ମହାନଗର

ଛୁରାମାଡ଼ କଲେ ୱାର୍ଡ ସଭ୍ୟଙ୍କ ଭାଇ, ଆଇସିୟୁରେ ଗୁରୁତର

ଧଉଳି: ଦୁଇ ପରିବାର ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ପାଇଁ ଗାଁରେ ବୈଠକ ବସିଥିଲା। ମୁରବିମାନେ ଆପୋସ ସମାଧାନ ପାଇଁ ଉଦ୍ୟମ ଚଳାଇଥିଲେ। ପର୍ଯ୍ୟାୟକ୍ରମେ ଦୁଇ ପକ୍ଷ ସେମାନଙ୍କ ଅଭିଯୋଗ ରଖୁଥିଲେ। ଗ୍ରାମବାସୀମାନେ ଭାବିଥିଲେ ଦୁଇ ପରିବାର ମଧ୍ୟରେ ଥିବା ସମ୍ବେଦନଶୀଳ ମାମଲାଟିର ଅନ୍ତ ହୋଇଯିବ। ମାତ୍ର ହଠାତ୍ ୱାର୍ଡ ସଭ୍ୟଙ୍କ ଭାଇ ପ୍ରତିପକ୍ଷର ଜଣେ ଯୁବକଙ୍କୁ ଛୁରିରେ ଭୁସି ପକାଇଲା। ମୃତବତ୍‌ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବୈଠକସ୍ଥଳରେ ପଡ଼ିରହିଲେ ଗୁରୁତର ଯୁବକ। ପ୍ରଚୁର ରକ୍ତସ୍ରାବ ଯୋଗୁଁ ସଭାସ୍ଥଳ ରକ୍ତରଞ୍ଜିତ ହୋଇପଡ଼ିଥିଲା। ଏକ ଘରୋଇ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି ହୋଇଥିବା ଯୁବକଙ୍କ ଅବସ୍ଥା ଏବେ ବେଶ୍ ସଂକଟାପନ୍ନ ରହିଛି। ଗତକାଲି ରାତିରେ ଧଉଳି ଥାନା ଗୋବର୍ଦ୍ଧନପୁର ଗାଁରେ ଘଟିଥିବା ଏଭଳି ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍‌ ଧରିଛି। ଆହତ ଯୁବକ ହେଲେ ସନାତନ ମହାରଣା(୨୮) ଓ ଆକ୍ରମଣକାରୀ ହେଲେ ହରିହର ମହାରଣା। ପୁଲିସ ଅଭିଯୁକ୍ତ ହରିହରକୁ ଠାବ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି।

ସୂଚନାନୁସାରେ ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଅଟୋ ଚାଳକ ସନାତନ ଓ ୱାର୍ଡ ସଭ୍ୟ ନରେନ୍ଦ୍ରଙ୍କ ପରିବାର ମଧ୍ୟରେ ଗତ କିଛି ବର୍ଷ ହେଲା ବିବାଦ ଲାଗିରହିଛି। ମଝିରେ ମଝିରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥାଏ ଏବଂ କଥା ହାତାହାତି ପର୍ଯ୍ୟନ୍ତ ଯାଇଥାଏ। ଲୋକଲଜ୍ଜାଭିତ୍ତିକ ଏହି ବିବାଦର ତୁରନ୍ତ ସମାଧାନ ପାଇଁ ଗ୍ରାମର ମୁରବିମାନେ ଉଦ୍ୟମ ଆରମ୍ଭ କରିଥିଲେ ଏବଂ ଉଭୟ ପକ୍ଷ ରାଜି ହେବା ପରେ ଗତକାଲି ରାତିରେ ବୈଠକ ବସିଥିଲା। ପ୍ରଥମେ ସନାତନଙ୍କ ପକ୍ଷରୁ ଅଭିଯୋଗ କୁହାଯାଇଥିଲା। ଏହା ପରେ ୱାର୍ଡ ସଭ୍ୟ ନରେନ୍ଦ୍ର ମହାରଣାଙ୍କ ପରିବାର ପକ୍ଷରୁ ଅଭିଯୋଗ ଆସିଥିଲା। ମାତ୍ର ହଠାତ୍ ନରେନ୍ଦ୍ରଙ୍କ ବଡ଼ଭାଇ ହରିହର ପ୍ରତିପକ୍ଷ ସନାତନକୁ ଛୁରିରେ ଆକ୍ରମଣ କଲେ। ସେ ଏକ ବଡ଼ ଛୁରିରେ ସନାତନଙ୍କ ମୁଣ୍ଡ, ବେକ, ମୁହଁ ଓ ପେଟକୁ ବାରମ୍ବାର ଭୁସି ପକାଇଥିଲେ।

ସନାତନ ତଳେ ପଡ଼ି ଚିତ୍କାର କରୁଥିଲେ ବି ଏଭଳି ଏକ ଅତର୍କିତ କାଣ୍ଡ ପାଇଁ କେହି ପ୍ରସ୍ତୁତ ନଥିବାରୁ ଉନ୍ମତ୍ତ ହରିହରକୁ ରୋକିବା ସମ୍ଭବ ହୋଇନଥିଲା। ହରିହରର ଉଗ୍ର ରୂପ ଦେଖି ସଭାରେ ସମସ୍ତେ ତଟସ୍ଥ ହୋଇପଡ଼ିଥିଲେ। ଏମିତିକି ସନାତନଙ୍କ ବଡ଼ ଭାଇ ଉମାକାନ୍ତ କିଂ କର୍ତ୍ତବ୍ୟବିମୂଢ଼ ଅବସ୍ଥାରେ ବିକଳ ହୋଇ କେବଳ ଗାଁ ମୁରବିମାନଙ୍କୁ ଡାକପକାଉଥିଲେ। ତେବେ କିଛି ସମୟ ପରେ ସନାତନ ମରିଗଲା ଭାବି ହରିହର ଓ ୱାର୍ଡ ସଭ୍ୟ ନରେନ୍ଦ୍ର ସେଠାରୁ ଫେରାର୍ ହୋଇଯାଇଥିଲେ। କେହି ସେମାନଙ୍କୁ ଅଟକାଇବାକୁ ସାହସ କରିପାରିନଥିଲେ। ସେମାନେ ପଳାଇବା ପରେ ଉମାକାନ୍ତ ଗାଁ ଲୋକଙ୍କ ସହଯୋଗରେ ଗୁରୁତର ସନାତନକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏକ ଘରୋଇ ହସ୍ପିଟାଲ‌୍‌ରେ ଭର୍ତ୍ତି କରାଇଥିଲେ। ଖବର ପାଇ ଧଉଳି ଥାନା ପୁଲିସ ଗାଁରେ ପହଞ୍ଚିଥିଲା। ଗାଁ ବୈଠକରେ ମୁରବିମାନଙ୍କ ଉପସ୍ଥିତିରେ ଘଟଣା ଘଟିଥିବାରୁ ଉତ୍ତେଜନା ବଢ଼ିବା ସ୍ବାଭାବିକ ଥିଲା। ତେବେ ଗଣ୍ଡଗୋଳ ନ ବଢ଼ାଇବାକୁ ଗ୍ରାମବାସୀଙ୍କୁ ପୁଲିସ ବୁଝାସୁଝା କରିଥିଲା ଏବଂ ଗାଁରେ ପୁଲିସ ମୁତୟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *