ବିଶେଷ

ଆଣ୍ଟାର୍କଟିକା ମହାଦେଶରେ ବିସ୍ମୟ : ରକ୍ତିମ ଜଳପ୍ରପାତ

ଜଳ ସାଧାରଣତଃ ରଙ୍ଗହୀନ ବା ସ୍ବଚ୍ଛ ହୋଇଥିବା ବେଳେ କୌଣସି ବାହ୍ୟ ପ୍ରଦୂଷଣ ଦ୍ବାରା ବା ରଙ୍ଗିନ ଶୈବାଳର ଉପସ୍ଥିତି ଦ୍ବାରା ତାହା ବିଭିନ୍ନ ରଙ୍ଗ ଧାରଣ କରିପାରେ। ତେବେ ଅନ୍ୟ କୌଣସି ରଙ୍ଗ ଅପେକ୍ଷା ଜଳର ରଙ୍ଗ ଲାଲ୍‌ ହୋଇଥିଲେ ତାହା ମନରେ ଶିହରଣ ସୃଷ୍ଟି କରିଥାଏ। ଆମେ ଜାଣୁ, ସମ୍ରାଟ ଅଶୋକଙ୍କ କଳିଙ୍ଗ ଯୁଦ୍ଧ ବେଳେ ସମଗ୍ର ଦୟା ନଦୀର ଧାର ରକ୍ତରଞ୍ଜିତ ହୋଇଯାଇଥିଲା। ମହାଭାରତରେ ମଧ୍ୟ ଦୁର୍ଯ୍ୟୋଧନଙ୍କର ରକ୍ତ ନଦୀ ସନ୍ତରଣ କଥା ଉଲ୍ଲେଖ ରହିଛି।ତେବେ ବରଫାଚ୍ଛାଦିତ ତଥା ନିର୍ଜନ ଆଣ୍ଟାର୍କଟିକା ମହାଦେଶରେ ଏପରି ଏକ ପ୍ରପାତ ରକ୍ତବର୍ଣ୍ଣ ଧାରଣ କରିବା ଘଟଣା ବୈଜ୍ଞାନିକ ଏବଂ ପରିବେଶବିତ୍‌ମାନଙ୍କୁ ଚକିତ କରିଥିଲା। ପୃଥିବୀର ଏହି ଶୀତଳତମ ତଥା ଶୁଷ୍କତମ ଅଞ୍ଚଳ ଅନ୍ତର୍ଗତ ମ୍ୟାକ୍‌ମର୍ଡୋ ଉପତ୍ୟକାରେ ଏକ ହିମପ୍ରବାହ ସାଥିରେ ପ୍ରବାହିତ ପାଞ୍ଚ ମହଲା ଉଚ୍ଚର ରକ୍ତିମ ପ୍ରପାତର ଦୃଶ୍ୟ ପ୍ରଥମେ ପ୍ରଥମେ ବୈଜ୍ଞାନିକମାନଙ୍କୁ ଦ୍ବନ୍ଦ୍ବରେ ପକାଇଥିଲା। ତେବେ ବାୟୁମଣ୍ଡଳ ସହ ଉକ୍ତ ହିମପ୍ରବାହର ଲୌହ ପରିପୁଷ୍ଟ ଲବଣାକ୍ତ ଜଳର ରାସାୟନିକ ପ୍ରତିକ୍ରିୟା ଯୋଗୁଁ ଏପରି ମନଲୋଭା ଦୃଶ୍ୟ ସୃଷ୍ଟି ହୋଇଥିବା କଥା ପରେ ଜଣାଯାଇଛି। ଉକ୍ତ ଅଞ୍ଚଳଟି ଲବଣ ଓ ଲୌହ ଖଣିଜରେ ପରିପୁଷ୍ଟ ଥିବାରୁ ତାହା ବାୟୁମଣ୍ଡଳର ଅମ୍ଳଜାନ ସଂସ୍ପର୍ଶରେ ଆସି କଳଙ୍କି ଲାଗିଥାଏ। ପର୍ଯ୍ୟାୟ କ୍ରମେ ସେହି କଳଙ୍କି ହିଁ ସାମୂହିକ ଭାବେ ଏପରି ଲୋହିତ ବର୍ଣ୍ଣ ଧାରଣ କରିଛି।

Leave a Reply

Your email address will not be published. Required fields are marked *