ମୁଖ୍ୟ ଖବର

୪୦ ଡିଗ୍ରି ଉପରେ ୨୫ ସହର

ଭୁବନେଶ୍ବର: ଗ୍ରୀଷ୍ମ ପ୍ରବାହ ରାଜ୍ୟରେ ଜାରି ରହିଛି। ସକାଳ ୮ଟା ହେବା ମାତ୍ରେ ସୂର୍ଯ୍ୟଦେବତାଙ୍କ ପ୍ରଖର କିରଣ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଗତକାଲି ଭଳି ଆଜି ପୁଣି ଥରେ ରାଜ୍ୟର ୨୫ଟି ସହରରେ ତାପମାତ୍ରା ୪୦ ଡିଗ୍ରି ରେକର୍ଡ କରାଯାଇଛି। ମୟୂରଭଂଜ ଜିଲ୍ଲା ସଦର ମହକୁମା ବାରିପଦାରେ ଶୁକ୍ରବାର ସର୍ବୋଚ୍ଚ ଦିନ ତାପମାତ୍ରା ୪୪ଡ଼ିଗ୍ରି ରେକର୍ଡ ହୋଇଛି। ସେହିଭଳି ଟ୍ୱିନ ସିଟିରେ ତାପମାତ୍ରା ୪୦ଡ଼ିଗ୍ରି ଅତିକ୍ରମ କରିଛି। କଟକରେ ଏହା ୪୧.୨ ଥିବା ବେଳେ ଭୁବନେଶ୍ୱରରେ ୪୦.୬ ଡ଼ିଗ୍ରି ପାରା ଛୁଇଁଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଝାରସୁଗୁଡ଼ା ଦ୍ବିତୀୟ ସର୍ବାଧିକ ଉତ୍ତପ୍ତ ସହର ଭାବେ ୪୨. ୮ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ସେହିପରି ତାଳଚେରରେ ୪୨.୬ ଡିଗ୍ରି ପାରା ପହଞ୍ଚିଛି। ବୌଦ୍ଧ ଓ ଟିଟିଲାଗଡ଼ (୪୨.୫ ଡିଗ୍ରି), ସମ୍ବଲପୁର ଓ ବଲାଙ୍ଗୀର (୪୨.୨ ଡିଗ୍ରି), ଅନୁଗୁଳ ଓ ସୋନପୁର (୪୨.୧ଡିଗ୍ରି) ତାପମାତ୍ରା ରେକର୍ଡ ହୋଇଛି।

ଅନ୍ୟପଟରେ କାଲିଠାରୁ ରାଜ୍ୟରେ ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ହେବ ବୋଲି ଆଶଙ୍କା କରାଯାଉଛି। ଆଗାମୀ ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା ରହିଛି। ୧୬ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ୧୭ରେ ଉତ୍ତର ଉପକୂଳ ଓ ୧୮ରେ ପୂରା ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *