ଦେଶ- ବିଦେଶ

ଅକ୍ସଫାମ୍ ଇଣ୍ଡିଆ ବିରୋଧରେ ମାମଲା ରୁଜ୍ଜୁ କଲା ସିବିଆଇ

ନୂଆଦିଲ୍ଲୀ: ଭାରତର ବୈଦେଶିକ ପାଣ୍ଠି ନିୟମ ଉଲ୍ଲଂଘନ ଅଭିଯୋଗରେ ଅକ୍ସଫାମ୍ ଇଣ୍ଡିଆ ଏବଂ ଏହାର କର୍ମକର୍ତ୍ତାଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏକ ମାମଲା ରୁଜୁ କରିଛି। ଫରେନ୍ କଣ୍ଟ୍ରିବ୍ୟୁସନ୍ ରେଗୁଲେସନ୍ ଆକ୍ଟ (ଏଫସିଆରଏ) ଅଧୀନରେ ଏହି ମାମଲା ରୁଜୁ କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ଏହି ଏଫଆଇଆର ରୁଜୁ କରାଯାଇଛି।

୨୦୧୯-୨୦ ରେ ଅକ୍ସଫାମ କରିଥିବା ୧୨.୭୧ ଲକ୍ଷ ଟଙ୍କାର କାରବାରରେ ଏଫସିଆରଏ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଅକ୍ସଫାମ୍ ଇଣ୍ଡିଆ ମଧ୍ୟ ୨୦୧୩ରୁ ୨୦୧୬ ମଧ୍ୟରେ ଦେଢ଼ କୋଟି ଟଙ୍କାର ବିଦେଶୀ ପାଣ୍ଠି କାରବାରରେ ଅନିୟମିତତା କରିଥିବା ଅଭିଯୋଗ ହୋଇଛି।

ସିବିଆଇ ଅନୁଯାୟୀ, ଅକ୍ସଫାମ୍ ଇଣ୍ଡିଆ ୨୦୧୩ରୁ ୨୦୧୬ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କ ଆକାଉଣ୍ଟ ପରିବର୍ତ୍ତେ ସିଧାସଳଖ ଏହାର ଫରେନ୍ କଣ୍ଟ୍ରିବ୍ୟୁସନ୍ ଆକାଉଣ୍ଟରେ ପ୍ରାୟ ଦେଢ଼ କୋଟି ଟଙ୍କା ପାଇଥିଲା। ଅକ୍ସଫାମ୍ ଇଣ୍ଡିଆ ସେଣ୍ଟର ଫର୍ ପଲିସି ରିସର୍ଚ୍ଚ (ସିପିଆର)କୁ ୧୨.୭୧ ଲକ୍ଷ ଟଙ୍କା ପ୍ରଦାନ କରିଛି ବୋଲି ଏଫ୍ଆଇଆରରେ ଅଭିଯୋଗ ହୋଇଛି । ଏହା ୨୦୧୯-୨୦ ଆର୍ଥିକ ବର୍ଷରେ ବିଦେଶୀ ଯୋଗଦାନ (ନିୟନ୍ତ୍ରଣ) ଆଇନ (ଏଫ୍ସିଆରଏ) ୨୦୧୦ ନିୟମକୁ ଉଲ୍ଲଂଘନ କରି କାରବାର କରିଛି ।

ଗୃହ ମନ୍ତ୍ରଣାଳୟର ଅଭିଯୋଗ କ୍ରମେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗତ ବର୍ଷ ଜାନୁଆରୀରେ ଅକ୍ସଫାମ୍ ଇଣ୍ଡିଆର ଏଫସିଆରଏ ଲାଇସେନ୍ସ ବାତିଲ କରାଯାଇଥିଲା। ଅକ୍ସଫାମ୍ ଇଣ୍ଡିଆ ଦେଶ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଏବଂ ଏଫସିଆରଏ ନବୀକରଣ ପାଇଁ ଅନ୍ୟ ଦେଶର ସରକାର ଏବଂ ଅନୁଷ୍ଠାନ ମାଧ୍ୟମରେ ଭାରତ ସରକାରଙ୍କ ଉପରେ ଚାପ ପକାଉଛି ବୋଲି ଗୃହ ମନ୍ତ୍ରଣାଳୟ ଅଭିଯୋଗ କରିଥିଲା।

Leave a Reply

Your email address will not be published. Required fields are marked *