ଶିଶୁପାଳଗଡ଼- ଅବଲୁପ୍ତ ଐତିହ୍ୟ
ନେତାମାନେ ଶିଶୁପାଳଗଡ଼ର ଦୁର୍ଦ୍ଦଶା ଓ ଦୁରବସ୍ଥା ଉପରେ ବହୁତ ମନ୍ତବ୍ୟ ଓ ବିବୃତିମାନ ଦେଉଛନ୍ତି। ଓଡ଼ିଶାର ଏ ସର୍ବପ୍ରାଚୀନ ଦୁର୍ଗର ଅବସ୍ଥାରେ ସେମାନେ ଯେପରି ଅତି ବିବ୍ରତ, ଚିନ୍ତିତ ଓ କ୍ଷୁବ୍ଧ। ନେତାମାନଙ୍କ ଏ ଦରଦ ଏ ଲେଖକକୁ କିଛି ଆନନ୍ଦ ଦେବା ପରିବର୍ତ୍ତେ ବିସ୍ମିତ ଓ ଆମୋଦିତ କରିଛି। କାରଣ ଏମାନେ ଗତ ଦୁଇ ଦଶନ୍ଧି ଧରି ନିରବ ଥିଲେ, ଯେତେବେଳେ ଶିଶୁପାଳଗଡ଼ର ଅମୂଲ୍ୟ କୀର୍ତ୍ତିରାଜି ଉପରେ ଗଢ଼ି ଉଠୁଥିଲା କଂକ୍ରିଟ ଅଟ୍ଟାଳିକା ମାନ। ୨୦୦୭ରେ ଜାତୀୟ କଳା ଓ ସଂସ୍କୃତି ଐତିହ୍ୟ ସୁରକ୍ଷା ନ୍ୟାସ ବା ‘ଇନ୍ଟାକ୍’ ତରଫରୁ ଏ ଲେଖକ ହାଇକୋର୍ଟରେ ଏ ବିଷୟରେ ଏକ ଜନସ୍ବାର୍ଥ ସମ୍ବଳିତ ମକଦ୍ଦମା (ପି.ଆଇ.ଏଲ୍) ଦାୟର କଲେ। ପିଟିସନରେ କେନ୍ଦ୍ର ସରକାର ଏ.ଏସ୍.ଆଇ. ଓ ରାଜ୍ୟ ସରକାରଙ୍କ ଶିଶୁପାଳଗଡ଼ର ସୁରକ୍ଷା ଦିଗରେ ଚରମ ଅବହେଳା ଉପରେ ବିବରଣୀ ଦେଇ ଏହାର ସୁରକ୍ଷା ପାଇଁ ଆଦେଶ ଦେବାକୁ ନିବେଦନ କରାଯାଇଥିଲା। ଏହାର ଶୁଣାଣିକୁ ମାତ୍ର ୧୫ ବର୍ଷ ଲାଗିଲା ଏବଂ ୨୦୨୨ ଶେଷ ଭାଗରେ ମାନ୍ୟବର କୋର୍ଟ ମୁଖ୍ୟ ଶାସନ ସଚିବଙ୍କୁ ଆଦେଶ ଦେଲେ, ଶିଶୁପାଳଗଡ଼ ସହିତ ସଂପୃକ୍ତ ସମସ୍ତ ସଂସ୍ଥା ଓ ବ୍ୟକ୍ତିମାନଙ୍କୁ ନେଇ ଏ ବିଷୟରେ ଆଲୋଚନା କରିବେ କିପରି ଓ କ’ଣ ପଦକ୍ଷେପ ନିଆଯିବ ଏ ସମସ୍ୟାର ସମାଧାନ ପାଇଁ। ଏ ଲେଖକ ସେ ଆଲୋଚନାରେ ନିମନ୍ତ୍ରିତ ହୋଇ ଉପସ୍ଥିତ ଥିଲେ।
ନିମ୍ନରେ ୨୦୦୦ ମସିହା ଆଗରୁ ୨୦୨୨ ପର୍ଯ୍ୟନ୍ତ ଘଟିଥିବା ଘଟଣାବଳୀର ସଂକ୍ଷିପ୍ତ ବିବରଣୀ ଦେଉଛି ଯାହା ସୂଚାଇଦେବ କେନ୍ଦ୍ର ଓ ରାଜ୍ୟ ସରକାର ଏ ବିରଳ ଐତିହ୍ୟର ସୁରକ୍ଷା ଦିଗରେ କେତେ ସଚେତନ ଥିଲେ ଏବଂ ବର୍ତ୍ତମାନ ନେତାମାନଙ୍କ କୋହ ଓ ବେଦନା କେତେ ସ୍ବତଃସ୍ଫୂର୍ତ୍ତ।
ଶିଶୁପାଳଗଡ଼ ଖନନ ପାଇଁ ୧୯୫୦ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବ ୫୬୩ ଏକର ଜମି ଏ.ଏସ.ଆଇ. ଅଧିକୃତ କରିବ ବୋଲି ନିର୍ଦ୍ଦେଶନାମା ଜାରି କଲେ।
ବି.ଡି.ଏ. ଓ ଏହାର ପୂର୍ବବର୍ତ୍ତୀ ସଂସ୍ଥାମାନଙ୍କର ନଥିରେ ଏହା ନୋଟିଫାଇଡ୍ ଅଞ୍ଚଳ ବୋଲି ରେକର୍ଡ ରହିଲା। ସେଥିରୁ ଥିବା ଚାଷ ଜମିମାନଙ୍କ ବିଭିନ୍ନ ମାଲିକ ଥିଲେ ଯେଉଁମାନେ କ୍ଷତିପୂରଣ ପାଇଁ ହକ୍ଦାର ଥିଲେ। କିନ୍ତୁ ଏ ପ୍ରଶ୍ନ ଉଠିଥାନ୍ତା, ଏ.ଏସ୍.ଆଇ. ଯଦି ଜମି ଅଧିଗ୍ରହଣ ପାଇଁ ପଦକ୍ଷେପ ନେଇଥାନ୍ତେ ଓ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ କରିଥାନ୍ତେ। ତାହା ତ ହେଲା ନାହିଁ। ଏ ଚାଷ ଜମି ପରିବର୍ତ୍ତିତ ହୋଇ ଘରବାଡ଼ି ହେଲା ଓ ଜମି ମାଲିକମାନେ ଜମି ବିକିଲେ ଓ କଂକ୍ରିଟ ଅଟ୍ଟାଳିକାମାନ ନିର୍ମାଣ ହେଲା। ଏହା କାହିଁକି ଓ କିପରି ହେଲା, ଏ ପ୍ରଶ୍ନର ଉତ୍ତର ଦେବ କିଏ?
ବି.ଡି.ଏ., ଯାହାର ରେକର୍ଡରେ ଏହା ନୋଟିଫାଇଡ୍ ଅଞ୍ଚଳ ବୋଲି ନିଶ୍ଚିତ ରୂପେ ଥିବ, ନିରବ ରହିବା ରହସ୍ୟଜନକ। ୨୦୦୭ରେ ପି.ଆଇ.ଏଲ୍. ଦାଖଲ ସମୟରେ ସୂଚନା ଅଧିକାର ଆଇନରେ ଏ ଲେଖକଙ୍କ ଏକ ପ୍ରଶ୍ନର ଉତ୍ତରରେ ବି.ଡି.ଏ. କହିଲେ ଗୃହ ନିର୍ମାଣ ପାଇଁ ବି.ଡି.ଏ. ଅନୁମତି ଦେଇ ନାହିଁ। ତାହା ହେଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ କାହିଁକି ହେଲା ନାହିଁ?
ନବେ ଦଶକ ଆରମ୍ଭରେ ଏ.ଏସ.ଆଇ. ୧୭ ଏକର ଜମି ଅଧିଗ୍ରହଣ ପାଇଁ ରାଜସ୍ବ ବିଭାଗକୁ ଆବେଦନ କଲେ ଯାହାକୁ ୧୯୯୨ ସାଲରେ ରାଜସ୍ବ ବିଭାଗ ଅନୁମତି ଦେଲେ, କିନ୍ତୁ ଏ.ଏସ୍.ଆଇ. ତରଫରୁ କ୍ଷତିପୂରଣ ନ ଆସିବାରୁ ଏହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଏହାଠାରୁ ଦୁଃଖର ବିଷୟ କ’ଣ ହୋଇପାରେ? ଏ.ଏସ.ଆଇ. ନିଶ୍ଚୟ ଜମିତେଳ ଐତିହ୍ୟ ପରିପୂର୍ଣ୍ଣ ସ୍ଥାନ ଚିହ୍ନଟ କରିଥିବ ଏବଂ ଏହା କାର୍ଯ୍ୟକାରୀ ହୋଇଥିଲେ, ଶିଶୁପାଳଗଡ଼ର କିଛି ମର୍ଯ୍ୟାଦା ରହିଥାନ୍ତା।
ଆମେ ଶୁଣିଲୁ ୨୦୦୧-୦୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଲେ ଯେ ଶିଶୁପାଳଗଡ଼ରେ କୌଣସି ନୂତନ ନିର୍ମାଣ ହୋଇପାରିବ ନାହିଁ ଏବଂ ଏ.ଏସ୍.ଆଇ. ଓ ରାଜସ୍ବ ବିଭାଗ ଜମି ଚିହ୍ନଟ ପାଇଁ ପଦକ୍ଷେପ ନେବେ। ୨୦୦୭େର ପି.ଆଇ.ଏଲ. ଦାଖଲ ବେଳେ ଗୃହନିର୍ମାଣ ଜୋରଦାର ଚାଲିଥାଏ।
