ରାଜ୍ୟ

ତେଇଶି ଦେବାଦେବୀଙ୍କ ମେଳଣ ଅନୁଷ୍ଠିତ

ବାଣପୁର:- ବାଣପୁରର ଆରାଧ୍ୟ ଠାକୁର ପଶ୍ଚିମାଭିମୁଖୀ ମହାଦେବ ପୀଠ ଶ୍ରୀ ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ଦେବଙ୍କ ପୀଠରେ ଚାରିଦିନ ବ୍ୟାପି ଚାଲିଥିବା ବିଶ୍ୱାଶାନ୍ତି ମହାଯଂଜ୍ଞ ଶୁକ୍ରବାର ପୂର୍ଣ୍ଣାହୁତି ଏବଂ ତେଇଶି ଦେବାଦେବୀଙ୍କ ମେଳଣ ପରେ ସମାପନ ହୋଇଯାଇଛି l ଚଳିତ ବର୍ଷ ମଙ୍ଗଳବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଚାଲିଥିବା ଯଂଜ୍ଞ ଓ ମେଳଣ ପର୍ବ ଚତୁର୍ଦ୍ଧଶ ବର୍ଷରେ ପଦାର୍ପଣ କରିଥିବା ବେଳେ ଗାଲୁଆ ଗ୍ରାମବାସୀଙ୍କର ପ୍ରତ୍ୟେକ୍ଷ ତତ୍ୱାବଧାନରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ପୂଜାବିଧି ପୂର୍ବକ ମଙ୍ଗଳବାର ଅଙ୍କୁରା ରୋପଣ, ବୁଧବାର ଜଳଯାତ୍ରା, ସୂର୍ଯ୍ୟପୂଜା ଓ ଆହୁତି ଆରମ୍ଭ କରାଯାଇ ଗୁରୁବାର ପୂଜା ଓ ହୋମାଦି କାର୍ଯ୍ୟକ୍ରମ ପରେ ଶୁକ୍ରବାର ପୂର୍ଣ୍ଣାହୁତି ଓ ଦେବଦେବୀଙ୍କ ମେଳଣ ପର୍ବ ସମାହିତ ହୋଇଥିଲା l ବାବା ଗୁପ୍ତେଶ୍ୱରଙ୍କ ଯଂଜ୍ଞ କମିଟି ସଭାପତି ମନୋରଞ୍ଜନ ପ୍ରଧାନ, ସମ୍ପାଦକ ପ୍ରଫୁଲ୍ଲ ହରିଚନ୍ଦନ, ବ୍ରଜକିଶୋର ଭୋପା ସ୍ଥାନୀୟ ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ଓ ବାଣପୁର ଆଇଆଇସି ଜୟକୃଷ୍ଣ ପରିଡାଙ୍କ ନିମନ୍ତ୍ରଣ ରକ୍ଷା କରି ବିଭିନ୍ନ ଗ୍ରାମରୁ ବାଇଶି ଦେବାଦେବୀଙ୍କ ଯଂଜ୍ଞ ସ୍ଥଳକୁ ଆଗମନ ଶ୍ରଦ୍ଧାଳୁଙ୍କ ମନରେ ଶିହରଣ ଜାଗ୍ରତ ହୋଇଥିଲା l ଖଣନ୍ତ ଗ୍ରାମରୁ ଶ୍ରୀ ଶ୍ରୀ ଶ୍ରୀ ପାଦୁକାଇ ଦେବୀ,ଭୂଇଁୟାଣି ଦେବୀ,ଗୋପୀନାଥ ପୁରର ବାଟମଙ୍ଗଳା, ବିଂଝଳାରୁ ଉତ୍ତରାୟଣୀ ଦେବୀଏବଂ କପିଳେଶ୍ୱର ଦେବ,ସୋମନାଥ ଦେବଙ୍କ ସମେତ ଅନ୍ୟ 18ଶମ୍ଭୁଙ୍କ ପବିତ୍ର ଯଂଜ୍ଞ ସ୍ଥାନକୁ ଆଗମନ ହୋଇଥିଲା l ସମସ୍ତ ଦେବଦେବୀଙ୍କୁ ନୂତନ ବସ୍ତ୍ର, ନୂତନ ଥାଳି, ଗୁଆ, ଚନ୍ଦନରେ ଆଭୂଷିତ କରାଯାଇ ଯଂଜ୍ଞ ସ୍ଥାନରେ ଉପବିଶନ କରାଯାଇଥିଲା l ଯଂଜ୍ଞ ପୂର୍ଣ୍ଣାହୁତି ପରେ ଗୋଧୂଳି ଲଗ୍ନରେ ସମସ୍ତ ଦେବାଦେବୀ ମେଳଣ ପଡିଆରେ ଏକାଠି ହୋଇଥିଲେ l ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କର ହରିବୋଲ, ହୁଳହୁଳି, ଘଣ୍ଟ, ଘଣ୍ଟା, ବାଦ୍ୟ ଓ କାହାଳିରେ ପ୍ରଭୁ ଗୁପ୍ତେଶ୍ୱର ପୀଠ ଉଛୁଳି ପଡୁଥିଲା l ଗାଲୁଆ ଗ୍ରାମବାସୀଙ୍କ ତରଫରୁ ଦର୍ଶନ କରିବାକୁ ଆସୁଥିବା ସମସ୍ତ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ଚାରିଦିନ ବ୍ୟାପି ପ୍ରସାଦ ସେବନର ବନ୍ଦୋବ୍ୟସ୍ତ କରାଯାଇଥିଲା l ଗ୍ରାମର ଯୁବକ ମାନେ ପ୍ରଭୁଙ୍କ ସେବାରେ ନିୟୋଜିତ କାର୍ଯ୍ୟରେ ସହଯୋଗ କରିଥିବାରୁ ନିଜକୁ ଧନ୍ୟ ମନେ କରିଥିଲେ l

Leave a Reply

Your email address will not be published. Required fields are marked *