ମୁଖ୍ୟ ଖବର

ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବହିଷ୍କାର ଦାବି କଲା ବିଜେପି

ଭୁବନେଶ୍ବର: ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନାଆଁରେ ଦୁଷ୍କର୍ମ ଅଭିଯୋଗ ଆସିବା ପରେ ତାଙ୍କର ବହିଷ୍କାର ଦାବି କରିଛି ବିଜେପି।ରାଜ୍ୟ ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ମନ୍ତ୍ରିମଣ୍ଡଳରୁ ମୁଖ୍ୟମନ୍ତ୍ରୀ ତୁରନ୍ତ ବହିଷ୍କାର କରନ୍ତୁ ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି ଯେ ପୀଡ଼ିତାଙ୍କ ଜୀବନ ପ୍ରତି ବିପଦ ରହିଛି।
ସୂଚନା ମୁତାବକ, ଜଣେ ମହିଳା ମହିଳା ଥାନାରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନାଆଁରେ ଦୁଷ୍କର୍ମ ଅଭିଯୋଗ କରିଛନ୍ତି। ଉକ୍ତ ମହିଳାଙ୍କର ଶାସକ ଦଳରେ ଦବଦବା ରହିଛି। ମନ୍ତ୍ରୀଙ୍କ ସହ ଘନିଷ୍ଠତା ଯୋଗୁଁ ଶ୍ରମ ବିଭାଗରେ ମଧ୍ୟ ତାଙ୍କର ବେଶ ଖାତିର୍ ରହିଛି। କିଛିଦିନ ତଳେ ମହିଳା ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ପାଇଁ ବାହାରିଥିଲେ। ହେଲେ ଘଟଣାକୁ ଚପାଇ ଦିଆଯାଇଥିଲା। ଗତକାଲି ଗୁରୁବାର ସକାଳ ସାଢ଼େ ୧୦ଟା ସମୟରେ ମହିଳା ଜଣଙ୍କ ମହିଳା ଥାନାରେ ପହଞ୍ଚି ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ମନ୍ତ୍ରୀଙ୍କ ନାଁରେ ଅଭିଯୋଗ ଶୁଣି ପୁଲିସ ଚାପ ବଢ଼ିଯାଇଥିଲା। ପ୍ରକୃତରେ ଘଟଣା କ’ଣ? ଏହା ପଛରେ କେତେ ସତ୍ୟତା ଅଛି? ବାସ୍ତବ ଘଟଣା ଜାଣିବା ପାଇଁ ମହିଳାଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲା। ଦିନ ୧୧ଟାରୁ ଅପରାହ୍ନ ୫ଟା ଯାଏ ୬ଘଣ୍ଟା ଧରି ପୁଲିସ ଓ ମହିଳାଙ୍କ ମଧ୍ୟରେ ରୁଦ୍ଧଦ୍ବାର ଆଲୋଚନା ହୋଇଥିଲା। ଶେଷରେ ଅପରାହ୍ଣ ୫ଟାରେ ପୁଲିସ ମହିଳାଙ୍କୁ ଡାକ୍ତରୀ ମାଇନା ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ପଠାଇଥିଲା। ସେଠାରେ ଡାକ୍ତରୀ ମାଇନା ପରେ ରାତି ପାଖାପାଖି ୯ଟା ସମୟରେ ମହିଳା ଜଣଙ୍କ ଥାନାକୁ ପହଞ୍ଚିଥିଲେ।ଖବରପାଇ ଗଣମାଧ୍ୟମ ପ୍ରତିନିଧି ଘେରିଯାଇ ମହିଳାଙ୍କୁ ପ୍ରଶ୍ନ କରିବାରୁ ମହିଳା କହିଥିଲେ, ମୁଁ ମାନସିକ ଚାପରେ ଅଛି। ମୋର ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ଅଛି। ମୁଁ ଥାନାରେ ଏଫ୍ଆଇଆର୍ କରିଛି। ପୁଲିସ ଉପରେ ଭରସା ଅଛି। ନିଶ୍ଚିତ ନ୍ୟାୟ ପାଇବି ବୋଲି ସେ କହିଥିଲେ। ପରେ ସେ ଥାନା ଭିତରକୁ ଚାଲିଯାଇଥିଲେ। ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପୁଲିସ ତାଙ୍କୁ ଥାନାରେ ପଚରା ଉଚରା କରିଥିଲା।

Leave a Reply

Your email address will not be published. Required fields are marked *