ମୁଖ୍ୟ ଖବର

ବେଦାନ୍ତ ଫେକର ପ୍ଲାଣ୍ଟର ଆଉ ଜଣେ ଶ୍ରମିକଙ୍କ ମୃତ୍ୟୁ

ଭଦ୍ରକ: ବେଦାନ୍ତ  ଫେକର ପ୍ଲାଣ୍ଟରେ ପୋଡ଼ି ହୋଇ ମୁମ୍ବାଇ ବର୍ଣ୍ଣ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବନ୍ତ ବ୍ଲକ୍ ଗଣିଜଙ୍ଗ ପଞ୍ଚାୟତ ଆରଞ୍ଜି  ଗ୍ରାମର ବିଜୟ ମହାପାତ୍ରଙ୍କର ଆଜି ସେଠାରେ ମୃତ୍ୟୁ ଘଟିଛି।  ଏହି  ଠିକା ଶ୍ରମିକଙ୍କ ବିୟୋଗରେ ଆରଞ୍ଜି ଗ୍ରାମରେ  ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏହାକୁ ନେଇ  ଗ୍ରାମରେ ଓ ରାନ୍ଦିଆ ପ୍ଲାଣ୍ଟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ବେଦାନ୍ତ ପ୍ଲାଣ୍ଟରେ ନିଆଁ ଲାଗି ଦୁଇ ଜଣ ଶ୍ରମିକ ପୋଡ଼ି ହୋଇ ଗୁରୁତର ହୋଇଥିଲେ। ଗୁରୁତର ଶ୍ରମିକଙ୍କୁ ପ୍ରଥମେ ଭଦ୍ରକ ହସ୍ପିଟାଲ୍  ଓ ପରେ ସେମାନଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମୁମ୍ବାଇର ବର୍ଣ୍ଣ ହସ୍ପିଟାଲ୍ କୁ ସ୍ଥାନାନ୍ତର କରାଯାଉଥିଲା। ପ୍ରଥମେ   ରାନ୍ଦିଆର କୋରଣ୍ଟ   ଅଞ୍ଚଳର  ଶ୍ରମିକ ରତିକାନ୍ତ ସୂତାରଙ୍କର  ମୃତ୍ୟୁ ଘଟିଥିଲା।  ତାଙ୍କୁ ସେଠାରୁ  ଭଦ୍ରକ ଅଣାଯାଇ ନିକ ଗ୍ରାମରେ ଶବ ସତ୍କାର କରାଯାଇଥିଲା।

ଗତକାଲି ପୁଣି ଦିତୀୟ ଶ୍ରମିକ ଆରଞ୍ଜି ଗ୍ରାମର ବିଜୟ ମହାପାତ୍ରଙ୍କର ମୃ ତ୍ୟୁ ଘଟିଛି। ଆଜି ମୁମ୍ବାଇରେ ମୃତ ବିଜୟର  ଶବ ବ୍ୟବଚ୍ଛେଦ ପରେ ଆସନ୍ତାକାଲି  ତାଙ୍କୁ ଭଦ୍ରକ  ଅଣାଯିବ ବୋଲି ଜଣାପଡ଼ିଛି। ଏହି ବେଦାନ୍ତରେ ଦୁଇ ମାସ ଭିତରେ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କୁ ଆତଙ୍କିତ କରିଦେଇଥିବା ବେଳେ ଏହାକୁ ନେଇ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ପୁଣି ଭଦ୍ରକ ଉପଜିଲ୍ଲାପାଳ ମନୋଜ ପତ୍ର ଭଦ୍ରକ ବେଦାନ୍ତ  ପ୍ଲାଣ୍ଟ  ଅଞ୍ଚଳରେ ୨୫ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଛନ୍ତି। ଗତ ୧୨ ତାରିଖ ସକାଳ ଠାରୁ  ୧୪  ତାରିଖ ସକାଳ ପର୍ଯ୍ୟନ୍ତ ୧୪୪  ଧାରା ଜାରି କରାଯାଇଥିଲା। ପରେ ଏହାକୁ ୧୬ ତାରିଖ ଓ ପରେ ୧୬ରୁ ୧୯ ତାରିଖ ପର୍ଯ୍ୟନ୍ତ ଜାରି କରାଯାଇଥିଲା। ପୁଣି ଜଣେ ଶ୍ରମିକର ମୃତ୍ୟୁ ଖବର ଆସିବା ପରେ ଆଜି ଚତୁର୍ଥ ଥର ପାଇଁ ବେଦାନ୍ତ ପ୍ଲାଣ୍ଟ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ଆସନ୍ତା ୨୫ ତାରିଖ  ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଥିବା ବେଳେ ବେଦାନ୍ତ ପ୍ଲାଣ୍ଟ ଠିକ ନହେଲା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *