ମହାନଗର

ସ୍ବେରେଜ୍‌ ପ୍ରକଳ୍ପ ଜମି ଅଧିଗ୍ରହଣ ପରେ ବିକିଦେଲେ

ଭୁବନେଶ୍ବର: ଚନ୍ଦକା ଥାନା ଅନ୍ଧାରୁଆ ମୌଜାର ସରକାରୀ ଜମିକୁ ସ୍ବେରେଜ୍‌ ପ୍ରକଳ୍ପ ପାଇଁ ୨୭ ଲକ୍ଷ ୩୫ ହଜାର ଟଙ୍କାରେ ଅଧିଗ୍ରହଣ କରାଗଲା। ମାତ୍ର ୫ ବର୍ଷ ମଧ୍ୟରେ ବିକ୍ରି କରି ଦିଆଗଲା। ପୁଣି ବିକ୍ରି ଟଙ୍କା ସ୍ବେରେଜ ବିଭାଗ ପାଖକୁ ଯାଇ ନାହିଁ, ବରଂ ଜଣେ ବ୍ୟକ୍ତି ପାଇଛନ୍ତି। ଅର୍ଥାତ ସରକାର ଜମି ଅଧିଗ୍ରହଣ କଲେ ସିନା ବିକ୍ରି ଟଙ୍କା ସରକାର ପାଇଲେ ନାହିଁ କି ସରକାରୀ ପ୍ରକଳ୍ପ ମଧ୍ୟ କାର୍ଯ୍ୟକାରୀ ହେଲା ନାହିଁ। ଏହାକୁ ନେଇ ଖୋର୍ଦ୍ଧା ଜିଲ୍ଲାପାଳ, ଭୁବନେଶ୍ବର ଉପଜିଲ୍ଲାପାଳ, ପୂର୍ବତନ ତହସିଲଦାର ଅବଗତ ଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ ହୋଇନଥିବା ଅଭିଯୋଗ ହୋଇଛି।

ଗତ ବର୍ଷ ନଭେମ୍ବର ମାସରେ ଅଭିଯୋଗକାରୀ ଦିଲ୍ଲୀପ ଦାସ ଏନେଇ ଲୋକାୟୁକ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ୬ ମାସ ହେଲା ସେଠାରେ ମଧ୍ୟ ମାମଲା ପଡ଼ିରହିଛି। ସୂଚନା ଅଧିକାର ଅନ୍ତର୍ଗତରେ ମିଳିଥିବା ପଟ୍ଟା, ଆର୍‌ଓଆର୍‌ ସମେତ ବିଭିନ୍ନ ପ୍ରକାର ସରକାରୀ ଦସ୍ତାବିଜ ଦାଖଲ କରିଥିବା ନେଇ ଅଭିଯୋଗପତ୍ରରେ ଦର୍ଶାଯାଇଛି। ଏହି ଘଟଣା ଭୁବନେଶ୍ବରର ସାଂଘାତିକ ଜମି ଦୁର୍ନୀତିକୁ ପଦାରେ ପକାଉଛି। ବିଭିନ୍ନ ପ୍ରକଳ୍ପ ବାହାନାରେ ଲକ୍ଷାଧିକ ଟଙ୍କାରେ ସରକାରୀ ଜମି ଅଧିଗ୍ରହଣ ହେଉଛି ଏବଂ ଦିନ କେଇଟାରେ ପୁଣି ବିକ୍ରି ହୋଇ ଯାଉଛି। ଏସବୁର ଏକ ନଗ୍ନ ଉଦାହରଣ ହୋଇଛି ଅନ୍ଧାରୁଆ ମାମଲା। ଅଭିଯୋଗ ଅନୁଯାୟୀ, ଅନ୍ଧାରୁଆରେ ସ୍ଥିତ ୧୦ ଏକର ଜମିକୁ ୨୦୧୫ ମସିହାରେ ସ୍ବେରେଜ ବୋର୍ଡ ଅଧିଗ୍ରହଣ କରିଥିଲା।

