିବା ପୁରୁଣା ନେତ (ପତାକା)ରୁ ଖଣ୍ଡେସାଙ୍ଗରେ ନିଅନ୍ତି। ଏହାକୁ ଘରେ ରଖିଲେ ଗୃହ ନିର୍ମାଣ, ବିବାହ ଆଦି ମଙ୍ଗଳ କାର୍ଯ୍ୟ ନିର୍ବିଘ୍ନରେ ଶେଷ ହୋଇଥାଏ ବୋଲି ଜନଶ୍ରୁତି ରହିଛି । ପୁଣି କେହି ନିଜ ପରିବାର ର ଶୁଭମନାସୀ ଘଣ୍ଟ ପାଟୁଆଙ୍କ ଘଟରୁ ନୃତ୍ୟ ସମୟରେ ଝରୁଥିବା ଫୁଲକୁ ଆଗ୍ରହର ସହ ନେଇଥାନ୍ତି l
ସବୁ ଦୃଷ୍ଟିରୁ ଦେଖିବାକୁ ଗଲେ ପ୍ରସିଦ୍ଧି ଲାଭ କରିଥିବା ମା’ମଙ୍ଗଳା ଙ୍କ ଝାମୁଯାତ୍ରା ଭକ୍ତି ଓ ବିଶ୍ୱାସର ଏକ ନିଆରା ପରମ୍ପରା lଚୈତ୍ରର ପ୍ରଥମ ମଙ୍ଗଳବାର ମନ୍ଦିରରେ ପାଳିତ ହୋଇଥାଏ ନେତୋତ୍ସବ। ମନ୍ଦିର ଚୂଡାରେ ଥିବା ଚକ୍ରକୁ ମା’ଙ୍କ ସେବକମାନେ ଶୁଦ୍ଧପୁତ ଜଳରେ ସ୍ନାନ କରାଇବା ସହିତ ମହୁ, ଚୁଆ କ୍ଷୀରରେମାର୍ଜଣା କରିଥାନ୍ତି। ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦତ୍ତ ନୂଆ ନେତ (ପତାକା)କୁ ପୂଜାପଣ୍ଡା ମା’ଙ୍କୁ ଲାଗି କରିବା ସହ ପୂଜାର୍ଚ୍ଚନା କରିଥାନ୍ତି । ପୂଜା ପାଇଥିବା ନେତକୁ ଏକ ସୁସଜ୍ଜିତ ଥାଳିରେଧରି ୩ଥର ପଟୁଆରରେ ବେଢା ପରିକ୍ରମା ପରେ ନେତକୁ ମନ୍ଦିର ଚୂଡ଼ାକୁ ଉଠା ଯାଇଥାଏ ।ମନ୍ଦିର ଚକ୍ରକୁ ସ୍ନାନ,ମାର୍ଜଣା ଓ ପୂଜାର୍ଚନା ପରେ ପୂର୍ବରୁ ସେଥିରେ ବନ୍ଧାଯାଇଥିବା ନେତକୁ ଖୋଲାଯାଇ ନୂତନ ନେତ ବନ୍ଧାଯାଇଥାଏ l ଏହାକୁ ନେତୋତ୍ସବ କୁହାଯାଏ l ନିକଟସ୍ଥ ଗାଁ ଗୁଡ଼ିକରୁ ଯାଦବମାନେ ନିଜ ନିଜର ଚିରଟ ମାନ ଧରି ସଂଘବଦ୍ଧ ହୋଇ ଓଗାଳ
ଗାଇ,ଲଉଡ଼ିଖେଳିଏହି ନେତୋତ୍ସବ ରେ ଅଂଶଗ୍ରହଣ କରିଥାନ୍ତି। ନେତୋତ୍ସବରୁ ମା’ ମଙ୍ଗଳଙ୍କ ମନ୍ଦିରର ଆରମ୍ଭ ହୋଇଥାଏ ଏକମାସ ବ୍ୟାପୀ ଖମୁଯାତ୍ରା । ମନ୍ଦିରଚତୁଃପାର୍ଶ୍ୱ ଓ ମନ୍ଦିର ରାସ୍ତାରେ ରେ ଏକ ମାସ ଧରି ମେଳା ବସିଥାଏ। ପଞ୍ଚମ ମଙ୍ଗଳବାର ଅନୁଷ୍ଠିତ ହୁଏ ଝାମୁ ଉତ୍ସବ। ମନ୍ଦିର ସମ୍ମୁଖରେ ଥିବା ପ୍ରାୟ ୩ ଫୁଟ ଓସାର ୨ ପୁଟ ଗଭୀର ଓ ୧୦ଫୁଟ ଲମ୍ବର ଏକ ଗର୍ତ୍ତକୁ ରଡ଼ ନିଆଁରେ ପୂର୍ଣ୍ଣ କରାଯାଇଥାଏ।
ଜଗତସିଂହପୁର ଅଞ୍ଚଳର ରାଉଳ ପାଟୁଆ ଏବଂ ସ୍ଥାନୀୟ ଅଞ୍ଚଳର ଭୋଇ ପାଟୁଆ ମାନେ ବିରାଟପଟୁଆର ରେ ମନ୍ଦିରରୁ ବାହାରି ପ୍ରାଚୀନଦୀ ର ଘଣ୍ଟତୋଳା ତୁଠକୁ ଯାଇଥାନ୍ତି । ସେଠାରେ ଘଟସ୍ଥାପନା, ପାଣିତୋଳା କାର୍ଯ୍ୟ ସାରି ପୁନର୍ବାର ପଟୁଆରରେ ମନ୍ଦିରକୁ ଫେରି ମା’ଙ୍କୁ
ସ୍ମୃତି କରିଥାନ୍ତି ।ମା’ଙ୍କ ଠାରୁ ପୂଜା ପଣ୍ଡା ଆଜ୍ଞାମାଳ ପ୍ରଦାନ କରିବା ପରେ ଏମାନେ ଏକତ୍ର ରଡ଼ ନିଆଁପୂର୍ଣ୍ଣ ଗର୍ତ୍ତରେ ଘଟଧରି ଖାଲି ପାଦରେ ଚାଲିଥାନ୍ତି। ଏହାକୁ ହିଁ କୁହାଯାଏ ଝାମୁ ଚାଲିବା। ଝାମୁ ଚାଲିବା ପରେ ପଟୁଆମାନେ ମନ୍ଦିର ସମ୍ମୁଖରେ ଏବଂ ବେଢା ମଧ୍ୟରେ ପଟୁଆ ନୃତ୍ୟ
ପରିବେଷଣ କରିଥାନ୍ତି। ଏହାପରେ ଆନୁଷ୍ଠିନିକ ଭାବେ ଶେଷ ହୋଇଥାଏ ଝାମୁଯାତ୍ରା ।ମା’ ମଙ୍ଗଳା ଙ୍କ ଝାମୁଯାତ୍ରାରେ ପାଟୁଆଙ୍କ ଭୁମିକା
କାହିଁ କେଉଁକାଳରୁ ଗୁରୁତ୍ୱବହନ କରିଆସିଛି। ଏହିନୃତ୍ୟର ସ୍ଵତନ୍ତ୍ରତା ମଧ୍ୟ ରହିଛି । ପ୍ରତ୍ୟେକ ମଙ୍ଗଳବାରପାଟୁଆମାନେ ମୁଣ୍ଡରେ ଦଣ୍ଡ ଧାରଣ କରି, ଗୋଡରେ କାଠଗୋଡ ଲଗାଇ, ନିଜେ ଘଣ୍ଟବଜାଇ ଭାରସମ୍ୟ ରକ୍ଷାକରି ବିଭିନ୍ନ ଶୈଳୀରେ ପାଟୁଆ ନୃତ୍ୟ ପ୍ରଦର୍ଶନ କରିଥାନ୍ତି ।ଏହା ମନ୍ଦିର ପରିବେଶରେ ଏକ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରିବାସହିତ ମାତୃଭକ୍ତ ଙ୍କୁ ଆମୋଦିତ, ଆହ୍ଲାଦିତ କରିଥାଏ । ପାଞ୍ଚମଙ୍ଗଳବାର ମନ୍ଦିରରେ ପାଟୁଆ ନୃତ୍ୟ ପରିବେଷିତ ହୋଇଥାଏ । ମା ମଙ୍ଗଳା ଙ୍କ ଆବିର୍ଭାବ ଦିବସ କୁ ଝାମୁଯାତ୍ରା ଭାବେ ପାଳନ କରାଯାଇଆସୁଛି କାହିଁ କେତେ କାଳରୁ। ମା ମଙ୍ଗଳା ଙ୍କ ପ୍ରସିଦ୍ଧ ଓ ଅନନ୍ୟ ଝାମୁଯାତ୍ରା ପାଇଁ ସମଗ୍ର କାକଟପୁର ଅଞ୍ଚଳ ଉତ୍ସବ ମୁଖର ହୋଇ ଉଠିଛି।
ଜୟ ମା ମଙ୍ଗଳା।
ସନ୍ତୋଷ ଦାଶ।୯୪୩୯୩୬୧୮୮୮।

Leave a Reply

Your email address will not be published. Required fields are marked *