ମୁଖ୍ୟ ଖବର

ରାହୁଲଙ୍କ ଆବେଦନର ଶୁଣାଣିରୁ ଓହରିଲେ ହାଇକୋର୍ଟ ବିଚାରପତି

ନୂଆଦିଲ୍ଲୀ: ମୋଦୀ ସାଂଗିଆ ପ୍ରତି ଅପମାନସୂଚକ ମନ୍ତବ୍ୟ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଆବେଦନର ଶୁଣାଣି ପାଇଁ  ଗୁଜରାଟ ହାଇକୋର୍ଟର ନିଯୁକ୍ତ ଖଣ୍ଡପୀଠରୁ ଜନୈକ ବିଚାରପତି ଓହରି ଯାଇଛନ୍ତି। ସେ ନିଜକୁ ଏହି ମାମଲାର ଶୁଣାଣି କରିବାରୁ ପ୍ରତ୍ୟାହାର କରିନେଇଛନ୍ତି।

ସୂତ୍ରରୁ ପ୍ରକାଶ ଯେ ଜଷ୍ଟିସ୍‌ ଗୀତା ଗୋପୀ କୋର୍ଟ ରେଜିଷ୍ଟ୍ରିକୁ ଏହି ମାମଲାକୁ ଅନ୍ୟ ଖଣ୍ଡପୀଠକୁ ହସ୍ତାନ୍ତର କରିବା ପାଇଁ କହିଛନ୍ତି। ଏଥିସହ ସେ ଏ ନେଇ ମୁଖ୍ୟ ବିଚାରପତିଙ୍କୁ ଅନୁରୋଧ କରି ରାହୁଲଙ୍କ ଆବେଦନକୁ ଫେରାଇ ଦେଇଛନ୍ତି। ନୂଆ ବିଚାରପତିଙ୍କୁ ନିଯୁକ୍ତି ଦେବା ପାଇଁ ଦୁଇ ଦିନ ଲାଗିପାରେ ବୋଲି ଶ୍ରୀ ଗାନ୍ଧିଙ୍କ ଓକିଲ ପିଏସ୍‌ ଚାପାନେରୀ ଗଣମାଧ୍ୟମକୁ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାଂଗିଆକୁ ନେଇ ଦେଇଥିବା ମନ୍ତବ୍ୟ ସହ ଜଡିତ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ଉପରେ ରୋକ୍‌ ଲଗାଇବା ପାଇଁ ନିମ୍ନ ଅଦାଲତ ତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବା ପରେ ରାହୁଲ ଗାନ୍ଧି ଗତକାଲି ଗୁଜରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଉଲ୍ଲେଖଯୋଗ୍ୟ, ଏହି ମାମଲାରେ ଦୁଇ ବର୍ଷ ଜେଲ୍‌ ଦଣ୍ଡ ପାଇବା ପରେ ଗତ ମାସରେ ସାଂସଦରୁ ଅଯୋଗ୍ୟ ଘୋଷଣା ହୋଇଥିବା ଶ୍ରୀ ଗାନ୍ଧିଙ୍କ ଦଣ୍ଡାଦେଶ ରଦ୍ଦ କିମ୍ବା ସ୍ଥଗିତ ନ ହେଲେ ତାଙ୍କୁ ପୁନଃ ଅବସ୍ଥାପିତ କରାଯାଇ ପାରିବ ନାହିଁ। ଏଥିସହ ଆସନ୍ତା ୮ ବର୍ଷ ପର୍ଯ୍ୟନ୍ତ ସେ ନିର୍ବାଚନ ମଧ୍ୟ ଲଢ଼ିପାରିବେ ନାହିଁ।

ତେବେ, ନିମ୍ନ ଅଦାଲତଙ୍କ ସହ ସହମତି ପ୍ରକାଶ କରି ସୁରଟ ସେସନ୍‌ସ କୋର୍ଟ ବିଚାରପତି କହିଥିଲେ ଯେ ଶ୍ରୀ ଗାନ୍ଧିଙ୍କ ଭଳି ଜଣେ ବ୍ୟକ୍ତିଙ୍କଠାରୁ ଉଚ୍ଚମାନର ନୈତିକତା ଆଶା କରାଯାଉଛି। ସେସନ୍‌ସ କୋର୍ଟ ରାହୁଲଙ୍କ ଆବେଦନକୁ ଗତକାଲି ଖାରଜ କରିବା ପରେ ରାହୁଲ ଗୁଜୁରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Leave a Reply

Your email address will not be published. Required fields are marked *