ମହାନଗର

୪ ବର୍ଷ ପରେ ବି ସରୁନି ୪୦ ମିଟର ରାସ୍ତା କାମ

କଟକ : ୪୦ ମିଟର ରାସ୍ତା କାମକୁ ୪ ବର୍ଷ ବିତିଯାଇଥିଲେ ବି ଶେଷ ହୋଇପାରୁନାହିଁ। ଏଥିପାଇଁ କଲ୍ୟାଣନଗର ବାସିନ୍ଦା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଅଭିଯୋଗ କଲେ କର୍ତ୍ତୃପକ୍ଷ ଶୁଣୁ ନ ଥିବା ବେଳେ ଯାତାୟାତ ପାଇଁ ହଇରାଣ ହେବାକୁ ପଡୁଛି। ଅଭିଯୋଗ ମୁତାବକ କଲ୍ୟାଣନଗରରେ ଜାଇକାର ଡ୍ରେନ୍‌ କାମ ଚାଲୁଛି। ଏହି କାମ ବହୁ ବିଳମ୍ବ ହେଉଥିବାରୁ ଲୋକେ ସମସ୍ୟା ଭୋଗୁଛନ୍ତି। କେତେକ ସ୍ଥାନରେ ଖୋଳିଦିଆଯାଉଛି କିନ୍ତୁ ମରାମତି କରାଯାଉନାହିଁ। କାମ ସରୁ ନ ଥିବାରୁ ବର୍ଷାଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଛି। ବର୍ଷା ହେଲେ ଅଞ୍ଚଳ ଜଳମଗ୍ନ ହୋଇ ଘରେ ପାଣି ପଶୁଛି। କଲ୍ୟାଣନଗର ରାସ୍ତା ଓଏମ୍‌ପି ମୁଖ୍ୟରାସ୍ତାକୁ ସଂଯୋଗ କରୁଥିବାବେଳେ ଏଭଳି ବିପର୍ଯ୍ୟସ୍ତ ସ୍ଥିତି ଯୋଗୁ ଦୈନନ୍ଦିନ ଛୋଟ ବଡ଼ ଦୁର୍ଘଟଣା ଘଟି ଲୋକେ ଆହତ ହେଉଛନ୍ତି। କିଛିଦିନ ତଳେ ଜଣେ ସ୍କୁଲ ପିଲା ଏହି ରାସ୍ତାରେ ଯିବାବେଳେ ସାଇକେଲରୁ ଖସିପଡ଼ି ଆହତ ହୋଇଥିଲେ। ମୁଖ୍ୟ ରାସ୍ତାଟିକୁ ଖୋଳି ଦିଆଯାଇଥିବାରୁ ଆମ୍ବୁଲାନ୍ସ ଅଧାବାଟରେ ଅଟକି ରହୁଛି। ଏପରି କି ଲୋକେ କାହା ନିକଟରେ ଅଭିଯୋଗ କରିବେ ସେ ସଂକ୍ରାନ୍ତରେ କୌଣସି ସୂଚନାଫଳକ ଲଗାଯାଇନାହିଁ। ଦୀର୍ଘବର୍ଷ ଧରି ଏଭଳି ଅସୁବିଧା ଲାଗିରହିଥିବାରୁ ଅଞ୍ଚଳବାସୀ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଜାଇକାର ବିଳମ୍ବିତ କାର୍ଯ୍ୟ ଯୋଗୁ ସମସ୍ୟା ବଢ଼ିବାରେ ଲାଗିଛି। ଏ ନେଇ ଜନଅସନ୍ତୋଷ ମଧ୍ୟ ବୃଦ୍ଧି ପାଉଛି। ଏ ସଂକ୍ରାନ୍ତରେ ମେୟର ସୁବାସ ସିଂ କହିଛନ୍ତି, ଜାଇକା କାର୍ଯ୍ୟ ଦ୍ରୁତଗତିରେ ଚାଲିଛି ଓ ଖୁବ୍‌ଶୀଘ୍ର ଶେଷ ହେବ।

Leave a Reply

Your email address will not be published. Required fields are marked *