ଅବହେଳିତ ଐତିହ୍ୟ ପୁଷ୍କରିଣୀ
ଭୁବନେଶ୍ୱର : ମନ୍ଦିରମାଳିନୀ ସହର ଭୁବନେଶ୍ୱର ମହାନ ଐତିହ୍ୟକୁ ନେଇ ସମୃଦ୍ଧ। ଏଠାରେ ଥିବା କୀର୍ତ୍ତିରାଜି ସହ ଐତିହ୍ୟ ପୁଷ୍କରିଣୀର ରହିଛି ପୁରାତନ କିଂବଦନ୍ତୀ। ଏହି ଐତିହ୍ୟ ପୁଷ୍କରିଣୀଗୁଡ଼ିକ ଏବେ ଅବହେଳିତ ଅବସ୍ଥାରେ ରହିଛି।
ସେଗୁଡ଼ିକ ମଧ୍ୟରୁ କେଉଁଠାରେ ଜବରଦଖଲ ହେଉଛି ତ କେଉଁଠାରେ ପରିତ୍ୟକ୍ତ ଅବସ୍ଥାକୁ ଆସିଗଲାଣି। ସେଥିମଧ୍ୟରୁ ଏକାମ୍ର କ୍ଷେତ୍ରରେ ଦେବୀ ପାଦହରା ପୁଷ୍କରିଣୀ ଅନ୍ୟତମ। ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀଲିଙ୍ଗରାଜ ମନ୍ଦିରର ପୂର୍ବ-ଉତ୍ତର କୋଣରେ ରହିଛି ଏହି ପୁଷ୍କରିଣୀ। ଏହାର ଚାରିପଟେ ରହିଛି ୧୦୮ଶିବଲିଙ୍ଗ ମନ୍ଦିର। ଏଥିମଧ୍ୟରୁ ପ୍ରାୟ ୪୦ଟି ମନ୍ଦିରର ଶିବଲିଙ୍ଗ ନଥିବା ବେଳେ ୨୨ଟି ଭଗ୍ନ ଅବସ୍ଥାରେ ପଡ଼ିରହିଛି। ପୁଷ୍କରିଣୀର ପୁନରୁଦ୍ଧାର ପାଇଁ ଏଏସ୍ଆଇ ଏବେ କାମ ଆରମ୍ଭ କରିଥିଲେ ହେଁ ଏହାର ଚାରିପଟେ ଥିବା ଭଗ୍ନ ମନ୍ଦିରର ଉନ୍ନତିକରଣ ହେବ ନାହିଁ ବୋଲି ଏଏସ୍ଆଇ କହିଛି। ସେହିପରି ପ୍ରସିଦ୍ଧ ପୁଷ୍କରିଣୀ ବିନ୍ଦୁସାଗର ଅବସ୍ଥା ସମସ୍ତଙ୍କୁ ଜଣା। ପ୍ରାୟ ଦେଢ଼ କିଲୋମିଟର ପରଧିରେ ଥିବା ଏହି ପୁଷ୍କରିଣୀକୁ ପ୍ରତ୍ୟେକ ଦିନ ପର୍ଯ୍ୟଟକ ଆସିଥା’ନ୍ତି।
ହେଲେ ଏହି ପୁଷ୍କରିଣୀ ଦଳ ଭର୍ତ୍ତି ଯୋଗୁଁ ବହୁ ପର୍ଯ୍ୟଟକ ନାକ ଟେକନ୍ତି। ୨୦୨୧ ଜାନୁଆରି ୯ରେ ଇଣ୍ଡିଆନ ଅଏଲର ସିଏସ୍ଆର ପାଣ୍ଠିରୁ ଟଙ୍କା ବ୍ୟୟରେ ଚତୁପାର୍ଶ୍ବରେ ୪ଟି ପାଣି ମଟର ଲଗାଯାଇଥିଲା। ଯାହା ଓଡ଼ିଶା ସେତୁ ନିର୍ମାଣ ନିଗମ ଲିମିଟେଡ୍ ସହଯୋଗରେ କରାଯାଇଥିଲା। ସେହିପରି ଦୟାନଦୀରେ ପାଣି ପମ୍ପ ଲାଗାଯାଇ ସାମନ୍ତରାପୁର ୱାଟ୍କୋ କାର୍ଯ୍ୟାଳୟକୁ ପ୍ରାୟ ୧୭୮୦ମିଟର ପାଇପ୍ ବିଛା ହୋଇଛି। ସେଠାରେ ପାଣି ବିଶୋଧନ କରାଯାଇ ସାମନ୍ତରାପୁର, ଇଲେକ୍ଟ୍ରି ଅଫିସ୍, ନୂଆ ଲିଙ୍ଗରାଜ ମାର୍କେଟ ମଧ୍ୟ ଦେଇ ତୀର୍ଥେଶ୍ବର ରାସ୍ତାରେ ବିନ୍ଦୁସାଗର ଚାରିପଟକୁ ପାଇପ୍ ବିଛା ହୋଇଛି। ପ୍ରତିଦିନ ୨୦ଲକ୍ଷ ଲିଟର ପାଣି ବିନ୍ଦୁସାଗରକୁ ଆସି ପଡ଼ୁଛି ହେଲେ ପାଣିର ଅବସ୍ଥା ସୁଧୁରୁନି। ବିଏମ୍ସି ପକ୍ଷରୁ ଦଳ ସଫେଇ କରାଯାଉଛି।
ତେବେ ପୁଣି ବିନ୍ଦୁସାଗରରେ ଚିଙ୍ଗୁଡ଼ିଆ ଦଳ ଭର୍ତ୍ତି ହୋଇଗଲାଣି। ସେହିପରି ରାମେଶ୍ବର ପୁଷ୍କରିଣୀର ସମାନ ଅବସ୍ଥା। ଏହି ଐତିହ୍ୟ ପୁଷ୍କରିଣୀ ଅପରିଷ୍କାର ହୋଇ ପଡ଼ିଛି। କେଦାରଗୌରୀ ମନ୍ଦିର ପରିସରରେ ଥିବା ୪ଟି କୁଣ୍ଡର ପୁନରୁଦ୍ଧାର ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ୧କୋଟି ୩୦ଲକ୍ଷ ଟଙ୍କା ବ୍ୟୟ କରାଯାଇ କାମ ସରିଛି। ତେବେ ଏହାର ମୂଳ ସମସ୍ୟା କୁଣ୍ଡରେ ନେଳି ପାଣି ଭାସିବା ସମାଧାନ ହୋଇନାହିଁ।ଏକାମ୍ର କ୍ଷେତ୍ରର ଐତହ୍ୟ ପୁଷ୍କରିଣୀ ରାମେଶ୍ବର ପୁଷ୍କରିଣୀ, କୋଟି ତୀର୍ଥେଶ୍ବର ପୁଷ୍କରିଣୀ, ସୂକ୍ଷ୍ମେଶ୍ବର ପୁଷ୍କରିଣୀ, ଗୋସାଗରେଶ୍ବର ପୁଷ୍କରିଣୀ, ଗୋଡ଼ିପୋଖରୀ ଏବେ ଅବହେଳିତ ଅବସ୍ଥାରେ ରହିଛି। ପୁଷ୍କରିଣୀ ଗୁଡ଼ିକର ପୁନରୁଦ୍ଧାର ପାଇଁ ସରକାର ଡିଣ୍ଡିମ ପିଟୁଥିବା ବେଳେ ଜନବସତି ମଧ୍ୟରେ ଏହା ମଶା ବଂଶ ବୃଦ୍ଧିରେ ସହାୟକ ହେଉଛି। ହେଲେ ଏଥିପ୍ରତି କର୍ତ୍ତୃପକ୍ଷଙ୍କ ନିଘା ନାହିଁ। ମନ୍ଦିରମାଳିନୀ ଭୁବନେଶ୍ବରରେ ପ୍ରତିଟି ଦେବାଳୟ ସହିତ ଜଡ଼ିତ ହୋଇ ଥିବା ଐତିହ୍ୟ ପୁଷ୍କରିଣୀର ଜଳ ନିଷ୍କାସନ ଓ ଏହାର ପୁନରୁଦ୍ଧାର ନ ହୋଇପାରିଥିବାରୁ ବର୍ଷାଦିନେ ଅନେକ ମନ୍ଦିରର ଦିଅଁ ଜଳବନ୍ଦୀ ଅବସ୍ଥାରେ ରୁହନ୍ତି। ତେବେ ଉକ୍ତ ପୁଷ୍କରିଣୀ ଗୁଡ଼ିକର ରକ୍ଷଣାବେକ୍ଷଣ ଓ ପୁନରୁଦ୍ଧାର କାମ ବିଗତ ବର୍ଷରୁ ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ତାହା ସମ୍ପୂର୍ଣ୍ଣ କରାଯିବ ବୋଲି ଏଏସଆଇ ଭୁବନେଶ୍ବର ସଂଗ୍ରାଧୀକ୍ଷକ କୁହନ୍ତି।