ମୁଖ୍ୟ ଖବର

ଶ୍ରୀମନ୍ଦିର ଫାଇଲ ହଜିଯିବା ପ୍ରସଙ୍ଗ: କ୍ୟାପିଟାଲ ଥାନାରେ ଅଭିଯୋଗ କଲା ବିଜେପି

ଭୁବନେଶ୍ୱର: ଶ୍ରୀମନ୍ଦିର ଫାଇଲ ହଜିଯିବା ପ୍ରସଙ୍ଗରେ ଥାନାକୁ ଯାଇଛି ବିଜେପି। ଆଜି ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନେତୃତ୍ୱରେ କ୍ୟାପିଟାଲ ଥାନାରେ ୬ ଜଣିଆ ବିଜେପି ପ୍ରତିନିଧି ଦଳ ଜାଣିଶୁଣି ଫାଇଲ୍ ହଜାଇ ଦିଆଯାଇଥିବା ଅଭିଯୋଗ କରିଥିବା ଜଣାଯାଇଛି।

ଏନେଇ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର କହିଛନ୍ତି, ରତ୍ନଭଣ୍ଡାର ଚାବି ମଧ୍ୟ ହଜିଯାଇଛି ବୋଲି ଆଗରୁ କହୁଥିଲେ। ପୁଣି ସରକାର କହିଲେ ମିଳିଗଲା। ପରେ ପୁଣି କୁହାଗଲା ଯେ ଡୁପ୍ଲିକେଟ ଚାବି ମିଳିଛି, ତେଣୁ ରତ୍ନଭଣ୍ଡାର ଚାବି ଭଳି ଫାଇଲ ମଧ୍ୟ ଡୁପ୍ଲିକେଟ ହୋଇଥିବ ବୋଲି ବିଜେପି ସନ୍ଦେହ କରୁଛି। ସୁପ୍ରିମକୋର୍ଟ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ କିନ୍ତୁ ରାଜ୍ୟ ସରକାର ନିଯୁକ୍ତ କରୁନାହାନ୍ତି। ତେଣୁ ଶ୍ରୀମନ୍ଦିର ଯେଉଁ କେଳେଙ୍କାରୀ ଗୁଡ଼ିକ କରିଛନ୍ତି, ସେଗୁଡିକୁ ଲୁଚାଇବା ପାଇଁ ଏ ସବୁ ପ୍ରହସନ କରାଯାଉଛି।

ଜଗନ୍ନାଥ ମନ୍ଦିର ସଂକ୍ରାନ୍ତରେ ଅନେକ ତଥ୍ୟ ଅଛି। ପୁରୀରେ ବେଦାନ୍ତର ପ୍ରସଙ୍ଗ ଅଛି, ଓଡ଼ିଶା ସରକାରଙ୍କୁ ବେଦାନ୍ତ କେସରେ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି।  ଅମୃତମହଣି ଜମି ଅଧିଗ୍ରହଣ ବିଷୟରେ ଅନେକ ନେଗେଟିଭ କମେଣ୍ଟ ସୁପ୍ରିମକୋର୍ଟ ଦେଇଛନ୍ତି। ତେଣୁ ସନ୍ଦେହ ହେଉଛି, ଯେ ହଜିଥିବା ଫାଇଲ ଗୁଡ଼ିକରେ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଙ୍କର କିଛି ନୋଟିଂସ୍ ଥାଇପାରେ। କାରଣ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଯଦି ଏସବୁ କଥା ଲୋକଲୋଚନକୁ ଆସେ ତେବେ ଓଡ଼ିଶା ସରକାର ଆହୁରି ବଦନାମ ହେବାର ସମ୍ଭାବନା ଅଛି। ତେଣୁ ଫାଇଲଗୁଡ଼ିକୁ ଜାଣିଶୁଣି ହଜେଇ ଦିଆଯାଇଛି । ଫାଇଲ ହଜି ନାହିଁ ବରଂ ଜାଣିଶୁଣି ଫାଇଲ ଗାଏବ କରାଯାଇଛି ବୋଲି ବିଜେପି ଅଭିଯୋଗ କରିଛି। ଯେଉଁ ଅଫିସରମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି। ଲୋକସେବା ଭବନରୁ ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ପର୍କିତ ୨ଟି ଫାଇଲ ହଜିଥିଲା। ଯଦି ଆଇନ ବିଭାଗ ପାଖରେ ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ଫାଇଲ ମିଳୁନାହିଁ, ତେବେ ଏହାଠାରୁ ଦୁର୍ଭାଗ୍ୟଜନକ କଥା କିଛି ନାହିଁ।

Leave a Reply

Your email address will not be published. Required fields are marked *