ମୁଖ୍ୟ ଖବର

ସାକେତ୍‌ ଅଦାଲତରେ ଗୁଳି ଚଳାଇଲେ ଦୁର୍ବୃତ୍ତ: ମହିଳାଙ୍କ ସମେତ ୨ ଆହତ

ନୂଆଦିଲ୍ଲୀ: ଓକିଲ ବେଶରେ ଆସିଥିବା ଜଣେ ଦୁର୍ବୃତ୍ତ ଆଜି ସକାଳେ ଦିଲ୍ଲୀ ସାକେତ୍‌ ଜିଲ୍ଲା ଅଦାଲତ ପରିସରରେ ଗୁଳି ଚଳାଇବାରୁ ଜଣେ ମହିଳା ଓ ଜଣେ ଓକିଲ ଆହତ ହୋଇଥିବା କଥା ପୁଲିସ କହିଛି।

ଗୁଳି ଚଳାଯାଇଥିବା କଥା ଗଣମାଧ୍ୟମକୁ ସୁନିଶ୍ଚିତ କରି ‘ଡିସିପି ସାଉଥ୍‌’ ଚନ୍ଦନ ଚୌଧୁରୀ କହିଛନ୍ତି, ଗୁଳିକାଣ୍ଡ ଘଟଣାରେ ଜଣେ ମହିଳା ଓ ଜଣେ ଓକିଲଙ୍କ ସମେତ ଦୁଇଜଣ ବ୍ୟକ୍ତି ଆହତ ହୋଇଛନ୍ତି।

ଘଟଣା ସଂକ୍ରାନ୍ତରେ ଅଧିକ ସୂଚନା ଦେଇ ସେ କହିଛନ୍ତି, ଆହତ ମହିଳାଜଣକ ହେଉଛନ୍ତି ୪୦ ବର୍ଷୀୟ ଏମ୍‌. ରାଧା । ତାଙ୍କ ପେଟରେ ଗୋଟିଏ ଏବଂ ହାତରେ ଗୋଟିଏ ଗୁଳି ବାଜିଛି। ତାଙ୍କୁ ସାକେତ୍‌ସ୍ଥିତ ‘ମ୍ୟାକ୍ସ୍‌ ହସ୍ପିଟାଲ୍‌’କୁ ନିଆଯାଇଛି। ସେଠାରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ସନ୍ଦିଗ୍ଧ ଆକ୍ରମଣକାରୀଙ୍କୁ ପୂର୍ବରୁ ବାର୍‌ କାଉନ୍‌ସିଲ୍‌ରୁ ବିତାଡ଼ିତ କରାଯାଇଥିଲା। ତାଙ୍କ ନାମରେ ଉକ୍ତ ମହିଳା ଏବଂ ଆଡ୍‌ଭୋକେଟ୍‌ ରାଜେନ୍ଦର୍‌ ଝା’ ଠକେଇ ମାମଲା ରୁଜୁ କରିଥିଲେ। ଆଜି ଉକ୍ତ ମାମଲାର ଶୁଣାଣି ଥିଲା। କିନ୍ତୁ, ଏହି ଗୁଳିକାଣ୍ଡରେ ଆଡ୍‌ଭୋକେଟ୍‌ ଝା’ କିଂବା ଅନ୍ୟ କୌଣସି ଓକିଲ ଆହତ ହୋଇଛନ୍ତି ତାହା ‘ଡିସିପି’ ଚୌଧୁରୀ ସ୍ପଷ୍ଟ କରିନାହାନ୍ତି।

/୫ ରାଉଣ୍ଡ୍‌ ଗୁଳି ଚଳାଇବା ପରେ ଅଭିଯୁକ୍ତ କ୍ୟାଣ୍ଟିନ୍‌ର ପଛ ଦ୍ବାର ବାଟେ ଖସି ପଳାଇଛନ୍ତି। ତାଙ୍କୁ ଧରିବା ଲାଗି ଟିମ୍‌ ଗଠନ କରାଯାଇଛି ବୋଲି ‘ଡିସିପି’ କହିଛନ୍ତି।

ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା କ୍ଲିପ୍‌ରେ ଦେଖାଯାଉଛି ଯନ୍ତ୍ରଣାରେ ଛଟପଟ ହେଉଥିବା ସେ ମହିଳାଙ୍କ ପେଟରୁ ରକ୍ତସ୍ରାବ ହେଉଛି।

ସଂଗୃହୀତ ତଥ୍ୟ ଅନୁସାରେ, ଟଙ୍କାପଇସା ବିବାଦ ସଂକ୍ରାନ୍ତ ମାମଲାର ଶୁଣାଣି ନିମନ୍ତେ ମହିଳାଜଣକ ଅଦାଲତକୁ ଆସିଥିବା ବ‌େଳେ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଅଦାଲତ ପରିସରରେ ଉପସ୍ଥିତ ଥିବା ଜଣେ ପୁଲିସ ଅଧିକାରୀ ଉକ୍ତ ମହିଳାଙ୍କୁ ଡାକ୍ତରଖାନା ନେଇ ଯାଇଥିଲେ।

Leave a Reply

Your email address will not be published. Required fields are marked *