ମୁଖ୍ୟ ଖବର

ପଣ୍ଡାଖୋଲ ଜଙ୍ଗଲରୁ ମୃତ ହାତୀ ଶାବକ ଉଦ୍ଧାର

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ଓ ଦକ୍ଷିଣ ଘୁମୁସର ବନଖଣ୍ଡରେ ହାତୀମୃତ୍ୟୁ ଚିନ୍ତାଜନକ ପ୍ରସଙ୍ଗ ପାଲଟିଥିବା ବେଳେ ଏଭଳି ପରିସ୍ଥିତିରେ ଆଜି ପୁଣି ଏକ ନବଜାତ ହାତୀଛୁଆର ଶବ ମିଳିଛି।। ଗଞ୍ଜାମ-କନ୍ଧମାଳ ସୀମାନ୍ତ ସୋରଡ଼ା ବ୍ଲକ୍ ଗାଜଲବାଡ଼ି ଗ୍ରାମ ନିକଟ ପଣ୍ଡାଖୋଲ ଜଙ୍ଗଲର ଝରନାଳ ନିକଟରୁ ଶବ ଠାବ ହୋଇଛି। ତା’ର ମୃତ୍ୟୁର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇପାରୁନି। ତେବେ ଜନ୍ମ ସମୟରେ ହାତୀଛୁଆଟିର ମୃତ୍ୟୁ ହୋଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ଅନୁମାନ କରାଯାଉଛି। ଶବ ନିକଟରୁ ତା’ର ଅନ୍ତନଳୀ ବି ମିଳିଛି।

ଦକ୍ଷିଣ ଘୁମୁସର ବନଖଣ୍ଡ ଅଧୀନ ସୋରଡ଼୍ ରେଞ୍ଜ ଗାଜଲବାଡ଼ି ସେକ୍ସନ୍ ପଣ୍ଡାଖୋଲ ଜଙ୍ଗଲରେ ୧୪ଟିକିଆ ହାତୀପଲ ବହୁଦିନ ହେଲା ଗତିବିଧି ଜାରି ରଖିଛନ୍ତି। ଗତକାଲି ରାତିରେ ଗାଜଲାବାଡ଼ି ଗ୍ରାମ ନିକଟରେ ହାତୀଙ୍କ ଗର୍ଜନ ଶୁଣିବାକୁ ମିଳିଥିଲା। ସୂଚନା ପାଇବା ପରେ ବନ ବିଭାଗର କର୍ମଚାରୀମାନେ ପାଟ୍ରୋଲିଂ କରି ସେଠାରୁ ଫେରିଥି‌ଲେ। ଆଜି ଭୋର୍‌ରେ ହାତୀଛୁଆର ଶବ ମିଳିଥିଲା।

ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ଦାୟିତ୍ବରେ ରହିଥିବା ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା, ଏସିଏଫ୍‌ ପ୍ରଭାକର ନାୟକ, ରେଞ୍ଜର ଲମ୍ବୋଦର ବାସ୍କେ, ଡେପୁଟି ରେଞ୍ଜର୍ ଅନୀଲ ପଣ୍ଡା ଓ ଗାଜଲବାଡ଼ି ବନପାଳ ଅର୍ଜୁନ ଜାନି ପ୍ରମୁଖ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ସୋରଡ଼ା,‌ ଧରାକୋଟ ଏବଂ ବେଲଗୁଣ୍ଠାର ପ୍ରାଣୀ ଚିକିତ୍ସକ ସେଠାରେ ପହଞ୍ଚି ହାତୀଛୁଆର ଶବକୁ ବ୍ୟବଚ୍ଛେଦ କରିବା ପରେ ସେଠାରେ ହିଁ ପୋତି ଦିଆଯାଇଥିଲେ। ହାତୀଛୁଆର ଶବ ଠାବ ହୋଇଥିବା ସ୍ଥାନ ନିକଟରେ ଏବେବି ହାତୀପଲ ଅଛନ୍ତି।

Leave a Reply

Your email address will not be published. Required fields are marked *