ଦେଶ- ବିଦେଶ

କଏନ ନେବାକୁ ଅରାଜି ବ୍ୟାଙ୍କ

ନୂଆଦିଲ୍ଲୀ: ଭାରତରେ ଏପରି ଅନେକ ମନ୍ଦିର ଅଛି, ଯେଉଁଠାରେ ପ୍ରତିବର୍ଷ କୋଟି କୋଟି ଭକ୍ତଙ୍କର ସମାଗମ ହୋଇଥାଏ | ଆଉ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏଠାକୁ ଆସୁଥିବାବେଳେ ବହୁପରିମାଣର ଦାନ ଦକ୍ଷିଣା ମଧ୍ୟ ଦେଇଥାନ୍ତି | ତେବେ ମହାରାଷ୍ଟ୍ରର ସିରିଡ଼ିରେ ଥିବା ସାଇ ବାବା ମନ୍ଦିର ଟ୍ରଷ୍ଟ ପାଇଁ ବର୍ତ୍ତମାନ ଏକ ସମସ୍ୟା ଉପୁଜିଛି | ଏଠାରେ ଭକ୍ତମାନେ ଦେଉଥିବା ଦାନକୁ ନେଇ ମନ୍ଦିର ଟ୍ରଷ୍ଟ ଅସୁବିଧାରେ ପଡିଛି | କାରଣ ଭକ୍ତମାନେ ଏତେ ପରିମାଣର ମୁଦ୍ରା ଦେଇଛନ୍ତି ଯେ ଏହାକୁ କେଉଁଠାରେ ଜମା କରାଯିବ ତାହା ଏବେ ଚିନ୍ତାର କାରଣ ପାଲଟିଛି | ବାସ୍ତବରେ ବର୍ତ୍ତମାନ ବ୍ୟାଙ୍କଗୁଡିକ ଏହି ମୁଦ୍ରା ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବ୍ୟାଙ୍କରେ ମୁଦ୍ରା ରଖିବା ପାଇଁ ସ୍ଥାନ ନାହିଁ। ସିରିଡ଼ି ମନ୍ଦିର ପାଖରେ ପ୍ରାୟ ୩.୫ରୁ ୪ କୋଟି ଟଙ୍କାର ମୁଦ୍ରା ରହିଛି। ଆଉ ବ୍ୟାଙ୍କଗୁଡ଼ିକ ମୁଦ୍ରା ନେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। ଏଥି ସହିତ, ମନ୍ଦିର ଟ୍ରଷ୍ଟ ପକ୍ଷରୁ ମଧ୍ୟ ଏହାକୁ ରଖିବା ପାଇଁ ସ୍ଥାନର ଅଭାବ ଦେଖାଦେଇଛି |ଉଲ୍ଲେଖନୀୟ କଥା ହେଉଛି, ମନ୍ଦିର ଟ୍ରଷ୍ଟ ସିରିଡ଼ିର ୧୩ଟି ଜାତୀୟକରଣ ବ୍ୟାଙ୍କରେ ଟଙ୍କା ଜମା କରିଥାଏ | ମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମନ୍ଦିରର ଦାନହୁଣ୍ଡିରୁ ମିଳୁଥିବା ଦକ୍ଷିଣାକୁ ସପ୍ତାହରେ ଦୁଇଥର ଗଣନା କରାଯାଏ | ବର୍ତ୍ତମାନ ଏହି ବ୍ୟାଙ୍କଗୁଡିକରେ ୧୧ କୋଟି ଟଙ୍କା ମୂଲ୍ୟର ମୁଦ୍ରା ଜମା ହୋଇଛି | କିନ୍ତୁ ଏହାବାଦ ଆହୁରି ୪ କୋଟି ଟଙ୍କାର କଏନ ଜମା ହୋଇପାରିନଥିବାବେଳେ ବ୍ୟାଙ୍କଗୁଡିକ ନେବାକୁ ମନା କରୁଛନ୍ତି | ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ସାଇ ବାବା ମନ୍ଦିର ଟ୍ରଷ୍ଟ ଅନ୍ୟ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାକୁ ପ୍ରସ୍ତୁତ ହେଉଛନ୍ତି। ଏହା ବ୍ୟତୀତ ଟ୍ରଷ୍ଟ ଏହି ସମସ୍ୟାର ସମାଧାନ ପାଇଁ ରିଜର୍ଭ ବ୍ୟାଙ୍କକୁ ଅନୁରୋଧ କରିଛି। ଦେଶର ସବୁଠାରୁ ଧନୀ ମନ୍ଦିର ତାଲିକାରେ ମହାରାଷ୍ଟ୍ରର ସିରିଡ଼ିରେ ଥିବା ସାଇ ବାବା ମନ୍ଦିର ତୃତୀୟ ସ୍ଥାନରେ ରହିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମନ୍ଦିରରେ ୩୮୦ କିଲୋଗ୍ରାମ ସୁନା, ୪,୪୨୮ କିଲୋଗ୍ରାମ ରୂପା, ଡଲାର ଏବଂ ପାଉଣ୍ଡ ପରି ବିଦେଶୀ ମୁଦ୍ରା ଆକାରରେ ବିପୁଳ ପରିମାଣର ଟଙ୍କା ଥିବାବେଳେ ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୧୮୦୦ କୋଟି ଟଙ୍କା ଜମା ରହିଛି।

Leave a Reply

Your email address will not be published. Required fields are marked *