ମୁଖ୍ୟ ଖବର

ବାରହା ଆକ୍ରମଣରେ ଦୁଇ ଗୁରୁତର

ଓଡ଼ଗାଁ: ଓଡ଼ଗାଁ ବ୍ଲକ୍ ଶରଣକୂଳ ଥାନା ଶିଖରପୁର ଗ୍ରାମର ସୁବାସ ବଡ଼ତିଆ (୬୫) ନିକଟସ୍ଥ କୁସୁମୀ ନଦୀକୁ ଶୈାଚ ପାଇଁ ଯାଇଥିବା ସମୟରେ ବାରହା ଆକ୍ରମଣର ଶିକାର ହୋଇଥିଲେ। ବାରହା ତାଙ୍କୁ ତଳେ ପକାଇ କାମୁଡ଼ିବା ଦ୍ବାରା ସୁବାସ ଚିତ୍କାର କରିବାକୁ ଲାଗିଲେ। ଚିତ୍କାର ଶୁଣି ବାଡ଼ିରୁ ପାଳ ନେବାକୁ ଆସିଥିବା ବେଣୁଧର ରାଉତ (୪୫) ଘଟଣା ସ୍ଥଳରେ ପହଞ୍ଚି ବାରହାକୁ ଘଉଡ଼ାଇବାକୁ ଉଦ୍ୟମ କରି ସେ ମଧ୍ୟ ବାରହା ଆକ୍ରମଣର ଶିକାର ହୋଇଥିଲେ। ରକ୍ତ ଜୁଡୁବୁଡୁ ହୋଇ ଦୁହେଁ ତଳେ ପଡି ଚିତ୍କାର କରିବା ସମୟରେ ଅବଶ୍ୟ ବାରହା ସେହି ସ୍ଥାନ ଛାଡ଼ି ଚାଲି ଯାଇଥିଲା।
ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁଇଜଣଙ୍କୁ ପ୍ରଥମେ ଶରଣକୂଳ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସୁବାସଙ୍କର ଦୁଇଗୋଡ଼ ଓ ଦୁଇହାତରେ ଗଭୀର କ୍ଷତ ହୋଇଥିବା ବେଳେ ବେଣୁଧରଙ୍କର ମୁଣ୍ତ, ହାତ ଓ ଗୋଡ଼ରେ କ୍ଷତ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ସୁବାସ ଏବେ ମୃତ୍ୟୁ ସହ ସଂଘର୍ଷ କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ଜଙ୍ଗଲ ଛାଡ଼ି ବାରହାମାନେ ଗାଁ ପୋଖରୀ ଓ ନଦୀ ନିକଟରେ ରହୁଛନ୍ତି। ଏଭଳି ୨୦ରୁ ୩୦ଟି ବାରହା ଶରଣକୂଳ ନିକଟବର୍ତ୍ତୀ ଭଣ୍ତାର ପାହାଡ଼ରୁ ଆସିଥିବା ଗ୍ରାମବାସୀମାନେ କହିଛନ୍ତି।
ଜଙ୍ଗଲରେ ନିଆଁ ଲାଗିବା ଏବଂ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବା ଯୋଗୁ ବନ୍ୟଜନ୍ତୁ ପାଣି ପାଇଁ ଗାଁମୁହାଁ ହେଉଥିବା ଜଣାପଡ଼ିଛି। ବାରହା ଆକ୍ରମଣ ଘଟଣା ବନ ବିଭାଗ ପାଖରେ ଥିଲେ ମଧ୍ୟ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ପାଖରେ ପହଞ୍ଚି ଭଲମନ୍ଦ ବୁଝିନାହାନ୍ତି। କେବଳ ଚିକିତ୍ସା ବାବଦକୁ ଖର୍ଚ୍ଚ ପ୍ରଦାନ କରାଯିବ ବୋଲି କହି ଘଟଣାକୁ ଏଡ଼ାଇ ଯାଇଛନ୍ତି।

Leave a Reply

Your email address will not be published. Required fields are marked *