ପି.ଆଇ.ଏଲ୍.ରେ କେନ୍ଦ୍ର ସରକାର, ଏ.ଏସ୍.ଆଇ., ରାଜ୍ୟ ସରକାର ଓ ରାଜ୍ୟର ବିଭିନ୍ନ ସଂସ୍ଥାମାନଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ପିଟିସନରେ ଗଡ଼ର ସୁରକ୍ଷା ସହିତ ଅଗ୍ରାଧିକାର ଭିତ୍ତିରେ ୧ ଏକର ଜମିରେ ପାଚେରି ନିର୍ମାଣ ପାଇଁ ପ୍ରାର୍ଥନା କରାଯାଇଥିଲା। ତାହା ଏପର୍ଯ୍ୟନ୍ତ ହୋଇପାରିଲା ନାହଁ।
୨୦୦୯ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜେ ଶିଶୁପାଳଗଡ଼ ପରିଦର୍ଶନରେ ଗଲେ। ତା’ ପରେ ପର୍ଯ୍ୟଟନ ନିର୍ଦ୍ଦେଶକ ଏକ ନିର୍ଦ୍ଦେଶନାମା ଜାରି କଲେ ଅକ୍ଟୋବର ୮ ତାରିଖରେ। କୁହାଗଲା ଏ.ଏସ୍.ଆଇ. ଓ ରାଜସ୍ବ ବିଭାଗ ୧୬ ତାରିଖ ସୁଦ୍ଧା ମିଳିତ ଭାବେ ଜମି ଚିହ୍ନଟ କରିବେ ଓ ତା’ ପରେ ଅଧିଗ୍ରହଣ ପାଇଁ ପଦକ୍ଷେପ ନିଆଯିବ। ଏ ଅବାସ୍ତବ ନିର୍ଦ୍ଦେଶନାମା ୧୩ ବର୍ଷ ତଳେ ହୋଇଥିଲା।
ପି.ଆଇ.ଏଲ. ଶୁଣାଣି ବେଳେ ୭ ବର୍ଷ ପର୍ଯ୍ୟନ୍ତ ପକ୍ଷମାନଙ୍କ ଜବାବ ମିଳିଲା ନାହିଁ। ଆମ ଓକିଲ ମାନ୍ୟବର କୋର୍ଟଙ୍କୁ ଦରଖାସ୍ତ କରୁଥାନ୍ତି। ୨୦୧୪ ଜୁନ୍ ୨୬ ତାରିଖରେ କୋର୍ଟ ନିର୍ଦ୍ଦେଶ ଦେଲେ ୩ ସପ୍ତାହ ଭିତରେ ଜବାବ ଦାଖଲ ହେବ। ଶୁଣାଣି ଜୁଲାଇ ୩୧କୁ ରହିଲା। ସେ ପର୍ଯ୍ୟନ୍ତ କୌଣସି ନିର୍ମାଣ ହେବ ନାହିଁ।
୨୦୧୪ରୁ ୨୦୨୦ ମଧ୍ୟରେ ମୁଁ ଦୁଇ ଥର ସତ୍ୟପାଠ କରିଛି। ଶେଷରେ ୨୦୨୨ ସେପ୍ଟେମ୍ବର ମାସରେ ମାନ୍ୟବର କୋର୍ଟ ରାୟ ଦେଲେ। ମୁଖ୍ୟ ଶାସନ ସଚିବ ସବୁ ପକ୍ଷମାନଙ୍କୁ ନେଇ ଆଲୋଚନା କରିବେ ଭବିଷ୍ୟତ କାର୍ଯ୍ୟ ପନ୍ଥା ଉପରେ। ଏ ଆଲୋଚନାରେ ହୋଇଥିବା ନିଷ୍ପତ୍ତି ମାନ ହେଲା ଯଥାକ୍ରମେ- ତହସିଲଦାର ଓ ଏ.ଏସ.ଆଇ. ୯୦ ଦିନ ଭିତରେ ଜମି ଚିହ୍ନଟ କାମ ସାରିବେ; ଖାଲି ଥିବା ସରକାରୀ ଜମିକୁ ଅବିଳମ୍ବେ ଏ.ଏସ୍.ଆଇ.କୁ ହସ୍ତାନ୍ତର କରାଯିବ; ଘରୋଇ ଜମି ପାଇଁ ଏ.ଏସ୍.ଆଇ. ଜିଲ୍ଲାପାଳଙ୍କ ପାଖେ ଅଧିଗ୍ରହଣ ପାଇଁ ଦରଖାସ୍ତ କରିବ; ସରକାରୀ ଜମି ଉପରେ ଜବରଦଖଲକୁ ହଟାଯାଇ ତାହା ଏ.ଏସ୍.ଆଇ.କୁ ହସ୍ତାନ୍ତର କରାଯିବ।
ଏ ନିଷ୍ପତ୍ତିମାନଙ୍କ ଉପରେ ଆଉ ଏକ ଆଲେଖ୍ୟ ଆବଶ୍ୟକ। ଏହା ପରେ ତ ଶିଶୁପାଳଗଡ଼ରେ ଜବରଦଖଲ, ପାଚେରି ଭଙ୍ଗା ଆଦି ଉପରେ ବହୁତ ଖବର ବାହାରିଛି ଓ େନତାମାନେ ତାଙ୍କ ବିବୃତି ପ୍ରଦାନ କରୁଛନ୍ତି।