ମହାନଗର

ହାଣ୍ଡିଭଙ୍ଗା ଯାତ ବଞ୍ଚାଇବାକୁ ପ୍ରଶାସନର କସରତ

ଭୁବନେଶ୍ବର: ଆସନ୍ତା ଶନିବାର ପଡ଼ୁଛି ପାରମ୍ପରିକ ହାଣ୍ଡିଭଙ୍ଗା ଯାତ। ପ୍ରଭୁ କପିଳେଶ୍ବରଙ୍କ ଏହି ବିଧି ଓ ପରମ୍ପରା ଗତ ୮ ବର୍ଷ ହେଲା ବନ୍ଦ ହୋଇଯାଇଛି। ଖୁଣ୍ଟିଆ ସେବାୟତ ଓ ମଲିଆ ସେବାୟତଙ୍କ ମଧ୍ୟରେ ଲାଗିରହିଥିବା ବିବାଦ ହାଇକୋର୍ଟଙ୍କ ପର୍ଯ୍ୟନ୍ତ ଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ପ୍ରଶାସନ ପରମ୍ପରା ରକ୍ଷା କରିବାକୁ କସରତ ଆରମ୍ଭ କରିଛି। ଆଜି ପ୍ରଶାସନ ପକ୍ଷରୁ ହୋଇଥିବା ବୈଠକରେ ସେବାୟତମାନେ ୨୪ ଘଣ୍ଟାର ମହଲତ ନେଇଥିବା ଜଣାପଡ଼ିଛି। ତେଣୁ ଏଥର ହାଣ୍ଡିଭଙ୍ଗା ଯାତ ହେବା ନେଇ ଆଶା ସୃଷ୍ଟି ହୋଇଛି ବୋଲି କୁହାଯାଉଛି।

ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ପ୍ରଥମେ କପିଳେଶ୍ବର ଟ୍ରଷ୍ଟ ବୋର୍ଡ ବୈଠକ ଡାକି ୮ ବର୍ଷ ତଳର ବିବାଦ ପ୍ରସଙ୍ଗ ବୁଝିଥିଲେ। ଏହା ପରେ ତାଙ୍କ ଅଧ୍ୟକ୍ଷତାରେ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଦୁଇ ସେବାୟତ ଗୋଷ୍ଠୀଙ୍କୁ ‌ନେଇ ବୈଠକ ବସିଥିଲା। ସନ୍ଧ୍ୟା ୬ରୁ ରାତି ୯ଟା ପର୍ଯ୍ୟନ୍ତ ଚାଲିଥିବା ଏହି ବୈଠକରେ ଜିଲ୍ଲାପାଳ ଖୁଣ୍ଟିଆ ଓ ମଲିଆଙ୍କ ସମସ୍ୟା ଓ ମତ ଶୁଣିଥିଲେ। ଶେଷରେ ପରମ୍ପରା ରକ୍ଷା କରିବାକୁ ସେ ଉଭୟ ସେବାୟତଙ୍କୁ ଅନୁରୋଧ କରିଥିଲେ। ମଲିଆ ସେବାୟତମାନେ ୨୪ ଘଣ୍ଟାର ମହଲତ ମାଗିଥିଲେ।

ଗାଁର ମୁରବିମାନଙ୍କ ସହ ଆଲୋଚନା କରି ଜଣାଇବେ ବୋଲି କହିଥିଲେ। ଜିଲ୍ଲାପାଳ ମଧ୍ୟ ଏଥିରେ ସହମତ ହୋଇଥିଲେ। ତୁରନ୍ତ ମୁରବିମାନଙ୍କ ସହ ଆଲୋଚନା କରି ଟ୍ରଷ୍ଟ ବୋର୍ଡ ସଭାପତି କିମ୍ବା କାର୍ଯ୍ୟ ନିର୍ବହୀ ଅଧିକାରୀ ଉପଜିଲ୍ଲାପାଳ ସତ୍ୟବ୍ରତ ସାହୁଙ୍କୁ ଜଣାଇବାକୁ କୁହାଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁ, ଏସିପି ଅନିରୁଦ୍ଧ ରାଉତରାୟ, ଟ୍ରଷ୍ଟି ରୁଦ୍ର ପ୍ରସାଦ ନନ୍ଦ, ବିଚିତ୍ରାନନ୍ଦ ବସ୍ତିଆ, ଲ୍ୟାଣ୍ଡ୍‌ ଅଫିସର ହରିହର ମଲିଆଙ୍କ ସମେତ ଉଭୟ ସେବାୟତ ଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତ ଥିଲେ। ବିଧି ଓ ପରମ୍ପରା ଅନୁସାରେ ମହାଶିବରାତ୍ରି ବା ଅମାବାସ୍ୟା ତିଥି ପରେ ପଡ଼ୁଥିବା ପ୍ରଥମ ଶନିବାରରେ କପିଳେଶ୍ବର ଠାକୁରଙ୍କ ହାଣ୍ଡିଭଙ୍ଗା ଯାତ୍ରା ଅନୁଷ୍ଠିତ ହୁଏ। ଏହି ଅବସରରେ ଶ୍ରୀଲିଙ୍ଗରାଜ ମହାପ୍ରଭୁ ପ୍ରଥମେ କପିଳେଶ୍ୱର ମନ୍ଦିର ଓ ପରେ ଐଶାନେଶ୍ୱର ମନ୍ଦିରକୁ ବିଜେ କରିଥା’ନ୍ତି।

Leave a Reply

Your email address will not be published. Required fields are marked *