ମୁଖ୍ୟ ଖବର

ନବବଧୂଙ୍କୁ ଏସିଡ଼ ପିଆଇ ବିବସ୍ତ୍ର କରିଦେଲେ ଶାଶୁଘରଲୋକ

ନୂଆଦିଲ୍ଲୀ: ଗତ ମଙ୍ଗଳବାର ବରେଲି ଜିଲ୍ଲାର ଫତେହଗଞ୍ଜ ଅଞ୍ଚଳରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ନବବଧୂଙ୍କୁ ଶାଶୁଘର ଲୋକ ଏସିଡ଼ ପିଆଇ ବିବସ୍ତ୍ର କରି ରାସ୍ତାରେ ପିଙ୍ଗି ଦେଇଥିଲେ। ଏହି ଘଟଣା ସମ୍ପର୍କରେ ସ୍ଥାନୀୟଲୋକ ଜାଣିବା ପରେ ସେମାନେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନବବଧୂଙ୍କୁ ଉଦ୍ଧ‌ାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ତାଙ୍କ ଅବସ୍ଥା ‌ଶୋଚନୀୟ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏହି ସମୟରେ ମହିଳାଙ୍କ ହାତରେ ମେହେନ୍ଦୀ ଓ ପାଦରେ ଅଳତା ଲାଗିଥିବା ବି ଦେଖିବାକୁ ମିଳିଥିଲା।

ପୁଲିସ୍‌ ସୂତ୍ରରୁ ପ୍ରକାଶ, ମହିଳାଙ୍କ ଶରୀର ଉପରକୁ ଏସିଡ ଫିଙ୍ଗା ଯାଇଥିବାରୁ ତାଙ୍କ ଆଖି ସମେତ ଶରୀରର ଅଧା ଅଂଶ ଜଳି ଯାଇଛି । ଏମିତି କି ତାଙ୍କୁ ଜୋରଜବରଦସ୍ତି ଏସିଡ଼ ବି ପିଆଇ ଦିଆଯାଇଥିଲା।  ଏହି କାରଣରୁ ସେ କଥା ବି କହି ପାରୁ ନାହାନ୍ତି।  ପୁଲିସ ବୟାନ ରେକର୍ଡ ପାଇଁ ଯାଇଥିବା ବେଳେ ମହିଳାଜଣକ ପୁଲିସ୍‌କୁ ନିଜ ନାମ ଓ ଘର ଠିକଣା ଲେଖିକି ଦେଇଥିଲେ।

ସୂଚନା ମିଳିଛି କି, ଏସିଡ ପୀଡ଼ିତ ମହିଳାଙ୍କ ବିବାହ ଏପ୍ରିଲ ୨୨ ତାରିଖରେ ହୋଇଥିଲା। ବିବାହର ତିନିଦିନ ପରେ ନବବଧୂଙ୍କ ଏପରି ଅବସ୍ଥା ଦେଖି ପୁଲିସ ତ‌ାଙ୍କ ଶାଶୁଘର ଲୋକଙ୍କୁ  ସନ୍ଦେହ କରିଥିଲା। ଏହାପରେ ତଦନ୍ତ ଆରମ୍ଭ କରିଥିଲା।

ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି କି, ନବବଧୂଙ୍କ ଏଭଳି ଅବସ୍ଥା ତାଙ୍କ ଶାଶୁଘର ଲୋକ ହିଁ କରିଛନ୍ତି।  ତେବେ ଏହା ପଛର କାରଣ କ’ଣ ତାହାର ସନ୍ଧାନ ଚଳାଇଛି ପୁଲିସ୍‌  । ଘଟଣାର ତଦନ୍ତ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍ ଅଧିକାରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *