ରାଜ୍ୟ

ଧରିତ୍ରୀ ମାର ସ୍ଵାସ୍ଥ୍ୟ ବିଗିଡିବାରେ ଲାଗିଛି

ନିମାପଡ଼ା: ଆଜି ହେଉଛି ବିଶ୍ୱ ଧରିତ୍ରୀ ଦିବସ । ଅର୍ଥାତ୍ ଏ ମାଟି ମାଆର ସୁରକ୍ଷା ପାଇଁ ପ୍ରତିବର୍ଷ ଏପ୍ରିଲ୍ ମାସ ୨୨ ତାରିଖଟିକୁ ବିଶ୍ୱ ପାଳୁଛି ଧରିତ୍ରୀ ଦିବସ ।ସୌରମଣ୍ଡଳ ରେ ପୃଥିବୀ ଏକମାତ୍ର ଗ୍ରହ ଯେଉଁ ଠାରେ ଜୀବନ ସତ୍ତା ସମ୍ଭବ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ପୃଥିବୀର ଜଳ, ସ୍ଥଳ ଓ ବାୟୁମଣ୍ଡଳ ପ୍ରତିଦିନ ପ୍ରଦ୍ୟୁଷିତ ହେବାରେ ଲାଗିଛି । ଆଜି ବିପଦରେ ଧରିତ୍ରୀ । ଦିନକୁ ଦିନ ତା’ର ସ୍ୱାସ୍ଥ୍ୟ ବିଗିଡ଼ିବାରେ ଲାଗିଛି । ଯାହାକୁ ନେଇ ସାରା ବିଶ୍ୱ ଚିନ୍ତିତ । ମାନବୀୟ ହସ୍ତକ୍ଷେପ ଯୋଗୁଁ ଧରିତ୍ରୀର ସ୍ୱାସ୍ଥ୍ୟ ଅବସ୍ଥା ଅତି ସଙ୍କଟାପନ୍ନ । ଯେଉଁ ସ୍ଥାନରେ ଜଙ୍ଗଲ ଥିଲା ସେ ସ୍ଥାନ ଘର ଓ ଶିଳ୍ପାଞ୍ଚଳ, ଯେଉଁଠି ପାଣି ଥିଲା ସେଠି ମରୁଭୂମି, ଗ୍ଲାସିୟର ତରଳିବାରେ ଲାଗିଛି, ତାପମାତ୍ରାର ଅସ୍ୱାଭାବିତ ପରିବର୍ତ୍ତନ ସମଗ୍ର ମାନବ ସମାଜ ପାଇଁ କ୍ଷତିକାରକ ହେବାକୁ ଯାଉଛି । ସବୁଜ ସୁନ୍ଦର ପରିବେଶ ନର୍କପୁର ପାଲଟିଯାଇଛି । ମଣିଷ ଆଜି ବିନାଶ ପଥର ପଥିକ । ମଣିଷ ନିଜେ ସୁଖ ସ୍ୱାଚ୍ଛନ୍ଦ୍ୟରେ ରହିବା ପାଇଁ ପୃଥିବୀର ସୁରକ୍ଷା ପ୍ରତି ଦୃଷ୍ଟି ନଦେଇ ସମସ୍ତେ ପ୍ରାକୃତିକ ସମ୍ପଦକୁ ଶୋଷଣ କରିବାରେ ଲାଗିଛନ୍ତି । ସ୍ୱାର୍ଥପର ହୋଇପଡ଼ିଛି ମଣିଷ । ପରିବେଶ ପ୍ରଦୂଷଣ ଦ୍ୱାରା ମରୁଡ଼ି, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଖା ଦେଇଛି । ଅନେକ ଜୀବଜନ୍ତୁ ଧରିତ୍ରୀ ପୃଷ୍ଠରୁ ବିଲୁପ୍ତ ହୋଇଗଲେଣି । ଜଳବାୟୁର ଜ୍ୱାଳାରେ ଜନଜୀବନ ଅଣନିଃଶ୍ୱାସୀ । କେତେବେଳେ ସୁପର ସାଇକ୍ଲୋନ୍ ତ ଆଉ କେତେବେଳେ ହୁଡ୍‌ହୁଡ୍‌, ତିତିଲି, ଫନି ପରି ସାମୁଦ୍ରିକ ଝଡ଼ । ଛଅ ଋତୁ ଆଜି ସାତସପନ । ଶ୍ରାବଣରେ ବୈଶାଖର ତାତି । ପୃଥିବୀର ଏ ଦୂରାବସ୍ଥା ପାଇଁ ମଣିଷ ହିଁ ଦାୟୀ । ଏ ସୁନ୍ଦର ପୃଥିବୀକୁ ସର୍ବଦା ସବୁଜ, ସୁନ୍ଦର ଓ ସୁରକ୍ଷିତ କରି ରଖିବା ପାଇଁ ପ୍ରତିଟି ମଣିଷ ସଂକଳ୍ପବଦ୍ଧ ହେବା ନିତାନ୍ତ ଜରୁରୀ । ଆମେ ଏପରି କାର୍ଯ୍ୟ ସମ୍ପାଦନ କରିବା ଯାହାଫଳରେ ନିଜେ ସୁରକ୍ଷିତ ରହିବା ସଙ୍ଗେ ସଙ୍ଗେ ଏକ ସୁନ୍ଦର ଜୀବନ ଅତିବାହିତ କରିବା ସହ ଏକ ସୁନ୍ଦର ସୁରକ୍ଷିତ ପୃଥିବୀ ଆମେ ଆମ ପରବର୍ତ୍ତୀ ପିଢ଼ୀକୁ ଟେକି ଦେଇପାରିବା ବୋଲି କହିଛନ୍ତି ପରିବେଶବିଦ।
ରିପୋର୍ଟ — ସନ୍ତୋଷ ଦାଶ।
୯୪୩୯୩୬୧୮୮୮।

Leave a Reply

Your email address will not be published. Required fields are marked *