ମୁଖ୍ୟ ଖବର

ତାତିରୁ ତ୍ରାହି ନାହିଁ: ଆଜି ଆଉ ୧ ଡିଗ୍ରି ବଢ଼ିବ

ଭୁବନେଶ୍ବର : ପ୍ରଚଣ୍ଡ ଖରା ଯୋଗୁଁ ତତଲା ତାୱା ପାଲଟିଛି ସାରା ଓଡ଼ିଶା। ପାରଦ ଦିନକୁ ଦିନ ଉପରମୁହାଁ ହେବାରେ ଲାଗିଛି। ଗୁରୁବାର ଦିନ ରାଜ୍ୟର ୨୫ଟି ସହରରେ ତାପମାତ୍ରା ୪୦ ଡିଗ୍ରିରୁ ଅଧିକ ରେକର୍ଡ ହୋଇଥିବା ବେଳେ ୮ ସହରର ପାରଦ ୪୨ ଡିଗ୍ରି ପାର୍‌ କରିଛି। ୪୩.୫ ଡିଗ୍ରି ତାପମାତ୍ରା ସହ ବାରିପଦା ରାଜ୍ୟର ଉତ୍ତପ୍ତ ସହର ତାଲିକାର ସର୍ବାଗ୍ରେ ରହିଛି। ଆଜି(ଶୁକ୍ରବାର) ବି ରାଜ୍ୟବାସୀଙ୍କୁ ତାତିରୁ ତ୍ରାହି ନାହିଁ। ଓଡ଼ିଆ ନବବର୍ଷ ବା ପଣା ସଂକ୍ରାନ୍ତିରେ ରାଜ୍ୟର ତାପମାତ୍ରା ଆହୁରି ୧ ଡିଗ୍ରି ବୃଦ୍ଧିପାଇବ। ଫଳରେ ପ୍ରଚଣ୍ଡ ଖରା ଓ ଗର‌ମରେ ଆଉଟୁ ପାଉଟୁ ହେବେ ରାଜ୍ୟବାସୀ। ଏଣୁ ଆସନ୍ତା ୨ ଦିନ ପାଇଁ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆଜି ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳ ଆଦି ୮ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୨ ଦିନ ଯାଏ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୫ ଡିଗ୍ରି ଯାଏ ବଢ଼ିବାର ସମ୍ଭାବନା ରହିଛି। ଆଜି ଅନୁଗୁଳ, ବୌଦ୍ଧ ଓ ସୋନପୁରରେ ୪୨.୫, ଟିଟିଲାଗଡ଼ରେ ୪୨.୨, ତାଳଚେର, ଭବାନୀପାଟଣା ଓ ବଲାଙ୍ଗୀରରେ ୪୨ ଡିଗ୍ରି ଲେଖାଏଁ ଦିନ ତାପମାତ୍ରା ରେକର୍ଡ ହୋଇଛି। ସେହିଭଳି ବାଲେଶ୍ବରରେ ୪୦, ଚାନ୍ଦବାଲିରେ ୪୧.୩, କଟକରେ ୪୧.୪, ଭୁବନେଶ୍ବରରେ ୪୦.୮, ଝାରସୁଗୁଡ଼ାରେ ୪୧.୮, ନୟାଗଡ଼ରେ ୪୦, ପାରଳାଖେମୁଣ୍ଡିରେ ୪୦.୬, ଭଦ୍ରକରେ ୪୧, ଯାଜପୁରରେ ୪୦.୨, ଢେଙ୍କାନାଳରେ ୪୦.୫, ନୂଆପଡ଼ାରେ ୪୦, ଜଗତସିଂହପୁରରେ ୪୦.୫, ରାଉରକେଲାରେ ୪୧, ସମ୍ବଲପୁରରେ ୪୧.୬, ସୁନ୍ଦରଗଡ଼ରେ ୪୧, ଫୁଲବାଣୀରେ ୪୦.୩, ହୀରାକୁଦରେ ୪୦.୬ ଡିଗ୍ରି ଲେଖାଏଁ ତାପମାତ୍ରା ରେକର୍ଡ ହୋଇଛି।

Leave a Reply

Your email address will not be published. Required fields are marked *