ମୁଖ୍ୟ ଖବର

ଶ୍ରମମନ୍ତ୍ରୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ବର : ରାଜ୍ୟର ଜଣେ ମନ୍ତ୍ରୀ ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ ସଂଗିନ ଅଭିଯୋଗ ଆସିଛି। ଏନେଇ ମହିଳା ଜଣଙ୍କ ମହିଳା ଥାନାରେ ଅଭିଯୋଗ କରିଛନ୍ତି। ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି। ଏହାକୁ ନେଇ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି ହୋଇଛି। ଏଭଳି ଅଭିଯୋଗ ଆସିବା ପରେ ମନ୍ତ୍ରୀଙ୍କ ପାଇଁ ଅଡ଼ୁଆ ବଢ଼ିଛି।

ସୂଚନା ମୁତାବକ, ମହିଳାଙ୍କର ଶାସକ ଦଳରେ ଦବ୍‌ଦବା ରହିଛି। ମନ୍ତ୍ରୀଙ୍କ ସହ ଘନିଷ୍ଠତା ଯୋଗୁଁ ଶ୍ରମ ବିଭାଗରେ ମଧ୍ୟ ତାଙ୍କର ବେଶ ଖାତିର୍‌ ରହିଛି। କିଛିଦିନ ତଳେ ମହିଳା ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ପାଇଁ ବାହାରିଥିଲେ। ହେଲେ ଘଟଣାକୁ ଚପାଇ ଦିଆଯାଇଥିଲା। ଆଜି ଅର୍ଥାତ ଗୁରୁବାର ସକାଳ ସାଢ଼େ ୧୦ଟା ସମୟରେ ମହିଳା ଜଣଙ୍କ ମହିଳା ଥାନାରେ ପହଞ୍ଚି ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ମନ୍ତ୍ରୀଙ୍କ ନାଁରେ ଅଭିଯୋଗ ଶୁଣି ପୁଲିସ ଚାପ ବଢ଼ିଯାଇଥିଲା। ପ୍ରକୃତରେ ଘଟଣା କ’ଣ? ଏହା ପଛରେ କେତେ ସତ୍ୟତା ଅଛି? ବାସ୍ତବ ଘଟଣା ଜାଣିବା ପାଇଁ ମହିଳାଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲା। ଦିନ ୧୧ଟାରୁ ଅପରାହ୍ନ ୫ଟା ଯାଏ ୬ଘଣ୍ଟା ଧରି ପୁଲିସ ଓ ମହିଳାଙ୍କ ମଧ୍ୟରେ ରୁଦ୍ଧଦ୍ବାର ଆଲୋଚନା ହୋଇଥିଲା। ‌ଶେଷରେ ଅପରାହ୍ଣ ୫ଟାରେ ପୁଲିସ ମହିଳାଙ୍କୁ ଡାକ୍ତରୀ ମାଇନା ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲା। ସେଠାରେ ଡାକ୍ତରୀ ମାଇନା ପରେ ରାତି ପାଖାପାଖି ୯ଟା ସମୟରେ ମହିଳା ଜଣଙ୍କ ଥାନାକୁ ପହଞ୍ଚିଥିଲେ।

ଖବରପାଇ ଗଣମାଧ୍ୟମ ପ୍ରତିନିଧି ଘେରିଯାଇ ମହିଳାଙ୍କୁ ପ୍ରଶ୍ନ କରିବାରୁ ମହିଳା କହିଥିଲେ, ମୁଁ ମାନସିକ ଚାପରେ ଅଛି। ମୋର ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ଅଛି। ମୁଁ ଥାନାରେ ଏଫ୍‌ଆଇଆର୍‌ କରିଛି। ପୁଲିସ ଉପରେ ଭରସା ଅଛି। ନିଶ୍ଚିତ ନ୍ୟାୟ ପାଇବି ବୋଲି ସେ କହିଥିଲେ। ପରେ ସେ ‌ଥାନା ଭିତରକୁ ଚାଲିଯାଇଥିଲେ। ତ‌େବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପୁଲିସ ତାଙ୍କୁ ଥାନାରେ ପଚରା ଉଚରା କରିଥିଲା।

Leave a Reply

Your email address will not be published. Required fields are marked *