ମୁଖ୍ୟ ଖବର

ବିମାନ ବନ୍ଦରରେ ଅଟକ ହେଲେ ଅମୃତପାଲ୍‌ ସିଂହଙ୍କ ସ୍ତ୍ରୀ

ଅମୃତସର: ଆଜି ଲଣ୍ଡନ୍‌ ଯିବାକୁ ଉଦ୍ୟମ କରୁଥିବା ବେଳେ ଅମୃତସର ବିମାନ ବନ୍ଦରରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ଅମୃତପାଲ୍‌ ସିଂହଙ୍କ ସ୍ତ୍ରୀ କିରଣଦୀପ କ‌ୌର୍‌ଙ୍କୁ ଅଟକ ରଖାଯାଇଛି।

ଅପରାହ୍ଣ ୧.୩୦ରେ ଉକ୍ତ ବିମାନ ଲଣ୍ଡନ୍‌ ଅଭି‌ମୁଖେ ଯାତ୍ରା କରିବ ବୋଲି ସମୟ ଧାର୍ଯ୍ୟ କରାଯାଇଥିଲା। ସମ୍ପ୍ରତି କିରଣଦୀପଙ୍କୁ କଷ୍ଟମ୍‌ସ୍‌ ଅଧିକାରୀମାନେ ପଚରା ଉଚରା କରୁଛନ୍ତି।

ପଞ୍ଜାବ ପୁଲିସସୂତ୍ର କହିବା ଅନୁସାରେ, କିରଣଦୀପ ହେଉଛନ୍ତି ଇଂଲଣ୍ଡ୍‌ର ନାଗରିକ ଓ ତାଙ୍କ ପାଖରେ ଇଂଲଣ୍ଡ୍‌ର ପାସ୍‌ପୋର୍ଟ ରହିଛି। ପଞ୍ଜାବ କିଂବା ଦେଶର ଅନ୍ୟ କେଉଁଠି ତାଙ୍କ ନାମରେ ମାମଲା ରୁଜୁ କରାଯାଇ ନାହିଁ।

ଇଂଲଣ୍ଡ୍‌ରେ ଅବସ୍ଥାନ କରୁଥିବା ବେଳେ ଅମୃତପାଲ୍‌ଙ୍କ ସ୍ତ୍ରୀ କିରଣଦୀପ କୌର୍‌ ‘ବାବର୍‌ ଖାଲ୍‌ସା ଇଣ୍ଟର୍‌ନ୍ୟାସ୍‌ନାଲ୍‌’ର ସକ୍ରିୟ ସଭ୍ୟା ଥିବାର କୌଣସି ବଳିଷ୍ଠ ପ୍ରମାଣ କିଂବା ‘ଏଫ୍‌ଆଇଆର୍‌’ ପଞ୍ଜାବ ପୁଲିସ ଅଥବା କେନ୍ଦ୍ରୀୟ ଏଜେନ୍‌ସିଙ୍କ ନିକଟରେ ନାହିଁ।

ସତର୍କତାମୂଳକ କାର୍ଯ୍ୟାନୁଷ୍ଠାନସ୍ବରୂପ ଫେରାର୍‌ ଅଭିଯୁକ୍ତ ଅମୃତପାଲ୍‌ଙ୍କ ପରିବାର ଓ ଚିହ୍ନାଜଣା ବ୍ୟକ୍ତିଙ୍କୁ ଯେଉଁ ଆଇନଗତ ପ୍ରକ୍ରିୟା ବଳରେ ‌ପଚରା ଉଚରା କରାଯାଉଛି ସେହି ଆଇନ ବଳରେ କିରଣଦୀପ କୌର୍‌ଙ୍କୁ ଅଟକ ରଖାଯାଇଛି।

ସ୍ମରଣଯୋଗ୍ୟ, ଅମୃତପାଲ୍‌ ସିଂହଙ୍କ କାର୍ଯ୍ୟକଳାପ ଲାଗି ଯୋଗା ଯାଉଥିବା ବିଦେଶୀ ପାଣ୍ଠି ବିଷୟରେ ମାର୍ଚ ମାସରେ ଜାଲ୍ଲାପୁର ଖେଦା ଗ୍ରାମରେ କିରଣଦୀପଙ୍କୁ ପଚରା ଉଚରା କରାଯାଇଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଚଳିତ ବର୍ଷ ଫେବ୍ରୁଆରିରେ ଇଂଲଣ୍ଡ୍‌ରେ ରହୁଥିବା ପ୍ରବାସୀ ଭାରତୀୟା କିରଣଦୀପ କୌର୍‌ଙ୍କୁ ଅମୃତପାଲ୍‌ ବିବାହ କରିଥିଲେ। ବିବାହ ପରେ ପଞ୍ଜାବକୁ ଫେରି କିରଣଦୀପ ଅମୃତପାଲ୍‌ଙ୍କ ପୈତୃକ ଗ୍ରାମ ଜାଲ୍ଲାପୁର ଖେଦାରେ ରହୁଥିଲେ।

Leave a Reply

Your email address will not be published. Required fields are marked *