ଦେଶ- ବିଦେଶ

ମୁଁ ପ୍ରଧାନମନ୍ତ୍ରୀ ହେବାକୁ ଚାହେ ନାହିଁ : ନୀତୀଶ କୁମାର

ଲକ୍ଷ୍ନୌ: ଲୋକସଭା ନିର୍ବାଚନ ପାଖେଇ ଆସୁଥିବାରୁ ବିରୋଧୀଙ୍କୁ ଏକଜୁଟ କରିବାର ଉଦ୍ୟମ ତୀବ୍ର ହୋଇଛି। ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତୀଶ କୁମାର ନିଜେ ଏହି ଦାୟିତ୍ବ ନିଜ ହାତକୁ ନେଇଛନ୍ତି। ଏହି କାରଣରୁ ସେ ବିରୋଧୀ ଦଳର ସମସ୍ତ ବଡ଼ ବଡ଼ ନେତାଙ୍କୁ ଭେଟିବା ପାଇଁ ନିରନ୍ତର ଉଦ୍ୟମ କରୁଛନ୍ତି। ତେବେ ସୋମବାର ନୀତୀଶ କୁମାର ସ୍ପଷ୍ଟ କରିଛନ୍ତି ଯେ ସେ କେବଳ ବିରୋଧୀ ଦଳଗୁଡ଼ିକୁ ଏକତ୍ର କରିବାରେ ବ୍ୟସ୍ତ ଅଛନ୍ତି। ସେ ପ୍ରଧାନମନ୍ତ୍ରୀ ହେବାକୁ ଆଶାୟୀ ନୁହନ୍ତି । ନୀତୀଶ କହିଛନ୍ତି- ମୁଁ ଗୋଟିଏ କଥା ସ୍ପଷ୍ଟ କରିବାକୁ ଚାହୁଁଛି ଯେ ମୁଁ ପ୍ରଧାନମନ୍ତ୍ରୀ ଚେହେରା ହେବାକୁ ଚାହେଁ ନାହିଁ। କେବଳ ଏକାଠି କାମ କରିବା ମୋ ଉଦ୍ଦେଶ୍ୟ।

ସୋମବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ। ଦିଦିଙ୍କୁ ଭେଟିବା ପରେ ଦୁହେଁ ଲକ୍ଷ୍ନୌରେ ପହଞ୍ଚିଛନ୍ତି। ସେଠାରେ ଦୁହେଁ ସମାଜବାଦୀ ପାର୍ଟୀ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଭେଟିଛନ୍ତି। ଅଖିଳେଶଙ୍କୁ ଭେଟିବା ପରେ ୩ଜଣ ମିଶି ଏକ ସାମ୍ବାଦିକ ସମ୍ମିଳନୀ କରିବା ସହ ବିରୋଧୀ ଏକତା ଉପରେ ପ୍ରତିକ୍ରିୟା ରଖିଛନ୍ତି।

ନୀତୀଶ କହିଥିଲେ ଯେ, ଦେଶକୁ ଆଗକୁ ନେବାକୁ ହେଲେ ବିରୋଧୀ ଦଳର ମତ ଏକ ହେବା ଉଚିତ। ଯେଉଁଭଳି ଭାବେ ଶାସନ କରାଯାଉଛି, ସେଥିରେ କୌଣସି କାର୍ଯ୍ୟ କରାଯାଉନାହିଁ। କେବଳ ପ୍ରଚାର ଚାଲିଛି। ଏଭଳି ପରିସ୍ଥିତିରେ ଅଧିକରୁ ଅଧିକ ଦଳ ସହ ଆଲୋଚନା ଚାଲିଛି। ଆମେ ଦେଶରେ ସର୍ବାଧିକ ଦଳଗୁଡିକୁ ଏକଜୁଟ କରିବାକୁ ନିଷ୍ପତ୍ତି ନେଇଛୁ। ଆମେ ଏକାଠି କାମ କରିବୁ ଯାହା ଦ୍ବାରା ଦେଶ ଆଗକୁ ବଢ଼ିବ ଏବଂ ଦେଶ ବିଜେପିରୁ ସ୍ୱାଧୀନତା ପାଇବ।

ଅନ୍ୟପକ୍ଷରେ ଅଖିଳେଶ କହିଛନ୍ତି ଯେ, ଗଣତନ୍ତ୍ର ଏବଂ ସମ୍ବିଧାନ ଉପରେ ସଙ୍କଟ ଦେଖାଦେଇଛି। ବିଜେପି ସରକାରଙ୍କ ଭୁଲ ଅର୍ଥ‌ନୈତିକ ନୀତି ଯୋଗୁଁ କୃଷକ, ଗରିବ ଏବଂ ଶ୍ରମିକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ମୁଦ୍ରାସ୍ଫୀତି ଏବଂ ବେକାରୀ ଚରମ ସୀମାରେ ରହିଛି। ବିଜେପିକୁ ହଟାଇବା ପାଇଁ ଆମେ ଏକାଠି ଛିଡା ହୋଇଛୁ। ବିଜେପି ହଟୁ, ଦେଶ ବଞ୍ଚୁ, ଆମେ ଏହି ଅଭିଯାନରେ ଆପଣଙ୍କ ସହ ଅଛୁ।

Leave a Reply

Your email address will not be published. Required fields are marked *