ମନୋରଞ୍ଜନ

ୟଶ୍‌ ଚୋପ୍ରାଙ୍କ ପତ୍ନୀ ପାମେଲା ଚୋପ୍ରାଙ୍କ ଦେହାନ୍ତ

ମୁମ୍ବାଇ: ଆଜି ସକାଳେ ବିଶିଷ୍ଟ ବଲିଉଡ୍‌ ପ୍ରଯୋଜକ ତଥା ନିର୍ଦେଶକ ୟଶ୍‌ ଚୋପ୍ରାଙ୍କ ପତ୍ନୀ ପାମେଲାଙ୍କର ୭୪ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି।

ପ୍ରଚ୍ଛଦପଟ ଗାୟିକା ଭାବେ ସୁପରିଚିତା ପାମେଲା ଚଳଚ୍ଚିତ୍ର ଲେଖିବା ସହିତ ଚଳଚ୍ଚିତ୍ର ପ୍ରଯୋଜନା ମଧ୍ୟ କରିଥିଲେ।

ସଂଗୃହୀତ ସୂଚନା ଅନୁସାରେ, ଗତ ୧୫ ଦିନ ହେବ ସେ ମୁମ୍ବାଇର ଲୀଳାବତୀ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଡାକ୍ତରମାନେ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖିଥିଲେ। ତା’ ସତ୍ତ୍ବେ ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା।

ଆଜି ପୂର୍ବାହ୍ନ ୧୧ଟାରେ ମୁମ୍ବାଇରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି।ପାମେଲା ଚୋପ୍ରାଙ୍କ ମୃତ୍ୟୁ ସମ୍ବାଦ ସୁନିଶ୍ଚିତ କରିବାକୁ ଯାଇ ‘ୱାଇଆର୍‌ଏଫ୍‌’ ‌ଟୁଇଟ୍‌ କରିଥିବା ବିବୃତିରେ ଉଲ୍ଲେଖ ଅଛି: ଦୁଃଖରେ ମ୍ରିୟମାଣ ହୋଇ ଚୋପ୍ରା ପରିବାର, ଆଜି ସକାଳେ ୭୪ ବର୍ଷୀୟ ପାମେଲା ଚୋପ୍ରାଙ୍କର ଦେହାନ୍ତ ହୋଇଯାଇଥିବା ସୂଚନା ଦେଉଛି। ପୂର୍ବାହ୍ନ ୧୧ଟାରେ ମୁମ୍ବାଇରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଆପଣମାନଙ୍କ ପ୍ରାର୍ଥନା ପାଇଁ ଆମେ କୃତଜ୍ଞ ରହିବୁ। ଏଭଳି ବିୟୋଗାନ୍ତ ଦୁଃଖଦ ସମୟରେ ସେମାନଙ୍କୁ ଏକାନ୍ତରେ ଛାଡ଼ିବାକୁ ପରିବାର ଲୋକେ ଅନୁରୋଧ କରିଛନ୍ତ।

ଶେଷଥର ପାଇଁ ପାମେଲା ଚୋପ୍ରା ‘ୱାଇଆର୍‌ଏଫ୍‌’ର ପ୍ରାମାଣିକ ଚିତ୍ର ‘ଦି ରୋମାଣ୍ଟିକ୍‌ସ୍‌’ରେ ଦେଖା ଦେଇଥିଲେ। ସେଥିରେ ସେ ସ୍ବାମୀ ୟଶ୍‌ ଚୋପ୍ରା ଏବଂ ତାଙ୍କ ଜୀବନଯାତ୍ରା ପ୍ରସଙ୍ଗରେ କହିଥିଲେ। ଏହି ପ୍ରାମାଣିକ ଚଳଚ୍ଚିତ୍ରରେ ହିନ୍ଦୀ ଚଳଚ୍ଚିତ୍ର ଶିଳ୍ପକୁ କେବଳ ୟଶ୍‌ ଚୋପ୍ରାଙ୍କର ନୁହେଁ, ପାମେଲା ଚୋପ୍ରାଙ୍କ ଅବଦାନ ଉପରେ ମଧ୍ୟ ଗୁରୁତ୍ବାରୋପ କରାଯାଇଛି।

‘କଭି କଭି’ (୧୯୭୬)ରୁ ଆରମ୍ଭ କରି ‘ମୁଝ୍‌ସେ ଦୋସ୍ତି କରୋଗେ!‘ (୨୦୦୨) ପର୍ଯ୍ୟନ୍ତ ୟଶ୍‌ ଚୋପ୍ରାଙ୍କର କେତୋଟି ଚଳଚ୍ଚିତ୍ରରେ ପାମେଲା କେତେ ଗୁଡ଼ିଏ ଗୀତ ଗାଇଥିଲେ। ସେହିପରି, ୧୯୯୩ରେ ସେ ଏକାକିନୀ ଚଳଚ୍ଚିତ୍ର ‘ଆଇନା’ର ପ୍ରଯୋଜନା କରିଥିଲେ। ସ୍ବାମୀ ୟଶ୍‌ ଚୋପ୍ରା, ପୁଅ ଆଦିତ୍ୟ ଏବଂ ପେସାଦାର ଲେଖକ ତନୁଜା ଚନ୍ଦ୍ରାଙ୍କ ସହିତ ମିଶି ପାମେଲା ୧୯୯୭ରେ ଚଳଚ୍ଚିତ୍ର ‘ଦିଲ୍‌ ତୋ ପାଗଲ୍‌ ହୈ’ର ସ୍କ୍ରିପ୍ଟ୍‌ ମଧ୍ୟ ଲେଖିଥିଲେ।

୧୯୭୦ରେ ପାରମ୍ପରିକ ରୀତିନୀତିରେ ପାମେଲା ୟଶ୍‌ ଚୋପ୍ରାଙ୍କୁ ବିବାହ କରିଥିଲେ। ସେମାନଙ୍କର ଦୁଇଟି ପୁଅ ହେଉଛନ୍ତି, ଆଦିତ୍ୟ ଓ ଉଦୟ ଚୋପ୍ରା।

Leave a Reply

Your email address will not be published. Required fields are marked *