ଧର୍ମ

ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ

ବାଲୁଗାଁ:-ବାଲୁଗାଁ ଅଞ୍ଚଳର ଆରାଧ୍ୟ ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ଅନୁଷ୍ଠିତ ହୋଇଯାଇଛି।ପବିତ୍ର ମହାବିଷୁବ ସଂକ୍ରାନ୍ତି ପରିପ୍ରେକ୍ଷୀରେ ଉମାମହେଶ୍ୱର ଦେବଙ୍କ ପୀଠରେ ମଧ୍ୟ ରାତ୍ରିରୁ ପାଟପଟୁଆର,ବାଜା ରୋଷଣୀରେ ଆଖପାଖ ଅଞ୍ଚଳର ୧୬ ଦେବା ଦେବୀଙ୍କ ବିଜେ ପ୍ରତିମା ଆଗମନ ହୋଇ ଆସ୍ଥାନ ବିରାଜମାନ କରିଥିଲେ।ପ୍ରାତଃ କାଳରେ ସକାଳ ଭୋଗ,ମଧ୍ୟାହ୍ନରେ ମଧ୍ୟାହ୍ନ ଭୋଗ କରାଯିବାସହ ଅପରାହ୍ନରେ ହୋମ ପୂର୍ଣ୍ଣାହୁତି ହୋଇଥିଲା।ପୂର୍ଣ୍ଣାହୁତି ପରେ ସମସ୍ତ ବିଜେ ପ୍ରତିମା ଦେବା ଦେବୀଙ୍କ ନିକଟରେ ମେଳଣ ଭୋଗ ଲାଗି ହେବାପରେ ମେଳଣ ପର୍ବ ଅନୁଷ୍ଠିତ ହୋଇଥିଲା।ବାବା ଉମାମହେଶ୍ୱର ଦେବଙ୍କ ଅପାର କରୁଣା ତଥା ଅଞ୍ଚଳର ପ୍ରତ୍ୟକ୍ଷ ଶୈବପୀଠ ହୋଇଥିବାରୁ ଆଖପାଖ ଅଞ୍ଚଳର ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା।ଅନୁଷ୍ଠିତ ଶମ୍ଭୁମିଳନ ମହୋତ୍ସବରେ ଉମାମହେଶ୍ୱର ଦେବଙ୍କ ପୀଠରେ ଆଖପାଖ ଅଞ୍ଚଳର ନିମନ୍ତ୍ରିତ ଦେବା ଦେବୀଙ୍କ ମେଳଣ ଅନୁଷ୍ଠିତ ହୋଇଥିଲା।ଏହି ମେଳଣ ପର୍ବରେ ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ ନିମନ୍ତ୍ରଣ କ୍ରମେ ଗବପଦର ବିଜେ ଶ୍ରୀ ଶ୍ରୀ ରାମେଶ୍ୱର ଦେବ,ବାଙ୍କନିଧି ଦେବ,ସିଙ୍ଗେଶ୍ୱର ବିଜେ ଶ୍ରୀ ଶ୍ରୀ ସିଂହନାଥ ଦେବ,ନିମିକ୍ଷେତା ବିଜେ ଶ୍ରୀ ଶ୍ରୀ ନିଳକଣ୍ଠେଶ୍ୱର ଦେବ,ଦୋଳମୁଣ୍ଡାଇ ବିଜେ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ଦେବ,ବଡ଼କୁଳ ବିଜେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଦେବ,ମଙ୍ଗରାଜପୁର ବିଜେ ଶ୍ରୀ ଶ୍ରୀ ଗତିଶ୍ୱର ଦେବ,ରଘୁନାଥପୁର ବିଜେ ଶ୍ରୀ ଶ୍ରୀ ଗୁପ୍ତେଶ୍ଵର ଦେବ,ସାନ୍ତରାପୁର ବିଜେ ଶ୍ରୀ ଶ୍ରୀ ଦଧିବମାନ ଦେବ,ପାଟଣା ସାହି ବିଜେ ଶ୍ରୀ ଶ୍ରୀ ଗୋପାଳଜୀଉ ଦେବ,ବାଲୁଗାଁ ବିଜେ ଶ୍ରୀ ଶ୍ରୀ ରଘୁନାଥ ଦେବ,କୂଲାକୁଣ୍ଢେଇ ବିଜେ ଶ୍ରୀ ଶ୍ରୀ ରାଧାଗୋବିନ୍ଦ ଦେବ,ପାଟଣା ସାହି ମା ଜାଗୁଳାଇ ଠାକୁରାଣୀ,ଗୁଣ୍ଡୁରିପୁର ମା ଜାଗୁଳାଇ ଠାକୁରାଣୀ,ବାଲୁଗାଁ ମା ଚଣ୍ଡୀ ଠାକୁରାଣୀଙ୍କ ବିଜେ ପ୍ରତିମା ବିମାନ ମାନ ସାମିଲ ହୋଇଥିଲେ।ମେଳଣ ପଡିଆ ଠାରେ ସୁରୁଖୁରୁରେ ମେଳଣ ପର୍ବ ସରିଥିବା ବେଳେ ଲୋକଙ୍କ ଭିଡ଼କୁ ନିୟନ୍ତ୍ରିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମକୁ ମନ୍ଦିର ଟ୍ରଷ୍ଟି, କମିଟି ସଦସ୍ୟ ଏବଂ ଆଖପାଖ ଅଞ୍ଚଳବାସୀ ମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *