ମୁଖ୍ୟ ଖବର

କୋଲାବ ଜଳଭଣ୍ଡାରରେ ଡଙ୍ଗା ବୁଡ଼ି ୪ ନିଖୋଜ

କୋରାପୁଟ: କୋଲାବ ଜଳଭଣ୍ଡାରରେ ଆଜି ଅପରାହ୍‌ଣରେ ଅଘଟଣ ଘଟିଛି। କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ପୋଡ଼ଗଡ଼ ଘାଟରେ ଦେଶୀଡଙ୍ଗା ଭାରସାମ୍ୟ ହରାଇ ବୁଡ଼ିଯାଇଛି। ଏଠାରେ ତେନ୍ତୁଳିପଡ଼ାରୁ ପୋଡ଼ଗଡକୁ ଦେଶୀଡଙ୍ଗାରେ ଯାଉଥିବା ୮ ଜଣ ଏହି ଅଭାବନୀୟ ଘଟଣାର ଶିକାର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ବେଳେ ୩ଜଣ ମହିଳା ଓ ଜଣେ ଶିଶୁଙ୍କ ସମେତ ମୋଟ ୪ ଜଣ ନିଖୋଜ ଅଛନ୍ତି। ଅଗ୍ନିଶମ ବାହିନୀ ନିଖୋଜ ବ୍ୟକ୍ତିମାନଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର ଉଦ୍ୟମ କରୁଛି। ନିଖୋଜ ବ୍ୟକ୍ତିମାନେ ହେଲେ ସାବିତ୍ରୀ କିରସାନି (୧୮), ରାମା କିରସାନି (୧୮), ବବିତା ହେନ୍ତାଳ ଓ ଜଣେ ଶିଶୁ। ଏମାନେ ସମସ୍ତେ ମୁଖିବିଦେଇ ଗାଁର ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ସେମିଳିଗୁଡ଼ା ବ୍ଲକ ରାଜପୁଟ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିପଡ଼ା ଗାଁର କିଛି ମହିଳାଙ୍କ ସମେତ ମୋଟ ୮ ଜଣ ଯାତ୍ରା ଦେଖିବାକୁ ଯାଇଥିଲେ। ଫେରିବା ସମୟରେ କୋଲାବ ଜଳଭଣ୍ଡାରରେ ଏକ ଦେଶୀଡଙ୍ଗା ସାହାଯ୍ୟରେ ପୋଡ଼ଗଡ଼କୁ ଆସୁଥିଲେ। ଅପରାହ୍‌ଣ ପ୍ରାୟ ୪ଟା ସମୟରେ ଦେଶୀଡଙ୍ଗାଟି‌ ପୋଡ଼ଗଡ଼ ଘାଟରେ ଭାରସାମ୍ୟ ହରାଇଥିଲା। ଫଳରେ ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ ବୁଡ଼ି ଯାଇଥିଲେ।

ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇଁ ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି। ରିପୋର୍ଟ ଲେଖାଯିବା ବେଳକୁ ୪ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ତେବେ ୩ ଜଣ ଯୁବତୀ ଓ ଜଣେ ଶିଶୁଙ୍କ ସମେତ ମୋଟ ୪ ଜଣ ନିଖୋଜ ଅଛନ୍ତି। ନିଖୋଜ ବ୍ୟକ୍ତିମାନଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମବାହିନୀର ଟିମ୍‌ ଉଦ୍ୟମ କରୁଛନ୍ତି।

Leave a Reply

Your email address will not be published. Required fields are marked *