ଦେଶ- ବିଦେଶ

ସୁଦାନରୁ ଭାରତୀୟଙ୍କୁ ନିରାପଦରେ ସ୍ଥାନାନ୍ତର

ନୂଆଦିଲ୍ଲୀ: ହିଂସା-ପ୍ରପୀଡ଼ିତ ସୁଦାନରୁ ଭାରତୀୟଙ୍କ ସମେତ ବିଦେଶୀ ନାଗରିକମାନଙ୍କୁ ନିରାପଦରେ ସ୍ଥାନାନ୍ତରଣ କରିଥିବା କଥା ଶନିବାର ଦିନ ସାଉଦି ଆରବ କହିଛି।

ଫସି ରହିଥିବା ବିଦେଶୀ ନାଗରିକମାନଙ୍କ ମଧ୍ୟରୁ ଏଯାବତ୍‌ ୯୧ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା କଥା ସାଉଦି ଆରବ ବୈଦେଶିକ ମନ୍ତ୍ରାଳୟ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି।

ସ୍ଥାନାନ୍ତରିତ ହୋଇଥିବା ୯୧ଜଣଙ୍କ ମଧ୍ୟରୁ ୬୬ ଜଣ ହେଉଛନ୍ତି ଭାରତ ସମେତ ମିତ୍ର ଦେଶମାନଙ୍କର ନାଗରିକ। ସୁଦାନରୁ କେତେକ ବାଂଲାଦେଶୀଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ, ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ସାଉଦି ଆରବ ଓ ସଂଯୁକ୍ତ ଆରବ ଏମିରେଟସ୍‌ର ବୈଦେଶିକ ମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିବାର ଅଳ୍ପ ଦିନ ଭିତରେ ସୁଦାନରୁ ବିଦେଶୀ ନାଗରିକମାନଙ୍କୁ ସ୍ଥାନାନ୍ତରଣ କରାଯାଇଛି। ସ୍ଥଳ ବିଶେଷରେ ସହାୟତା କରିବେ ବୋଲି ଉଭୟ ଦେଶ ଭରସା ଦେଇ କହିଥିଲେ।

ଜାରି କରାଯାଇଥିବା ବିବୃତିରେ ସାଉଦି ବୈଦେଶିକ ମନ୍ତ୍ରୀ କହିଛନ୍ତି, ସ୍ଥାନାନ୍ତରିତ ବ୍ୟକ୍ତିମାନେ ହେଉଛନ୍ତି: କୁଏତ, କତାର, ସଂଯୁକ୍ତ ଆରବ ଏମିରେଟ୍‌, ଇଜିପ୍ଟ୍‌, ତୁନିସିଆ, ପାକିସ୍ତାନ, ଭାରତ, ବୁଲ୍‌ଗେରିଆ, ବାଂଲାଦେଶ, ଫିଲିପ୍ପିନ୍‌ସ୍‌, କାନଡା ଓ ବର୍କିନା ଫାସୋର ନାଗରିକ।

ଉଲ୍ଲେଖଯୋଗ୍ୟ, ସୁଦାନରେ ସେନା ଓ ପାରାମିଲିଟାରି ‘ରାପିଡ୍‌ ସପୋର୍ଟ ଫୋର୍ସେସ୍‌’ ସମଗ୍ର ଦେଶରେ କ୍ଷମତା ପାଇଁ ଭୟାବହ ସଂଘର୍ଷ ଚଳାଇଛନ୍ତି। ‘ଇଦ୍‌-ଉଲ୍‌-ଫିତର୍‌’ ଲାଗି ୩ ଦିନ ପାଇଁ ଅସ୍ତ୍ରବିରତି ହେବ ବୋଲି ଉଭୟ ବିବୃତି ଜାରି କରିଥିଲେ। ଏହାର ସୁଯୋଗ ନେଇ ଜନସ୍ଥାନାନ୍ତରଣ କରାଯାଇଛି।

Leave a Reply

Your email address will not be published. Required fields are marked *