ଦେଶ- ବିଦେଶ

ସାମାଜିକ-ନ୍ୟାୟିକ ନିର୍ଣ୍ଣୟ ନେବା କାମ ସଂସଦର ନା ଅଦାଲତର?

ନୂଆଦିଲ୍ଲୀ: ବିବାହକୁ ଏକ ବିଷମଲିଙ୍ଗୀ ଧାର୍ମିକ ଅନୁଷ୍ଠାନ କହି କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟରେ ସମଲିଙ୍ଗୀ ବିବାହକୁ ବିରୋଧ କରିଛନ୍ତି। ସୁପ୍ରିମ୍‌କୋର୍ଟ ଏପରି ପ୍ରସ୍ତାବକୁ ସ୍ବୀକୃତି ନ ଦେବା ପାଇଁ କେନ୍ଦ୍ର ସରକାର ଅନୁରୋଧ କରିଛନ୍ତି। ଆଜି ସର୍ବୋଚ୍ଚ ନ୍ୟାୟାଳୟର ଏକ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ସେହି ମାମଲାର ଶୁଣାଣି କରୁଛନ୍ତି।

ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ମୁକୁଲ ରୋହତଗୀ ଯୁକ୍ତି ବାଢ଼ି କହିଛନ୍ତି ଯେ ଏଲ୍‌ଜିବିଟିକ୍ୟୁ ସଂପ୍ରଦାୟର ଲୋକଙ୍କ ନିକଟରେ ସମ୍ମାନର ସହ ବଞ୍ଚିବା ସହିତ ବିବାହ ଓ ପରିବାର ଗଠନର ଅଧିକାର ରହିବା ଉଚିତ।

ଆବେଦନକାରୀ ବିଶେଷ ବିବାହ ଅଧିନିୟମ ୧୯୫୪ ଅଧୀନରେ ବିବାହକୁ ‘ପୁରୁଷ-ନାରୀ’ ବଦଳରେ ‘ଜୀବନସାଥୀ’ ଚୟନ ବୋଲି ଦର୍ଶାଇ ଏହି ଦାବି କରିଛନ୍ତି।

ଏହା ମଧ୍ୟରେ ସରକାରଙ୍କ ପକ୍ଷରୁ ଯୁକ୍ତି ରଖିଥିବା ସଲିସିଟର ଜେନେରାଲ୍‌ ତୁଷାର ମେହ‌ତା କହିଛନ୍ତି, ‘ଅଦାଲତ ପ୍ରଥମେ ଏହା ସ୍ପଷ୍ଟ କରନ୍ତୁ ଯେ କୌଣସି ସାମାଜିକ-ନ୍ୟାୟିକ ନିର୍ଣ୍ଣୟ ନେବା କାମ ସଂସଦର ନା ଅଦାଲତର?’

ପୂର୍ବରୁ କେନ୍ଦ୍ର ସରକାର କହିଥିଲେ ଯେ, ନୂତନ ଅଧିକାର ଓ ସମ୍ପର୍କର ସ୍ବୀକୃତି ତଥା ଏହାକୁ ଆଇନଗତ ମାନ୍ୟତା ଦେବା ନେଇ କେବଳ ପାର୍ଲାମେଣ୍ଟରେ ଆଲୋଚନା କରି ଆଇନ ପ୍ରଣୟନ କରାଯାଇପାରିବ। ନ୍ୟାୟପାଳିକା ଏହା ଉପରେ କିଛି ନିଷ୍ପତ୍ତି ନେଇପାରିବେ ନାହିଁ।

Leave a Reply

Your email address will not be published. Required fields are marked *