ମୁଖ୍ୟ ଖବର

ମୋତେ ମାରିବାକୁ ସୁପାରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ପୁଅ : ସଂଜୟ ରାଉତ

ମୁମ୍ବାଇ : ମହାରାଷ୍ଟ୍ର ଶିବସେନା ନେତା ସଞ୍ଜୟ ରାଉତ ଅଭିଯୋଗ କରିଛନ୍ତି  ଯେ ତାଙ୍କୁ ହତ୍ୟା କରିବାକୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ତଥା ସାଂସଦ ଶ୍ରୀକାନ୍ତ ସିନ୍ଦେ ସୁପାରି ଦେଇଛନ୍ତି । ଏ ନେଇ ସଞ୍ଜୟ ରାଉତ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଚିଠି ଲେଖିଛନ୍ତି ।

ତାଙ୍କ ଜୀବନ ପ୍ରତି ବିପଦ ଥିବା ଏହି ଚିଠିରେ ସଂଜୟ ଦର୍ଶାଇଛନ୍ତି । ଚିଠିରେ ଲେଖାଯାଇଛି ଯେ ଥାନେର ଜଣେ ବଡ଼ ଗ୍ୟାଙ୍ଗଷ୍ଟର ରାଜ ଠାକୁର ଓ ତାଙ୍କ ଗ୍ୟାଙ୍ଗ ସେମାନଙ୍କୁ ହତ୍ୟା କରିବାକୁ ଯୋଜନା କରୁଛନ୍ତି ।

ଅନ୍ୟ ପକ୍ଷରେ ସଂଜୟଙ୍କ ଏହି ଅଭିଯୋଗର ଜବାବ ରଖିଛନ୍ତି ଫଡନଭିସ । ସେ କହିଛନ୍ତି ଯେ ପ୍ରକୃତରେ ସଂଜୟଙ୍କୁ ଧମକ ମିଳିଛି କି ନା ତାହାର ପ୍ରଥମେ ଯାଞ୍ଚ ହେବା ଦରକାର ।

ଫଡନାଭିସ କହିଛନ୍ତି ଯେ ସେ ତାଙ୍କ ଚିଠି ରାଜ୍ୟ ଗୁଇନ୍ଦା ବିଭାଗକୁ ପଠାଇଛନ୍ତି । ତାଙ୍କର ଜୀବନ ପ୍ରତି କେତେ ବିପଦ ରହିଛି ତାହାର ଆକଳନ ପରେ ରିପୋର୍ଟ ପ୍ରସ୍ତୁତ ହେବ, ତା’ପରେ ଡିଜି ନିରାପତ୍ତା ଦେବେ କି ନାହିଁ ତାହା ସ୍ଥିର କରିବେ । ପ୍ରତିଦିନ ନୂଆ ନୂଆ ହଟଚମଟ ସୃଷ୍ଟି କଲେ କିଛି ହୁଏ ନାହିଁ। ଯଦି ରାଜ୍ୟରେ କାହାର ଜୀବନ ପ୍ରତି ବିପଦ ରହିଛି, ତେବେ ଆମ ସରକାର ତାଙ୍କୁ ସୁରକ୍ଷା ଦେବେ, କିନ୍ତୁ ଗୁଜବ କରନ୍ତୁ ନାହିଁ ବୋଲି ଫଡନଭିସ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *