ଦେଶ- ବିଦେଶ

ଅତିକ୍‌-ଅଶ୍‌ରଫ୍‌ ହତ୍ୟା ମାମଲା: ୨୮ରେ ତଦନ୍ତ ସଂକ୍ରାନ୍ତ ପିଟିସନ୍‌ର ଶୁଣାଣି

ନୂଆଦିଲ୍ଲୀ: ଗ୍ୟାଙ୍ଗ୍‌ଷ୍ଟର୍‌ରୁ ରାଜନେତା ହୋଇଥିବା ଅତିକ୍‌ ଅହମଦ୍‌ ଓ ତାଙ୍କ ଭାଇ ଅଶ୍‌ରଫ୍‌ ଅହମଦ୍‌ଙ୍କ ହତ୍ୟା ମାମଲାର ତଦନ୍ତ ପାଇଁ ନିବେଦନ କରି ଦାଏର କରାଯାଇଥିବା ପିଟିସନ୍‌ର ଶୁଣାଣି ଏପ୍ରିଲ୍‌ ୨୮ ତାରିଖରେ ଶୁଣାଣି କରିବାକୁ ଆଜି ସୁପ୍ରିମ୍‌ କୋର୍ଟ ରାଜି ହୋଇଛନ୍ତି।

ପୁଲିସ ଉପସ୍ଥିତିରେ ମାଫିଆ ଭ୍ରାତାଙ୍କୁ ହତ୍ୟା କରାଯାଇଥିବା ଘଟଣାର ତଦନ୍ତ ପାଇଁ ସୁପ୍ରିମ୍‌ କୋର୍ଟର ଜଣେ ପୂର୍ବତନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ସ୍ବତନ୍ତ୍ର ବିଶେଷଜ୍ଞ କମିଟି ଗଠନ ପାଇଁ ଉକ୍ତ ପିଟିସନ୍‌ରେ ନିବେଦନ କରାଯାଇଥିଲା।

ଏହାଛଡ଼ା, ୨୦୧୭‌ରୁ ଏପର୍ଯ୍ୟନ୍ତ ଉତ୍ତର ପ୍ରଦେଶରେ ସଙ୍ଗଠିତ ହୋଇଥିବା ୧୮୩ଟି ଏନ୍‌କାଉଣ୍ଟର୍‌ ଘଟଣାକୁ ମଧ୍ୟ ତଦନ୍ତ କରିବା ଲାଗି ଆଡ୍‌ଭୋକେଟ୍‌ ବିଶାଳ ତିୱାରି ଫାଇଲ୍‌ କରିଥିବା ଉକ୍ତ ପିଟିସନ୍‌ରେ ଅନୁରୋଧ କରାଯାଇଛି।

ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ଏବଂ ବିଚାରପତି ପି. ଏସ୍‌. ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ଜରୁରୀକାଳୀନ ଭିତ୍ତିରେ ଏହି ପିଟିସନ୍‌ର ଶୁଣାଣି କରିବା ଲାଗି ତିୱାରି ଅନୁରୋଧ କରିଥିଲେ।

ଖଣ୍ଡପୀଠଙ୍କୁ ତିୱାରି କହିଲେ ଯେ, ଆଜି ଏହି ପିଟିସନ୍‌ର ଶୁଣାଣି କରାଯିବା କଥା କିନ୍ତୁ, ତାହାକୁ ତାଲିକାଭୁକ୍ତ କରାଯାଇ ନାହିଁ।

ପ୍ରଧାନ ବିଚାରପତି କହିଲେ, ୫ଜଣ ବିଚାରପତି ନ ଥିବାରୁ, ଆଜି ପାଇଁ ତାରିଖ ଦିଆଯାଇଥିବା କେତେକ ମାମଲା ତାଲିକାଭୁକ୍ତ କରାଯାଇ ନାହିଁ। ଶୁକ୍ରବାର ଦିନ ଏହାକୁ ତାଲିକାଭୁକ୍ତ କରିବା ଲାଗି ଚେଷ୍ଟା କରିବୁ।

Leave a Reply

Your email address will not be published. Required fields are marked *