ଅପରାଧ

ପୋଲିସ ମାଡ଼ରେ ଡ୍ରାଇଭରଙ୍କ ଗୋଡ଼ ଭାଙ୍ଗିଲା

ଆନନ୍ଦପୁର, : କେନ୍ଦୁଝର ଜିଲା ଆନନ୍ଦପୁର ପୋଲିସ ମାଡ଼ରେ ଟ୍ରାକ୍ଟର ଡ୍ରାଇଭରଙ୍କ ଗୋଡ଼ ଭାଙ୍ଗିବା ଘଟଣା ଚର୍ଚ୍ଚାକୁ ଆସିଛି। ଟ୍ରାକ୍ଟର ଡ୍ରାଇଭର ପାର୍ଥ ପୂର୍ତ୍ତି ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର ହୋଇଛନ୍ତି। ପାର୍ଥ ଚଲାଉଥିବା ଟ୍ରାକ୍ଟରକୁ ପୋଲିସ ବାଲି ଚୋରି ଅଭିଯୋଗରେ ଜବତ କରିଥିବା ସୂଚନା ମିଳିଛି। ଡ୍ରାଇଭର ପାର୍ଥଙ୍କ କହିବା ଅନୁଯାୟୀ, ସେ ଛକରେ ଚା’ ପିଇବାକୁ ଛିଡ଼ା ହୋଇଥିବା ବେଳେ ଜଣେ ପୋଲିସ ବାବୁ ତାଙ୍କୁ ପାଇପ୍‌ରେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଫଳରେ ତାଙ୍କ ଗୋଡ଼ ଭାଙ୍ଗିବା ସହିତ ସେ ଗୁରୁତର ହୋଇଥିଲେ।

ଘଟଣା ସମ୍ପର୍କରେ ଥାନା ଆନନ୍ଦପୁର ଅଧିକାରୀ ଦେବକୀ ନାଇକଙ୍କୁ ପଚାରାଯିବାରୁ, ପୋଲିସ ବାଡ଼ାଇବା କଥା ସମ୍ପୂର୍ଣ୍ଣ ଭିତ୍ତିହୀନ। ବାଲି ଚୋରା ଚାଲାଣ ହେଉଥିବା ପଦ୍ମପୁର ଘାଟ ନିକଟକୁ ବାଇକ୍‌ ଯୋଗେ ପୋଲିସ ଯାଉଥିବା ସମୟରେ ସମ୍ପୃକ୍ତ ଟ୍ରାକ୍ଟର ଡ୍ରାଇଭର ଟ୍ରାକ୍ଟର ଛାଡ଼ି ଡେଇଁପଡ଼ିଥିଲେ। ଫଳରେ ତାଙ୍କ ଗୋଡ଼ ଭାଙ୍ଗିଥିଲା। ଥାନା ଗାଡ଼ି ନେଇ ଯିବା ବେଳେ ବାଲି ଚୋରା ଚାଲାଣକୁ ରୋକି ହେଉ ନ ଥିବାରୁ ପୋଲିସ ବାଇକ୍‌ ଯୋଗେ ଘଟଣାସ୍ଥଳକୁ ଆସିଥିଲା। ଜିପିଏସ୍‌ ମାଧ୍ୟମରେ ଯାଞ୍ଚ କରାଗଲେ ଘଟଣା ସ୍ପଷ୍ଟ ହୋଇପାରିବ। ତେବେ ପୋଲିସ ବାଡ଼ାଇବା କଥା ମିଛ ବୋଲି ଥାନାଧିକାରୀ କହିବା ସହିତ ଓଲଟି ଗୁରୁତର ଟ୍ରାକ୍ଟର ଡ୍ରାଇଭରଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଇବାର ବ୍ୟବସ୍ଥା କରିଥିବା କହିଥିଲେ।

Leave a Reply

Your email address will not be published. Required fields are marked *