ମୁଖ୍ୟ ଖବର

କେବଳ ଡାକ ବିଭାଗ ନୁହେଁ, ଶିକ୍ଷା ବିଭାଗରେ ବି ନକଲି; ୭ ଶିକ୍ଷକ ବହିଷ୍କୃତ

ରାୟଗଡା: ସାରା ରାଜ୍ୟରେ ଏବେ ଜାଲ ସାର୍ଟିଫିକେଟକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଧରାପଡିଥିବା ଲୋକଙ୍କ ବିରୋଧରେ ଏବେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ତେବେ ଏଥିରୁ ରାୟଗଡା ଜିଲ୍ଲା ମଧ୍ୟ ବାଦ ପଡି ନାହିଁ। ପ୍ରଥମେ ଡାକ ବିଭାଗରେ ଫେକ ସାର୍ଟିଫିକେଟ ଦେଇ ଚାକିରି କରିବା ପାଇଁ ବହୁ ପିଲା ଆବେଦନ କରି ଏବେ ଫଶିଥିବା ବେଳେ ଶିକ୍ଷା ବିଭାଗରେ ମଧ୍ୟ ଜାଲ ସାର୍ଟିଫିକେଟ ଦେଇ ଚାକିରି କରି ଫସିଲେ। ତେବେ ଶିକ୍ଷା ବିଭାଗରେ ପ୍ରଥମ ପର୍ଯ୍ୟାୟରେ ୧୨ ଜଣ ନକଲି ଶିକ୍ଷକ ଧରାପଡିଥିବା ବେଳେ ଏହାର ତଦନ୍ତ ହେଲେ ଆହୁରି ଅଧିକା ନକଲି ଶିକ୍ଷକ ଧରିପଡିବେ ବୋଲି ଆଲୋଚନା ଜୋର ଧରିଛି।

ଶିକ୍ଷା ବିଭାଗ ଏତେ ଦିନ କିପରି ଚୁପ ରହିଥିଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାୟଗଡା ଜିଲ୍ଲାରେ ଧରାପଡିଥିବା ୧୨ ଜଣ ଶିକ୍ଷକମାନଙ୍କ ମଧ୍ୟରୁ ୭ ଜଣଙ୍କୁ ବହିଷ୍କୃତ କରାଯାଇଥିବା ଜଣାପଡିଛି। ସେମାନେ ହେଲେ ବାରଙ୍ଗପଦର ବିଦ୍ୟାଳୟର ତପନ ଚୌଧୁରୀ, ଝିରିଗୁମ୍ମା ବିଦ୍ୟାଳୟର ଅନୁପ ପଦ୍ମନାଭ, ଦଣ୍ଡପଡା ବିଦ୍ୟାଳୟର ପ୍ରେମାନନ୍ଦ ଗମାଙ୍ଗ, ପୋଡାପଦର ବିଦ୍ୟାଳୟର ପୀତବାସ ଶବର, ପାଇକସୁପେଲ ବିଦ୍ୟାଳୟର ରଘୁନାଥ ବିଡିକା ଓ କଦଳୀଖୋଲ ବିଦ୍ୟାଳୟର ସଂଜୀବ ମାଝି।

ତେବେ ବଳକା ଅନ୍ୟ ୫ ଜଣଙ୍କ ନାମରେ ମଧ୍ୟ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ରବିବାର ଏନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପଚାରିବାରୁ ସେ ଛୁଟି ଥିବାରୁ ପାଖରେ ରିପୋର୍ଟ ନଥିବାରୁ ଠିକ ଭାବେ କହିପାରିବେ ନାହିଁ ବୋଲି ଉତ୍ତର ଦେଇଥିଲେ। କାର୍ଯ୍ୟ ଦିବସ ଦିନ ପଚାରିଲେ ଠିକ କହିବେ ବୋଲି ମଧ୍ୟ କହିଥିଲେ। ଯେଉଁ ୫ ଜଣଙ୍କ ନାମରେ ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ହେବ ସେମାନେ ହେଲେ ପାଜିଗାରେଗା ବିଦ୍ୟାଳୟର ଗଣେଶ ଚନ୍ଦ୍ର ବିଷୋୟୀ, ଉରିଲଙ୍ଗା ବିଦ୍ୟାଳୟର ପୂର୍ଣ୍ଣଚନ୍ଦ୍ର ଶବର, ଡୁର୍କିଲିମା ବିଦ୍ୟାଳୟର ସୁମିତ୍ରା ଡାକୁଆ, ବିଜାଘାଟି ବିଦ୍ୟାଳୟର ଚନ୍ଦନ କୁମାର ହେହେରା ଏବଂ ସାରାବାଲି ବିଦ୍ୟାଳୟର ଶ୍ରୀକାନ୍ତ ଦାସ ବୋଲି ଜଣାପଡିଛି। ସେମାନେ ଦେଇଥିବା ସାର୍ଟିଫିକେଟଗୁଡିକକୁ ବିଭିନ୍ନ ବିଶ୍ବ ବିଦ୍ୟାଳୟକୁ ପଠାଯାଇଥିବା କୁହାଯାଇଛି। ଏହି ଶିକ୍ଷକମାନେ ରାଜ୍ୟ ବାହାରୁ ସାର୍ଟିଫିକେଟ ଆଣି ଚାକିରି କରୁଥିବା ଜଣାପଡିଛି।

ଆସାମ, ଉତ୍ତରପ୍ରଦେଶ, ବିହାର, କୋଲକାତା ଠାରୁ ଆରମ୍ଭ କରି କାଶ୍ମୀର ଠାରୁ ମଧ୍ୟ ସାର୍ଟିଫିକେଟ ଆଣି ଚାକିରି କରୁଥିଲେ। ଏସବୁ ସାର୍ଟିଫିକେଟ ସେହି ରାଜ୍ୟର କୌଣସି ବିଶ୍ବବିଦ୍ୟାଳୟର ନୁହେଁ ବୋଲି ଜଣାପଡିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡିଛି। ଆହୁରି ଅଧିକା ଯାଞ୍ଚ ହେଲେ ଆହୁରି ଫେକ ଶିକ୍ଷକ ଧରାପଡିବେ। ଏପରିକି ଇଗ୍ନୋ ନାମରେ ମଧ୍ୟ ଫେକ ସାର୍ଟିଫିକେଟ ତିଆରି କରି ଚାକିରି କରୁଥିବା ଜଣାପଡିଛି। ତେବେ ରାଜ୍ୟ ସରକାର ଏହାକୁ ଗୁରୁତ୍ବର ସହ ନେଇଥିବା ବେଳେ ଫେକ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଶିକ୍ଷକଙ୍କୁ ତ୍ରାହୀ ନାହିଁ ବୋଲି କୁହାଯାଇଛି। ଯେତିକି ବର୍ଷ ଚାକିରି କଲେ ଏବଂ ଟଂକା ନେଇଛନ୍ତି , ସେସବୁକୁ ତୁରନ୍ତ ଫେରାଇବାକୁ ନିର୍ଦେଶ ଦିଆଯିବ ବୋଲି କୁହାଯାଇଛି। ଦରମା ନଫେରାଇଲେ ଥାନାରେ ଏତଲା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଆଗକୁ ଯାଞ୍ଚ ପରେ ବହୁ ନକଲି ଶିକ୍ଷକ ଧରାପଡିବେ ବୋଲି ବିଭାଗ କହିଛି।

Leave a Reply

Your email address will not be published. Required fields are marked *