ଏଥିପାଇଁ ୨୭ ଲକ୍ଷ ୩୫ ହଜାର ୩୩୧ ଟଙ୍କା କ୍ଷତିପୂରଣ ଦିଆଯାଇଥିଲା। ସେଠାରେ ସେତେବେଳେ ସ୍ବେରେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ସମେତ ସ୍ବେରେଜ ବୋର୍ଡର ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ କରାଯିବାର ଥିଲା। ମାତ୍ର ସ୍ଥାନୀୟ ଲୋକଙ୍କ ବିରୋଧ ଦର୍ଶାଇ ଏହାକୁ କାର୍ଯ୍ୟକାରୀ କରାଗଲା ନାହିଁ। କିଛି ଦିନ ଧରି ଏହି ଜମି ଅନୁପଯୋଗ ହୋଇ ପଡ଼ି ରହିବାରୁ ୨୦୨୦ ବେଳକୁ କିଛି ବ୍ୟକ୍ତି ଏହାକୁ ପ୍ଲଟିଂ କରି ବିକ୍ରି କରି ଦେଇଥିବା ଜଣାପଡ଼ିଥିଲା। ସୂଚନା ଅଧିକାର ଆଇନରେ ଏହାକୁ ନେଇ ତଥ୍ୟ ନିଆଯିବା ପରେ ସରକାରୀ ଜମି ବିକ୍ରି କରାଯାଇଥିବା ସ୍ପଷ୍ଟ ହୋଇଛି। ଭୁଲେଖ ପୋର୍ଟାଲରେ କିଏ-କାହାକୁ ବିକ୍ରି କରିଛି, ତାହା ମଧ୍ୟ ଜଣାପଡ଼ୁଛି। ଏଥିରେ ବିକ୍ରେତା ସ୍ବେରେଜ ବୋର୍ଡ କି କୌଣସି ସରକାରୀ ବିଭାଗ ନୁହେଁ, ବରଂ ଜଣେ ଘରୋଇ ବ୍ୟକ୍ତି ବୋଲି ସ୍ପଷ୍ଟ ହୋଇଛି। ଲୋକାୟୁକ୍ତଙ୍କ ନିକଟରେ ହୋଇଥିବା ଅଭିଯୋଗରେ ସରକାରୀ ଜମିର ଏଭଳି ବିକ୍ରିରେ ଭୁବନେଶ୍ବର ଜିଲ୍ଲାପାଳ, ତତ୍‌କାଳୀନ ତହସିଲଦାର, ଖଣ୍ଡଗିରି ସବ୍‌ରେଜିଷ୍ଟାରଙ୍କ ଭୂମିକାକୁ ନେଇ ପ୍ରଶ୍ନ କରାଯାଇଛି।

ପ୍ରଶ୍ନ ଉଠେ ୨୦୧୫ ମସିହାରେ ଅଧିଗ୍ରହଣ କରାଯାଇଥିବା ଜମିକୁ ୨୦୨୦ ମସିହା ବେଳକୁ କେମିତି ବିକ୍ରି କରି ଦିଆଗଲା। ବର୍ଷ ବର୍ଷ ଧରି ସମସ୍ତେ ଚୁପ୍‌ ରହିବା ମଧ୍ୟ ରହସ୍ୟଜନକ ମନେ ହେଉଛି। ଅଭିଯୋଗ ପରେ ତତ୍‌କାଳୀନ ଭୁବନେଶ୍ବର ତହସିଲଦାରଙ୍କୁ ଏଥିସଂକ୍ରାନ୍ତରେ ଯେତେଥର ପଚରା ଯାଇଥିଲା, ଘଟଣାର ତଦନ୍ତ ଚାଲୁଛି, ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ ବୋଲି କୁହାଯାଇଥିଲା। ମାତ୍ର ମାସ ମାସ ବିତି ସାରିଥିଲେ ମଧ୍ୟ ଏହାକୁ ନେଇ କୌଣସି ଅଗ୍ରଗତି ହୋଇନଥିବା ଅଭିଯୋଗକାରୀ ଦର୍ଶାଇଛନ୍ତି। ଦୁଇ ଦିନ ହେଲା ନୂତନ ତହସିଲଦାର ଭାବରେ ମାନସ ସ୍ବାଇଁ ଯୋଗଦାନ କରିଛନ୍ତି। ତେଣୁ ସେ ଏହାକୁ ନେଇ ବର୍ତ୍ତମାନ କିଛି କହିପାରିବେ ନାହିଁ, କିଛି ଦିନ ପରେ ଜଣାଇବେ ବୋଲି କହିଛନ୍ତି। ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା।

Leave a Reply

Your email address will not be published. Required fields are marked *