ରାଜନୀତି

ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ରାହୁଲ

ନୂଆଦିଲ୍ଲୀ: ମୋଦି ସାଙ୍ଗିଆ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ସୁରଟ ଅଦାଲତ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଏହା ବିରୋଧରେ ସେ ଗୁଜରାଟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ନିଜ ଆବେଦନରେ ରାହୁଲ ଦର୍ଶାଇଛନ୍ତି ଯେ ତଳ କୋର୍ଟ ତାଙ୍କ ବିରୋଧରେ ଅତ୍ୟଧିକ କଠୋର ଆଭିମୁଖ୍ୟ ରଖିଛନ୍ତି ।

ସୁରଟ କୋର୍ଟଙ୍କ ଏହି ରାୟ ପରେ ରାହୁଲ ଗାନ୍ଧିଙ୍କ ସଂସଦ ସଦସ୍ୟତା ରଦ୍ଦ ହୋଇଥିଲା। ସଂସଦ ସଦସ୍ୟତା ବାତିଲ ହେବାର କିଛି ଦିନ ପରେ ରାହୁଲ ଗାନ୍ଧିଙ୍କୁ ଦିଲ୍ଲୀସ୍ଥିତ ସରକାରୀ ବଙ୍ଗଳା ଖାଲି କରିବାକୁ ପଡ଼ିଥିଲା। ବଙ୍ଗଳା ଖାଲି କରିବା ସମୟରେ ରାହୁଲ ଗାନ୍ଧି କହିଥିଲେ ଯେ ସେ କେବଳ ସତ କହିବା ପାଇଁ ମୂଲ୍ୟ ଦେଉଛନ୍ତି ଏବଂ ସେ ସତ କହିବା ଜାରି ରଖିବେ।

କିଛିଦିନ ତଳେ ଦଣ୍ଡାଦେଶ ରଦ୍ଦ କରିବା ପାଇଁ ରାହୁଲ ଗାନ୍ଧି ସୁରଟ କୋର୍ଟରେ ଆବେଦନ କରିଥିଲେ । ରାହୁଲଙ୍କ ପକ୍ଷରୁ ମାମଲା ଲଢୁଥିବା ଓକିଲ କୋର୍ଟରେ ଯୁକ୍ତି କରିଥିଲେ ଯେ ମାନହାନି ମାମଲାରେ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ସମ୍ମାନକୁ ଆଘାତ ଦେବା ଅଭିଯୋଗ ସ୍ପଷ୍ଟ ହେବା ଦରକାର। ସାଧାରଣତଃ କରାଯାଉଥିବା ମନ୍ତବ୍ୟ କିମ୍ବା ଏକ ବୃହତ ପରିସରକୁ ଅନ୍ତର୍ଭୁକ୍ତ କରୁଥିବା ମନ୍ତବ୍ୟକୁ ମାନହାନିରେ ଅନ୍ତର୍ଭୁକ୍ତ କରାଯାଇପାରିବ ନାହିଁ। କିନ୍ତୁ ଏହି ଯୁକ୍ତିକୁ କୋର୍ଟ ମାନିନଥିଲେ । ଏବେ ରାହୁଲ ଗାନ୍ଧି ହାଇକୋର୍ଟ ଯିବା ପରେ ସମସ୍ତଙ୍କ ଦୃଷ୍ଟି ହାଇକୋର୍ଟଙ୍କ ରାୟ ଉପରେ ରହିଛି ।

Leave a Reply

Your email address will not be published. Required fields are marked *