ଅପରାଧ

ଅତିକ୍‌ ଓ ଅସରଫ ହତ୍ୟା ମାମଲାର ତଦନ୍ତ ପାଇଁ ଏସ୍‌ଆଇଟି ଗଠନ

ପ୍ରୟାଗରାଜ: ଏପ୍ରିଲ ୧୫ ତାରିଖ ରାତିରେ ଅତିକ୍‌ ଅହମ୍ମଦ ଏବଂ ତା’ ଭାଇ ଅସରଫ ଅହମ୍ମଦଙ୍କୁ ଗୁଳି କରି ହତ୍ୟା କରିଥିବା ତିନି ଜଣ ସୁଟରଙ୍କୁ ସୋମବାର ବ୍ୟାରେକରୁ ନୈନି (ପ୍ରୟାଗରାଜ) ସେଣ୍ଟ୍ରାଲ ଜେଲର ହାଇ ସିକ୍ୟୁରିଟି ସେଲକୁ ସ୍ଥାନାନ୍ତର କରାଯାଇଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ତିନି  ହତ୍ୟାକାରୀ ଅରୁଣ ମୌଯ୍ୟ, ସନ୍ନି ସିଂହ ଓ ଲୋଭେଶ ତିଓ୍ଵାରୀଙ୍କ ଉପରେ ଜେଲରେ ଆକ୍ରମଣର ଆଶଙ୍କା ଥିବାରୁ ସେମାନଙ୍କୁ ହାଇ ସିକ୍ୟୁରିଟି ସେଲକୁ ସ୍ଥାନାନ୍ତର କରାଯାଇଛି।

ଅନ୍ୟପକ୍ଷରେ ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଅତିକ୍‌ ଅହମ୍ମଦ ଓ ତା’ ଭାଇ ଅସରଫ ହତ୍ୟା ଘଟଣାର ତଦନ୍ତ ପାଇଁ ଉତ୍ତରପ୍ରଦେଶ ପୁଲିସ ତିନି ଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଗଠନ କରିଛି।

ଉତ୍ତରପ୍ରଦେଶ ପୁଲିସ ମହାନିର୍ଦ୍ଦେଶକ ଆର୍‌କେ ବିଶ୍ୱକର୍ମାଙ୍କ ଦ୍ୱାରା ଜାରି ଏକ ବିବୃତିକୁ ଦର୍ଶାଇ ସ୍ୱତନ୍ତ୍ର ପୁଲିସ ମହାନିର୍ଦ୍ଦେଶକ (ଆଇନ ଶୃଙ୍ଖଳା) ପ୍ରଶାନ୍ତ କୁମାର କହିଛନ୍ତି ଯେ ପ୍ରୟାଗରାଜର ପୁଲିସ କମିସନରଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଆଇଟି ଗଠନ କରାଯାଇଛି। ଏହି ସମ୍ବେଦନଶୀଳ ଘଟଣାର ଗୁଣାତ୍ମକ ତଦନ୍ତ ଓ ସମୟବଦ୍ଧ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ୩ ଜଣିଆ ସୁପରଭାଇଜର ଟିମ୍‌ ଗଠନ କରାଯାଇଛି। ପ୍ରୟାଗରାଜର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏହି ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ର ଅନ୍ୟ ଦୁଇ ଜଣ ସଦସ୍ୟ ହେଉଛନ୍ତି ପ୍ରୟାଗରାଜର ପୁଲିସ କମିଶନର ଏବଂ ଲକ୍ଷ୍ନୌସ୍ଥିତ ଫରେନସିକ୍‌ ସାଇନ୍‌ସ ଲାବୋରେଟୋରିର ନିର୍ଦ୍ଦେଶକ।

ଚଳିତ ବର୍ଷ ଫେବ୍ରୁଆରି ମାସରେ ଉମେଶ ପାଲ ହତ୍ୟା ମାମଲାରେ ଗିରଫ ହୋଇଥିବା ଆତିକ ଓ ଅସରଫଙ୍କୁ ଶନିବାର ବିଳମ୍ବିତ ରାତିରେ ପ୍ରୟାଗରାଜରେ ତିନି ଜଣ ସୁଟର ସାମ୍ବାଦିକ ପରିଚୟ ଦେଇ ଗୁଳି କରି ହତ୍ୟା କରିଥିଲେ।

Leave a Reply

Your email address will not be published. Required fields are marked *