ବାଣିଜ୍ୟ

ଆଦାନିରେ ନିବେଶ ବଢ଼ାଇଲା ଏଲ୍‌ଆଇସି

ନୂଆଦିଲ୍ଲୀ: ଶିଳ୍ପପତି ଗୌତମ ଆଦାନିଙ୍କ କଂପାନି ଆଦାନି ଗ୍ରୁପ୍ ବିରୋଧରେ ଆମେରିକୀୟ ସଂସ୍ଥା ହିଣ୍ଡେନ୍‌ବର୍ଗ ସେୟାର ମୂଲ୍ୟ ଜାଲିଆତି, ଆକାଉଣ୍ଟିଂ ହେରଫେର, ଜାଲ କଂପାନି ଗଠନ ଭଳି ସଙ୍ଗିନ ଅଭିଯୋଗ ଆଣିବା ସତ୍ତ୍ବେ ଆଦାନିଙ୍କ ଚାରିଟି ସଂସ୍ଥାରେ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ଏହାର ଅଂଶଧନ ବଢ଼ାଇଛି। ଆଦାନି ଏଣ୍ଟରପ୍ରାଇଜେସ୍‌, ଆଦାନି ଟ୍ରାନ୍ସମିସନ, ଆଦାନି ଗ୍ରିନ୍ ଓ ଆଦାନି ଟୋଟାଲ୍ ଗ୍ୟାସ୍‌ରେ ଏଲ୍‌ଆଇସି ନିଜର ଅଂଶଧନ ବୃଦ୍ଧି କରିଛି। ଜାନୁଆରି-ମାର୍ଚ୍ଚ ତ୍ରୈମାସିକରେ ଆଦାନି କଂପାନିର ୩୫୭,୫୦୦ ସେୟାରକୁ ଏଲ୍‌ଆଇସି କିଣିଛି। ଫଳରେ ଆଦାନି ଏଣ୍ଟରପ୍ରାଇଜେସ୍‌ରେ ଏଲ୍‌ଆଇସି ଅଂଶଧନ ୪.୨୬ ପ୍ରତିଶତକୁ ବୃଦ୍ଧି ପାଇଛି। ଆଦାନିଙ୍କ ଅଧୀନରେ ପରିଚାଳିତ ହେଉଥିବା ଦୁଇ କଂପାନି ଆଦାନି ପୋର୍ଟସ୍‌ ଓ ଅମ୍ବୁଜା ସିମେଣ୍ଟ୍‌ସର ଅଂଶଧନକୁ ଏଲ୍‌ଆଇସି ବିକ୍ରି ମଧ୍ୟ କରିଛି। ଏହି ସବୁ ସେୟାର କାରବାର ହିଣ୍ଡେନ୍‌ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ହୋଇଥିଲା ନା ନାହିଁ ତାହା ଜଣାପଡ଼ିନାହିଁ।୨୦୨୩ ଜାନୁଆରି ବେଳକୁ ଆଦାନି ଗ୍ରୁପ୍‌ର କଂପାନିଗୁଡ଼ିକରେ ଏଲ୍‌ଆଇସିର ନିବେଶ ରାଶି ପରିମାଣ ୩୦,୧୨୭ କୋଟି ଟଙ୍କା ଥିଲା। ହିଣ୍ଡେନ୍‌ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଅଭିଯୋଗ କରିଥିଲେ ଯେ ଆଦାନିଙ୍କ କଂପାନିରେ ନିବେଶ କରିବା ଲାଗି ଏଲ୍‌ଆଇସି ଓ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କକୁ ସରକାର ବାଧ୍ୟ କରିଥିଲେ। ସେହି ଅଭିଯୋଗକୁ ଏଲ୍‌ଆଇସି ଖଣ୍ଡନ କରିଥିଲା। କଂପାନିର ମୋଟ ପରିଚାଳନା ଅଧୀନ ସମ୍ପତ୍ତି (ଏୟୁଏମ୍‌)ର ୧ ପ୍ରତିଶତରୁ କମ୍ ରାଶି ଆଦାନି କଂପାନିଗୁଡ଼ିକରେ ନିବେଶ ହୋଇଥିବା ଏଲ୍‌ଆଇସି ଜଣାଇଥିଲା। ଇତି ମଧ୍ୟରେ ଆଦାନି ଗ୍ରୁପ୍‌ର କଂପାନିଗୁଡ଼ିକରେ ଖୁଚୁରା ନିବେଶକମାନଙ୍କ ଭାଗ ୧.୮୬ ପ୍ରତିଶତରୁ ୩.୪୧ ପ୍ରତିଶତକୁ ବୃଦ୍ଧି ପାଇଛି। ମ୍ୟୁଚୁଆଲ୍ ଫଣ୍ଡ୍‌ ସଂସ୍ଥାଗୁଡ଼ିକର ଭାଗ କିନ୍ତୁ ୧.୧୯ ପ୍ରତିଶତକୁ ଖସି ୦.୮୭ ପ୍ରତିଶତ ହୋଇଛି। ମୋଟ ମ୍ୟୁଚୁଆଲ୍ ଫଣ୍ଡ୍‌ ନିବେଶକ ସଂଖ୍ୟା ୩୧ରୁ ହ୍ରାସ ପାଇ ୨୭ ହୋଇଛି।

Leave a Reply

Your email address will not be published. Required fields are marked *