ଅପରାଧ

ଲାଞ୍ଚ ମାମଲାରେ ତତ୍କାଳୀନ ଆର୍‌ଆଇଙ୍କୁ ବର୍ଷେ ଜେଲ୍‌

ବ୍ରହ୍ମପୁର: ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ଅରୁଣକୁମାର ସାହୁ ଆଜି ୨୦୧୪ମସିହାର ଏକ ଲାଞ୍ଚ ଗ୍ରହଣ ମାମଲାର ବିଚାର କରି ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ଏଥିରେ ଉପଯୁକ୍ତ ସାକ୍ଷ୍ୟପ୍ରମାଣକୁ ଆଧାର କରି ଅଭିଯୁକ୍ତ ଆସ୍କା ତହସିଲର ତତ୍କାଳୀନ ଆର୍‌ଆଇ ଯୋଗେନ୍ଦ୍ର କୁମାର ବେହେରାଙ୍କୁ ୧ବର୍ଷ ସଶ୍ରମ କାରାଦଣ୍ଡ ସହ ୫ହଜାର ଟଙ୍କା ଜରିମାନା, ଏହା ଅନାଦେୟ ହେଲେ ଅଧିକ ଗୋଟିଏ ମାସ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି।ସୂଚନା ମୁତାବକ, ବସନ୍ତ କୁମାର ପାଣିଗ୍ରାହୀ ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଓ ଭଉଣୀଙ୍କ ନାମରେ ଥିବା ଜମିର ମ୍ୟୁଟେସନ ପାଇଁ ଆସ୍କା ତହସିଲଦାରଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ତହସିଲଦାର୍‌ଙ୍କ ନି‌ର୍ଦ୍ଦୋକ୍ରମେ ଦୁଇଟି ପୃୃଥକ ମାମଲା ରୁଜୁ ହୋଇ ତଦନ୍ତ ରିପୋର୍ଟ ଦେବାକୁ ଆର୍‌ଆଇଙ୍କ ପାଖକୁ ରେକର୍ଡ଼ସ ଯାଇଥିଳା। କିନ୍ତୁ ସେ ଯାଂଚ କରି ରିପୋର୍ଟ ପ୍ରସ୍ତୁତ କରି ସାରିଥିବା ବେଳେ ଉକ୍ତ ରିପୋର୍ଟକୁ ତହସିଲଦାରଙ୍କୁ ପ୍ରଦାନ କରିବା ପାଇଁ ୧୪ଶହ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ବସନ୍ତ ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପିଙ୍କ କାର୍ଯ୍ୟାଳୟକୁ ଜଣାଇଥିଲେ। ଫଳରେ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଇଥିଲା। ଅଭିଯୁକ୍ତକୁ ଧରିବା ପାଇଁ ପ୍ରସ୍ତୁତ ଯୋଜନା ମୁତାବକ, ବସନ୍ତ ଯୋଗେନ୍ଦ୍ରଙ୍କୁ ଭେଟି ୧୪ଶହ ଟଙ୍କା ଦେବାବେଳେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା। ସେହି ଟଙ୍କା ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଜାମିନ୍ ନାମଂଜୁର ହେବାରୁ ବିଚାରବିଭାଗୀୟ ହାଜତକ ପଠାଇ ଦିଆଯାଇଥିଲା। ୧୫ଦିନ ପରେ ତାଙ୍କୁ ସର୍ତ୍ତମୂଳକ ଜାମିନ୍ ମିଳିଥିଲା। ଏହି ମାମଲାର ବିଚାରଣା ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ କୋର୍ଟରେ ହୋଇଥିଲା। ୧୦ଜଣଙ୍କ ସାକ୍ଷ୍ୟ ଗ୍ରହଣ ପରେ ଜଜ୍ ଚୂଡ଼ାନ୍ତ ରାୟ ଶୁଣାଇଥିଲେ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ସୁରେନ୍ଦ୍ର ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *