ରାଜନୀତି

ଆପକୁ ମିଳିଲା ଜାତୀୟ ଦଳ ମାନ୍ୟତା

ନୂଆଦିଲ୍ଲୀ: ଆପକୁ ମିଳିଲା ଜାତୀୟ ଦଳ ମାନ୍ୟତା। ଆଜି ନିର୍ବାଚନ ଆୟୋଗ ଏହି ନିଷ୍ପତ୍ତି ନେଇଛନ୍ତି। ଆପକୁ ଜାତୀୟ ଦଳ ମାନ୍ୟତା ଦେଇ ଏନସିପି, ଟିଏମସି ଓ ସିପିଆଇ ଭଳି ଦଳଠାରୁ ନିର୍ବାଚନ ଆୟୋଗ ଜାତୀୟ ଦଳ ମାନ୍ୟତା ପ୍ରତ୍ୟାହାର କରି ନେଇଥିବା ଜଣାପଡ଼ିଛି।ଏହା ବ୍ୟତୀତ ନିର୍ବାଚନ ଆୟୋଗ ଆଞ୍ଚଳିକ ଦଳ ଭାରତ ରାଷ୍ଟ୍ର ସମିତି (ବିଆରଏସ) ଏବଂ ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି)ଠାରୁ ଆଞ୍ଚଳିକ ଦଳର ମାନ୍ୟତା ପ୍ରତ୍ୟାହାର କରି ନେଇଛନ୍ତି।

ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ଏହି ଦଳମାନଙ୍କୁ ଜାତୀୟ ଦଳର ମାନ୍ୟତା ଦିଆଯାଇଥିଲା, କିନ୍ତୁ ଏହି ଦଳଗୁଡିକ ନିର୍ବାଚନରେ ଭଲ ପ୍ରଦର୍ଶନ କରିପାରିଲେ ନାହିଁ। ତେଣୁ ଏହି ମାନ୍ୟତା ପ୍ରତ୍ୟାହାର କରି ନିଆଯାଇଛି। ସେମାନଙ୍କୁ ୨ଟି ବିଧାନସଭା ନିର୍ବାଚନ ଏବଂ ୨୧ଟି ରାଜ୍ୟସଭା ନିର୍ବାଚନରେ ପର୍ଯ୍ୟାପ୍ତ ସୁଯୋଗ ଦିଆଯାଇଥିଲା। ଏବେ ଦଳର ପ୍ରଦର୍ଶନ ସମୀକ୍ଷା କରାଯାଇ ଜାତୀୟ ଦଳର ମାନ୍ୟତା ପ୍ରତ୍ୟାହାର କରାଯାଇଛି। ତେବେ ପରବର୍ତ୍ତୀ ନିର୍ବାଚନରେ ପ୍ରଦର୍ଶନ ଭଲ ରହିଲେ ଏହି ଦଳଗୁଡିକ ଜାତୀୟ ଦଳ ହେବାର ମାନ୍ୟତା ପାଇପାରିବେ।

ଅନ୍ୟପକ୍ଷରେ ନାଗାଲାଣ୍ଡରେ ଲୋକ ଜନଶକ୍ତି ପାର୍ଟି (ରାମ ବିଲାସ), ମେଘାଳୟର ଭଏସ୍ ଅଫ୍ ପିପୁଲ୍ ପାର୍ଟୀ ଏବଂ ତ୍ରିପୁରାର ଟିପ୍ରା ମୋଥାକୁ ରାଜ୍ୟ ରାଜନୈତିକ ଦଳର ମାନ୍ୟତା ଦିଆଯାଇଛି।

ତେବେ ଏକ ଜାତୀୟ ଦଳ ହେବା ପାଇଁ ଗୋଟିଏ ଦଳକୁ ୪ଟି ରାଜ୍ୟରେ ୬ପ୍ରତିଶତ ଭୋଟ୍ ଭାଗ ଆବଶ୍ୟକ ଏବଂ କେଜ୍ରିୱାଲଙ୍କ ଆପ୍ ଜାତୀୟ ଦଳ ହେବାର ସବୁ ସର୍ତ୍ତ ପୂରଣ କରିଛି। ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଦଳ ଦିଲ୍ଲୀ, ପଞ୍ଜାବ, ଗୋଆ ଏବଂ ଗୁଜରାଟରେ ଏକ ରାଜ୍ୟ ରାଜନୈତିକ ଦଳ ଭାବରେ ମାନ୍ୟତା ପାଇଛି।

Leave a Reply

Your email address will not be published. Required fields are marked *