ମୁଖ୍ୟ ଖବର

ଆଜି ହନୁମାନ ଜୟନ୍ତୀ, ପୁଲିସ ଛାଉଣିରେ ସମ୍ବଲପୁର

ସମ୍ବଲପୁର : ହନୁମାନ ଜୟନ୍ତୀ ଅବ୍ୟବହିତ ପୂର୍ବରୁ ବୁଧବାର ସନ୍ଧ୍ୟାରେ ବାଇକ୍ ରାଲି ସମୟରେ ଘଟିଥିବା ହିଂସାକାଣ୍ଡ ମାମଲାରେ ପୁଲିସ ରାତିଅଧିଆ ଚଢ଼ାଉ କରି ୨୬ ଜଣଙ୍କୁ ଗିରଫ କରିଛି। କେବଳ ସେତିକି ନୁହେଁ, ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉକରି ଏହି ଅଭିଯୁକ୍ତମାନଙ୍କୁ ଧରିବା ସହ ସେମାନଙ୍କ ପାଖରୁ ପେଟ୍ରୋଲ୍ ବମ୍, ଇଟା, ଖଣ୍ଡା ଆଦି ବିଭିନ୍ନ ମାରଣାସ୍ତ୍ର ଜବତ କରିଛି। ପୁଲିସ ଛାଉଣିରେ ପରିଣତ ହୋଇଥିବା ସମ୍ବଲପୁର ସହରର ସ୍ଥିତି ନିୟନ୍ତ୍ରଣ ପାଇଁ ସମଗ୍ର ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଛି। ତଥାପି, କାଁଭାଁ କେତେକ ଜାଗାରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ଲୋକଙ୍କ ଭରସା ଜିତିବା ନିମନ୍ତେ ସନ୍ଧ୍ୟାରେ ଫ୍ଲାଗମାର୍ଚ କରିଛି। ଏହାସତ୍ତ୍ବେ ଚାପା ଉତ୍ତେଜନା ଲାଗି ରହିଛି। ତେବେ ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମରେ ହନୁମାନ ଜୟନ୍ତୀ ସମନ୍ବୟ ସମିତି ପକ୍ଷରୁ ଶୋଭାଯାତ୍ରା ଠିକ୍ ସମୟରେ ହେବ ବୋଲି ଘୋଷଣା କରାଯାଇଥିବା ବେଳେ ଏଥିପାଇଁ ଠିକ୍ ସମୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ଅନନ୍ୟା ଦାସ ସ୍ପଷ୍ଟ କରିଛନ୍ତି।ଗତକାଲି ବାଇକ୍ ରାଲି ସମୟରେ ହୋଇଥିବା ହିଂସାକାଣ୍ଡରେ ହନୁମାନ ଭକ୍ତଙ୍କଠାରୁ ଆରମ୍ଭ କରି ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ପର୍ଯ୍ୟନ୍ତ ୨୦ରୁ ଅଧିକ ଆହତ ହୋଇଥିଲେ। ଏହି ମାମଲାକୁ ନେଇ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଥିବା ବେଳେ ପୁଲିସ ନିଜଆଡ଼ୁ ଏକ ମାମଲା ରୁଜୁ କରିଛି। ବରେଇପାଲି ଥାନାଧିକାରୀ ଧୀରେନ୍ଦ୍ର କୁମାର ସ୍ବାଇଁଙ୍କ ଅଭିଯୋଗ କ୍ରମେ ଆଇପିସି ଧାରା ୧୪୭, ୧୪୮, ୩୨୩, ୩୨୪, ୩୨୫, ୩୨୬, ୩୦୭, ୧୫୩-ଏ, ୨୯୫-ଏ, ୨୯୬, ୨୯୮, ୩୩୨, ୩୫୩, ୪୨୭, ୪୩୫, ୨୯୪, ୧୪୯, ଆର୍ମ୍ସ ଆକ୍ଟ ୨୫(୧)(ଏ), ଆର୍ମସ୍‌ ଆକ୍ଟ ୨୭ରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ସମ୍ପୃକ୍ତ ଥିବା ସନ୍ଦେହରେ ୪୩ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗୁରୁବାର ସୁଦ୍ଧା ଉଠାଇ ନେଇଥିବା ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର କହିଛନ୍ତି। ସେମାନଙ୍କ ମଧ୍ୟରୁ ୨୬ ଜଣଙ୍କ ବିରୋଧରେ ପ୍ରମାଣ ହସ୍ତଗତ ହୋଇଛି। ପୁଲିସ ବୁଧବାର ରାତିରେ ବିଭିନ୍ନ ସ୍ଥାନରେ ଚଢ଼ାଉକରି ଏହି ଅଭିଯୁକ୍ତଙ୍କୁ ଧରିବା ସହ ସେମାନଙ୍କ ପାଖରୁ ପେଟ୍ରୋଲ୍ ବମ୍, ଇଟା, ଖଣ୍ଡା ଆଦି ଜବତ କରିଛି ବୋଲି ଏସ୍‌ପି କହିଛନ୍ତି।

ଅନ୍ୟପଟେ ଆଜି ହନୁମାନ ଜୟନ୍ତୀ ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ପାଇଁ ଗୁରୁବାର ସବୁ ସମ୍ପ୍ରଦାୟର ଲୋକଙ୍କୁ ନେଇ ପୁଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ବୈଠକରେ ଆଲୋଚନା କରାଯାଇ ଥିଲା। ବାଇକ୍ ରାଲି ଅବସରରେ ହୋଇଥିବା ପଥରମାଡ଼ ଘଟଣାକୁ ଦୁଃଖଦାୟକ ବୋଲି କହିବା ସହ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ କହିଛନ୍ତି। ଅନ୍ୟପଟେ ହନୁମାନ ସମନ୍ବୟ ସମିତି ପକ୍ଷରୁ ଗୁରୁବାର ଅପରାହ୍ଣ ୩ଟାରୁ ୩୬ ଘଣ୍ଟା ଯାଏ ଦୋକାନ ବଜାର ବନ୍ଦ ଡାକରା ଦିଆଯାଇଛି। ଏହି ଡାକରାକୁ ସମ୍ବଲପୁର ଜିଲ୍ଲା ବିଜେପି ପକ୍ଷରୁ ସମର୍ଥନ କରାଯାଇଛି। ବନ୍ଦ ଡାକରା ପରେ ସହରରେ ଦୋକାନ ବଜାରଗୁଡ଼ିକ ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି।

ଅନ୍ୟପଟେ ସ୍ଥିତି ନିୟନ୍ତ୍ରଣରେ ଥିବା ଦର୍ଶାଇବା ସହ ଶୁକ୍ରବାର ହେବାକୁ ଥିବା ହନୁମାନ ଜୟନ୍ତୀ ଶୋଭାଯାତ୍ରା ପାଇଁ ପୁଲିସ ପକ୍ଷରୁ ସହରର ସମ୍ବେଦନଶୀଳ ଅଂଚଳରେ ଅପରାହ୍ନ ୫ଟା ସମୟରେ ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି। ଏହି ଅବସରରେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ଉପସ୍ଥିତ ରହି ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହ ପରିସ୍ଥିତି ନେଇ ଆଲୋଚନା କରିଥିଲେ। ଆଇନଶୃଙ୍ଖଳା ସ୍ଥିତିକୁ ନଜରରେ ରଖି ଡିଆଇଜିଙ୍କ ନେତୃତ୍ବରେ ଏସ୍‌ପି, ୯ ଏଏସ୍‌ପି ଓ ୨୭ ଡିଏସ୍‌ପିଙ୍କ ସମେତ ୪୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସିସିଟିଭି ଓ ଡ୍ରୋନ୍ ମାଧ୍ୟମରେ ନଜର ରଖାଯାଇଥିବା କୁହାଯାଇଛି। ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆ ଯାଇଛି। ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ ରହିବ ବୋଲି କହାଯାଇଛି। ଗୁରୁବାର ଦିନ ୧୦ଟାରୁ ସେବା ବନ୍ଦ ରହିଛି।ବାଇକ୍ ରାଲି ସମୟରେ ଉପସ୍ଥିତ ଥିବା ବରେଇପାଲି ଥାନାଧିକାରୀ ଧୀରେନ୍ଦ୍ର କୁମାର ସ୍ବାଇଁଙ୍କ ଅଭିଯୋଗ ଆଧାରରେ ଆଇମାନ୍, ଆଇସାଫ୍ ଅଲ୍ଲୀ, ଆସିଆନ୍, କାଲୁ, ଦାନିସ୍, ସଦ୍ଦାମ୍, ଇରଫାନ୍, ଚଟଲୁ, ସୁଲତାନ, ଛୋଟୁ ବାବୁ, କାଲ୍ଲୁ, ସାହିଦ, ସାବିଲ୍, ମହମ୍ମଦ ହୁସେନ୍, ଅବଦୁଲ୍ଲାର ପୁଅ ସହ ୧୫୦ରୁ ୧୬୦ ଜଣଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି। ଅଭିଯୋଗ ଅନୁଯାୟୀ, ସେ ମୋତିଝରଣ ଛକ ନିକଟରେ ଏସ୍ଆଇ ଧର୍ମେନ୍ଦ୍ର ଭୁଏ ଓ ଗୋଟିଏ ସେକ୍ସନ୍ ଫୋର୍ସ ସହ ଆଇନ ଶୃଙ୍ଖଳା ସ୍ଥିତି ପାଇଁ ନିୟୋଜିତ ଥିଲେ। ସନ୍ଧ୍ୟା ୬ଟା ସମୟରେ ଶୋଭାଯାତ୍ରାର ଅଧାଲୋକ ମୋତିଝରଣ ଛକ ଅତିକ୍ରମ କରି ସାରିଥିଲେ। ଆଉ କିଛି ଛକ ନିକଟରେ କିଛି ସମୟ ରହି ଜୟ ଶ୍ରୀରାମ, ଜୟ ବଜରଙ୍ଗ ବାଲି ନାରା ଦେଇ ପତାକା ହଲାଇଥିଲେ। ଏହି ସମୟରେ ଅନ୍ୟ ସମ୍ପ୍ରଦାୟର ୨୦୦ରୁ ଅଧିକ ସଭ୍ୟ ଏହି ନାରାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରି ଗାଳିଗୁଲଜ କରିଥିଲେ। ଜାଗା ଛାଡ଼ିବାକୁ ମଧ୍ୟ ଧମକ ଦେଇଥିଲେ। ତାପରେ ଛାତ ଉପରୁ ଆରମ୍ଭ ହୋଇ ଯାଇଥିଲା ପଥର ମାଡ଼। ରାଲିରେ ଥିବା ଲୋକଙ୍କ ସମେତ ଧନୁପାଲି ଥାନାଧିକାରୀ, ଟାଉନ୍ ଥାନାଧିକାରୀଙ୍କ ସମେତ ୧୦ରୁ ଅଧିକ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଅପରପକ୍ଷରେ ହନୁମାନ ଜୟନ୍ତୀ ସମନ୍ବୟ ସମିତିର କାର୍ଯ୍ୟକାରୀ ସଭାପତି ଦାମୋଦର କର ଗୁରୁତର ଆହତ ହୋଇଥିବା ବେଳେ ସଂକଟାପନ୍ନ ଅବସ୍ଥାରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

Leave a Reply

Your email address will not be published. Required fields are marked *