ଦେଶ- ବିଦେଶ

ମଧ୍ୟାହ୍ନ ଭୋଜନ ବେଳେ ଗରମ ଡାଲିରେ ପଡ଼ି ଛାତ୍ରୀ ଗୁରୁତର

ଛତିଶଗଡ଼: ଏପ୍ରିଲ ୧୧ ତାରିଖରେ ଛତିଶଗଡ଼ର କା‌ଙ୍କେର ଜିଲ୍ଲାର ଏକ ସରକାରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ସମୟରେ  ଗରମ ଡାଲିରେ ପଡ଼ି ପ୍ରଥମ ଶ୍ରେଣୀର ଜଣେ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତ ଛାତ୍ରୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଏଥିସହିତ ଏହି ଘଟଣାକୁ ନେଇ ଜିଲ୍ଲା ପ୍ରଶାସନ ଯାଞ୍ଚ ଆଦେଶ ଦେଇଛନ୍ତି।

ଅଧିକାରିକ ସୂତ୍ରରୁ ପ୍ରକାଶ, ଭାନୁପ୍ରତାପୁର ଅଞ୍ଚଳ ଅନ୍ତର୍ଗତ ବାନସଲା ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ‌ଗତ ସୋମବାର  ମଧ୍ୟାହ୍ନ ଭୋଜନ ସମୟରେ ଜଣେ ଛାତ୍ରୀ ଗରମ ଡାଲି ଥିବା ବାସନରେ ପଡ଼ି ଯାଇଥିଲେ। ଗୁରୁତର ଆହତ ହୋଇଥିବା ଛାତ୍ରୀଙ୍କ ନାମ ତେଜେଶ୍ବରୀ ତାଣ୍ଡିଆ ଓ ବୟସ ୭ବର୍ଷ ବୋଲି ଜଣାପଡ଼ିଛି।

ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ଡକା ଯାଇଥିଲା। ଏହି ସମୟରେ ଛାତ୍ରଛାତ୍ରୀ ଠେଲାପେଲା ହୋଇଥିଲେ। ଏତିକି ବେଳେ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପରସା ଯିବାକୁ ଥିବା ଗରମ ଡାଲି ପାତ୍ର‌ରେ ତେଜେଶ୍ବରୀ ପଡ଼ି ଯାଇଥିଲେ। ଆଉ ଡାଲି ପାତ୍ରଟି ଓଲଟି ପଡ଼ିବାରୁ ଗରମ ଡାଲି ଉକ୍ତ ଛାତ୍ରୀଙ୍କ ଉପରେ ଢ଼ାଳି ହୋଇଯାଇଥିଲ। ଏଥିରେ ଛାତ୍ରୀଙ୍କ ଶରୀର ଜଳି ଯାଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ଆହତ ତେଜେଶ୍ବରୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ତେବେ ଏହି ଘଟଣାର ଯାଞ୍ଚ ଆରମ୍ଭ କରି ଦିଆଯାଇଛି। ଯିଏ ବି ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *