ଅପରାଧ

ଭିଜିଲାନ୍ସ ହାତରେ ଧରାପଡ଼ିଲେ ସବ୍‌-ରେଜିଷ୍ଟ୍ରାର କାର୍ଯ୍ୟାଳୟର ମୁଖ୍ୟ କିରାଣୀ

ଭୁବନେଶ୍ବର: ରାଜ୍ୟରେ ମାଳମାଳ ଲାଞ୍ଚୁଆ ସରକାରୀ ଅଧିକାରୀ ଓ କର୍ମଚାରୀ ଅଛନ୍ତି। ବିନା ଲାଞ୍ଚରେ ଅନେକ କାମ ହୋଇପାରୁ ନାହିଁ। ପୁରୀ ଜିଲ୍ଲା ସବ୍‌-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଏଠାରେ କାର୍ଯ୍ୟରତ ମୁଖ୍ୟ କିରାଣୀ ରଘୁନାଥ ବିଶୋୟୀ ଜଣେ ଅଭିଯୋଗକାରୀଙ୍କ ଠାରୁ ୫୦୦୦ ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ଅଫିସ କାମ କରିଦେବା ପାଇଁ ଶ୍ରୀ ବିଶୋୟୀ ଅଭିଯୋଗକାରୀଙ୍କୁ ୧୦୦୦୦ଟଙ୍କା ଦାବି କରିଥିଲେ। କିନ୍ତୁ ଅଭିଯୋଗକାରୀ ୧୦ ହଜାର ଟଙ୍କା ଦେବାକୁ ଅସମର୍ଥ ପ୍ରକାଶ କରିବାରୁ ଶେଷରେ ୫୦୦୦ ଟଙ୍କାରେ କଥା ଛୁଣ୍ଡି ଥିଲା। ଶ୍ରୀ ବିଶୋୟୀ ଆଜି ଅଭିଯୋଗକାରୀଙ୍କ ଠାରୁ ୫୦୦୦ ଟଙ୍କା ନେଉଥିଲା ବେଳେ ଭିଜିଲାନ୍ସ ଟିମ୍‌ ମାଡ଼ିବସିଥିଲେ। ଲାଞ୍ଚ ଟଙ୍କା ଜବତ କରିବା ସହ ଏକ ମାମଲା ରୁଜୁ କରି ଟିମ୍‌ ଘଟଣାର ତଦନ୍ତ କରୁଛି।ଅନ୍ୟ ଏକ ମାମଲାରେ ଆଜି ଯାଜପୁର ଜିଲ୍ଲା ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଲାଞ୍ଚ ନେଉଥିବା ବେଳେ ଡାକ୍ତରଖାନା ଅଧିକାରୀ ଡକ୍ଟର ପବିତ୍ର କୁମାର ସେଠୀ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ତାଙ୍କ ସହ ସୁରକ୍ଷାକର୍ମୀ ଅଭିରାମ କାଣ୍ଡି ମଧ୍ୟ ଧରାପଡ଼ିଥିଲେ। ସୁରକ୍ଷାକର୍ମୀ ଜଣକ ଲ‌ାଞ୍ଚ ମାଗିବା ସହ ଗ୍ରହଣ କରୁଥିବା ବେଳେ ତାଙ୍କୁ ଧରି ପକାଇଥିଲେ ଭିଜିଲାନ୍ସ କର୍ମୀ। ବଜ୍ରପାତରେ ଗତ ୩୧ ତାରିଖରେ ମୃତ୍ୟୁବରଣ କରିଥିବା ବାପାଙ୍କ ଶରୀର ବ୍ୟବ‌ଚ୍ଛେଦ ରିପୋର୍ଟ ଦେବା ପାଇଁ ଅଧିକାରୀ ଓ ସୁରକ୍ଷାକର୍ମୀ ତାଙ୍କ ପୁଅକୁ ୨୦ ହଜାର ଟଙ୍କାର ଲାଞ୍ଚ ମାଗିଥିଲେ ବୋଲି ପୁଅ ଜଣକ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ସୁରକ୍ଷାକର୍ମୀ ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ କର୍ମୀମାନେ ଚଢ଼ାଉ କରି ଉକ୍ତ ଟଙ୍କାକୁ ଜବତ କରିଥିଲେ।

Leave a Reply

Your email address will not be published. Required fields are marked *